ପାଣିଗ୍ରାହୀ-ପାଠକ ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ୍‌

କଟକ: ଗୋଟିଏ ଅପରାଧିକ ଘଟଣାକୁ ନେଇ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଆଇଏଫଏସ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ବିରୋଧରେ ଏକାଧିକ ଏତଲା ରୁଜୁ ଅଭିଯୋଗ ସଂପର୍କିତ ମାମଲାରେ ହାଇକୋର୍ଟ ଜବାବ ତଲବ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ.ମୁରଲୀଧର ଓ ଜଷ୍ଟିସ୍ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ପାଣିଗ୍ରାହୀ ଓ ପାଠକ ବାପ-ପୁଅଙ୍କ ତରଫରୁ ଦାୟର ପୃଥକ ତିନୋଟି ମାମଲାର ଏକତ୍ର ଶୁଣାଣି କରି ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିବା ସହିତ ମେ ୧୮ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କୁ ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଭିଜିଲାନ୍ସ୍ ଗିରଫ କରିବା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ନାଁ ସାମ୍‌ନାକୁ ଆସିଥିଲା। ଟାଟା କମ୍ପାନିରେ ଚାକିରି କରାଇଦେବାକୁ କହି ଶ୍ରୀ ପାଣିଗ୍ରାହୀ, ଆକାଶ ଓ ଅନ୍ୟମାନେ କେତେକ ଲୋକଙ୍କ ନିକଟରୁ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲା‌ରେ କ୍ରାଇମବ୍ରାଞ୍ଚ ଶ୍ରୀ ପାଣିଗ୍ରାହୀଙ୍କୁ ୨୦୨୦, ଡିସେମ୍ବର ୩ରେ ଗିରଫ କରିଥିଲା। ଏହି ମାମଲାରେ ଆକାଶଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। ଶ୍ରୀ ପାଣିଗ୍ରାହୀଙ୍କୁ ୨୦୨୧, ଫେବ୍ରୁଆରି ୨୪ରେ ସର୍ତ୍ତମୂଳକ ଜାମିନରେ ଛାଡ଼ିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ହାଇକୋର୍ଟରୁ ଜାମିନ ମିଳିବା ପରେ ମଧ୍ୟ ଶ୍ରୀ ପାଣିଗ୍ରାହୀ ଜେଲରୁ ବାହାରି ପାରି ନଥିଲେ। ଏହାର କାରଣ ହେଉଛି ଗଞ୍ଜାମର ଗୋଳନ୍ଥରା ଥାନାରେ ତାଙ୍କ ବିରୋଧରେ ରହିଥିବା ତିନୋଟି ମାମଲା।
ଚାକିରି କରାଇଦେବାକୁ କହି ଟଙ୍କା ଆଦାୟ ଅଭିଯୋଗ ନେଇ ଏହି ସବୁ ଏତଲା ଶ୍ରୀ ପାଣିଗ୍ରାହଙ୍କ ବିରୋଧରେ ଗୋଳନ୍ଥରା ଥାନାରେ ରୁଜୁ ହୋଇଥିଲା। ସମାନ ପ୍ରସଙ୍ଗ ନେଇ ବୈଦ୍ୟନାଥପୁର ଥାନାରେ ମଧ୍ୟ ଏକ ମାମଲା ରୁଜୁ ହୋଇଥିଲା। କ୍ରାଇମବ୍ରାଞ୍ଚ ମାମଲାରେ ରହିଥିବା ଅଭିଯୋଗ ସହିତ ଗୋଳନ୍ଥରା ଥାନାରେ ରୁଜୁ ମାମଲାରେ ସମାନ ଧରଣର ଅଭିଯୋଗ ରହିଥିବା ବେଳେ ଏଥିପାଇଁ ଏକାଧିକ ଏତଲା ରୁଜୁ କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁ‌ହେଁ ବୋଲି ଶ୍ରୀ ପାଣିଗ୍ରାହୀଙ୍କ ପକ୍ଷରୁ ଦର୍ଶାଯାଇଛି। ଜାଣିଶୁଣି ହଇରାଣ କରିବାକୁ ଏଭଳି ଏକାଧିକ ମାମଲାରେ ତାଙ୍କୁ ଛନ୍ଦି ଦିଆଯାଉଛି। ବିଦ୍ବେଷମୂଳକ ଭାବେ ସମାନ ଧରଣର ଅଭିଯୋଗ ଆଧାରରେ ଏକାଧିକ ମାମଲା ରୁଜୁ କରାଯାଉଛି। ଫଳରେ ଜାମିନ ମିଳିବା ପରେ ମଧ୍ୟ ସେ ଜେଲରୁ ବାହାରି ପାରୁନାହାନ୍ତି। ଏହା ତାଙ୍କ ମୌଳିକ ଓ ମାନବିକ ଅଧିକାରର ଉଲ୍ଲଂଘନ। ଏଭଳି ପଦକ୍ଷେପ ଗ୍ରହଣ ଉପରେ ଅଙ୍କୁଶ ଜାରି କରାଯିବା ସହିତ ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର ତାଙ୍କର ସୁରକ୍ଷିତ ରଖାଯାଉ ବୋଲି ଶ୍ରୀ ପାଣିଗ୍ରାହୀଙ୍କ ପକ୍ଷରୁ ଦର୍ଶାଯାଇଛି।
ଅର୍ଣ୍ଣବ ଗୋସ୍ବାମୀ ବନାମ ମହାରାଷ୍ଟ୍ର ସରକାର ମାମଲାରେ ୨୦୨୦ରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟର ନଜିର ଶ୍ରୀ ପାଣିଗ୍ରାହୀଙ୍କ ପକ୍ଷରୁ ଦିଆଯାଇଛି। ଅଭୟକାନ୍ତ ଓ ଆକାଶ ପାଠକଙ୍କ ପକ୍ଷରୁ ମଧ୍ୟ ସମାନ ଅଭିଯୋଗ କରାଯାଇ ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି। ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁଲିସ ଡିଜି, କ୍ରାଇମବ୍ରାଞ୍ଚ ଏଡିଜି, ଗଞ୍ଜାମ ଏସପି ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି।
ସମ୍ବନ୍ଧିତ ଖବର