ମୁଖ୍ୟ ସଚିବଙ୍କୁ ଜାତୀୟ ମାନବାଧିକାର କମିଶନର ନୋଟିସ୍‌

ବାଲେଶ୍ବର: ବାଲିଆପାଳ ଥାନା ଅସ୍ତି ପଞ୍ଚାୟତର ସର୍ଦ୍ଦାରସାହି ଗ୍ରାମରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚିନ୍ମୟ ରଣା(୧୫)ଙ୍କ ଜୀବନ ଚାଲିଯାଇଥିଲା। ଏହି ଘଟଣାରେ କ୍ଷତିଗ୍ରସ୍ତ ପରିବାରକୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରି ୪ ସପ୍ତାହ ମଧ୍ୟରେ ଜବାବ୍‌ ତଲବ କରିଛନ୍ତି ଜାତୀୟ ମାନବାଧିକାର କମିଶନ। ଭବାନୀପାଟଣାର ମାନବାଧିକାର କର୍ମୀ ଦିଲ୍ଲୀପ କୁମାର ଦାସଙ୍କ ଦ୍ବାରା ଆଗତ ଅଭିଯୋଗକୁ ଆଧାର କରି ଚଳିତ ମାସ ୨୯ ତାରିଖରେ ଜାତୀୟ ମାନବାଧିକାର କମିଶନ ଏହି ଆଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ସର୍ଦ୍ଦାରସାହି ଗ୍ରାମରେ ସଂଜୟ ଦାସ ନାମକ କେବୁଲ ଟିଭି ପରିଚାଳକ ବେଆଇନ୍‌ ଭାବେ ବିଦ୍ୟୁତ୍‌ ତାର ତଳେ କେବୁଲ ଟାଣି ତାଙ୍କର ବ୍ୟବସାୟ ଚଳାଇ ଆସୁଥିଲେ। କେବୁଲ ତାରକୁ ଟେକି ରଖିବା ପାଇଁ ଏକ ବାଉଁଶ ଖୁଣ୍ଟ ବ୍ୟବହାର କରିଥିଲେ। ଯାହାଦ୍ବାରା କେବୁଲ ଝୁଲି ରହିଥିବା ଏବଂ ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାର ଖୁଣ୍ଟର ଏକ ତାର ଟିଭି କେବୁଲ ସହିତ ଲାଗିରହିଥିଲା। ଘଟଣାଦିନ ମୃତକ ଚିନ୍ମୟ ବାଉଁଶ ଖୁଣ୍ଟକୁ ଭୁଲବଶତଃ ଧରିବା ଫଳରେ ଟିଭି କେବୁଲ ତଳକୁ ଝୁଲିପଡ଼ିଥିବା ଚିନ୍ମୟଙ୍କ ଦେହରେ ଲାଗି ତାଙ୍କର ମୃତ୍ୟୁ ଘଟିଥିଲା। କେବୁଲ ଟିଭି ବ୍ୟବସାୟୀ ସଂଜୟ ଚିନ୍ମୟଙ୍କ ପରିବାରକୁ ୧୫ ହଜାର ଟଙ୍କା ପ୍ରଦାନ କରିଥିଲେ। ଏ ସଂପର୍କରେ ଖବର ପ୍ରକାଶ ପାଇବା ପରେ ଶ୍ରୀ ଦାସ ମାନବ ଅଧିକାର କମିଶନଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ।

ମାନବ ଅଧିକାର କମିଶନ ବିଦ୍ୟୁତ୍‌ ବିଭାଗର ପ୍ରମୁଖ ସଚିବଙ୍କୁ ୨୦୧୯ ଅକ୍ଟୋବର ୧ରେ ନୋଟିସ୍‌ ଜାରିକରି ସବିଶେଷ ତଥ୍ୟ ମାଗିଥିଲେ। ଏହାର ଜବାବ୍‌ରେ ବିଦ୍ୟୁତ୍‌ ବିଭାଗ ତରଫରୁ ବସ୍ତା ବିଦ୍ୟୁତ୍‌ ଡିଭିଜନ୍‌ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରିପୋର୍ଟ ପ୍ରଦାନ କରି ଦର୍ଶାଇଥିଲେ ଯେ, ଏହି ଘଟଣାରେ ମୃତକ ବାଳକ ଚିନ୍ମୟ ରଣା ନିଜେ ଦାୟୀ ଓ ଏଥିନିମନ୍ତେ ବିଦ୍ୟୁତ୍‌ ବିଭାଗର କୌଣସି ଦୋଷ ନାହିଁ। ରିପୋର୍ଟରେ ଦର୍ଶାଯାଇଥିବା ତଥ୍ୟକୁ ଭିତ୍ତିକରି ମାନବାଧିକାର କମିଶନଙ୍କ ହୃଦବୋଧ ହେଲା ଯେ, ବିଦ୍ୟୁତ୍‌ ତାର ତଳେ ଅନଧିକାର ଭାବେ କେବୁଲ ଟାଣିବା ଘଟଣାରେ ବିଦ୍ୟୁତ୍‌ ବିଭାଗ ନିରବ ରହିବା ଓ ୧୧ କେଭି ତାରରୁ ଜିଆଇ ଲୁହାତାର ଆସି କେବୁଲରେ ଲାଗିବା ଆଦି ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କ ଅବହେଳା ଏବଂ ଏହି ଅବହେଳା କାରଣରୁ ନୀରିହ ବାଳକର ଜୀବନ ଚାଲିଗଲା। ତେଣୁ ଏହି ଅବହେଳା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବ‌ରେ ଦାୟୀ ଓ ଏଥିପାଇଁ ୭ ଲକ୍ଷ ଟଙ୍କା କ୍ଷତିପୂରଣ କାହିଁକି ସୁପାରିଶ କରାନଯିବ ତାର କୈଫତ ୪ ସପ୍ତାହ ମଧ୍ୟରେ ମୁଖ୍ୟ ଶାସନ ସଚିବ ରଖିବାକୁ  ନୋଟିସ୍‌ ଜାରି କରିଛନ୍ତି ମାନବାଧିକାର କମିଶନ।

ସମ୍ବନ୍ଧିତ ଖବର