ଭୁବନେଶ୍ବର: ଆସନ୍ତା ନଭେମ୍ବର ୧୧ରେ ହେବାକୁ ଥିବା ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହ ଆଜିଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଅକ୍ଟୋବର ୨୦ ନାମାଙ୍କନ ଦାଖଲର ଶେଷ ଦିନ ରହିଛି। ହେଲେ ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡି ସେମାନଙ୍କ ପ୍ରାର୍ଥୀ ଘୋଷଣା କରିପାରିଲେନି। କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରି ପ୍ରଚାର ଆରମ୍ଭ କରିଦେଇଥିବାବେଳେ ବିଜେପି ଓ ବିଜେଡି ଏବେ ପ୍ରଚାରରେ ଏକପ୍ରକାରର ପଛେଇ ଯାଇଛନ୍ତି।
ଆଜି ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୨୨ରେ ନାମାଙ୍କନ ପତ୍ର ଯାଞ୍ଚ ହେବାକୁ ଥିବାବେଳେ ଅକ୍ଟୋବର ୨୪ରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ନଭେମ୍ବର ୧୧ରେ ମତଦାନ ହେବାକୁ ଥିବାବେଳେ ଏହିଦିନ ସକାଳ ୭ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭୋଟଦାନ ପ୍ରକ୍ରିୟା ଚାଲିବ। କିନ୍ତୁ ନକ୍ସଲ ପ୍ରଭାବିତ ଅଞ୍ଚଳର ୪୭ଟି ବୁଥ୍ରେ ସକାଳ ୭ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମତଦାନ ହେବ। ନଭେମ୍ବର ୧୬ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ସରିବ।
ଅପରପକ୍ଷେ ଆଜି ନାମାଙ୍କନ ପତ୍ର ଦାଖଲର ପ୍ରଥମ ଦିନ ଥିବାବେଳେ କେହି ନାମାଙ୍କନ ଦାଖଲ କରିନାହାନ୍ତି।
ଆଜି ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି ଯେ ଆସନ୍ତା ଉପନିର୍ବାଚନରେ ପରିଚାଳନା ଦାୟିତ୍ବରେ ରହିବାକୁ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ନେବା, ଇଭିଏମ୍ ମେସିନକୁ ସୁରକ୍ଷିତ ଭାବେ ନେବା ଆଣିବା କରିବା ପାଇଁ ହେଲିକପ୍ଟର ବ୍ୟବହାର ହେବ। ଦୁର୍ଗମ ଅଞ୍ଚଳରେ ଥିବା ୫ଟି ଅଞ୍ଚଳର ୮ଟି ବୁଥ୍ରେ ହେଲିକପ୍ଟର ବ୍ୟବହାର ହେବ। ଉପନିର୍ବାଚନ ପାଇଁ ୧୪ କମ୍ପାନି ସିଏପିଏଫ୍ ଯବାନ ମୁତୟନ ହେବେ। ସମସ୍ତ ରାଜନୈତିକ ଦଳଙ୍କୁ ଆଦର୍ଶ ଆଚରଣ ବିଧି କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। ଏହାକୁ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/02/election-comission-sfsf-2025-08-02-03-30-07.jpg)