ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି : ୫ ଲୋକସଭା ଓ ୩୫ ବିଧାନସଭା ପାଇଁ ନାମାଙ୍କନ ଦାଖଲ ହେବ

ପ୍ରଥମ ପର୍ଯ୍ୟାୟ : ପ୍ରଥମ ଦିନରେ ୪ ନାମାଙ୍କନ ପତ୍ର ଦାଖଲ

ଭୁବନେଶ୍ବର : ଆସନ୍ତା ଏପ୍ରିଲ ୧୮ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଆସନ୍ତାକାଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ। ପୂର୍ବ ଘୋଷଣା ମୁତାବକ ମାର୍ଚ୍ଚ ୧୯ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଏହି ପର୍ଯ୍ୟାୟରେ ଓଡ଼ିଶାରେ ୫ଟି ଲୋକସଭା ସହିତ ୩୫ଟି ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।

ଭାରତ ନିର୍ବାଚନ ଆୟୋଗଙ୍କ ଘୋଷଣା ଅନୁଯାୟୀ, ଏପ୍ରିଲ ୧୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାରେ ୫ଟି ଲୋକସଭା ଆସନ ଯଥା, ବରଗଡ଼ (ସାଧାରଣ), ସୁନ୍ଦରଗଡ଼ (ଏସଟି), ବଲାଙ୍ଗୀର (ସାଧାରଣ), କନ୍ଧମାଳ (ସାଧାରଣ) ଓ ଆସ୍କା (ସାଧାରଣ) ପାଇଁ ଆସନ୍ତାକାଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରକାଶ ପାଇବ। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସମ୍ପୃକ୍ତ ଜିଲ୍ଲାର ନିର୍ବାଚନ ଅଧିକାରୀ କିମ୍ବା ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଧାନସଭା ନିର୍ବାଚନମଣ୍ଡଳୀ ପଦ୍ମପୁର (ସାଧାରଣ), ବିଜେପୁର (ସାଧାରଣ), ବରଗଡ଼ (ସାଧାରଣ), ଅତାବିରା (ଏସସି), ଭଟଲି (ସାଧାରଣ), ବ୍ରଜରାଜନଗର (ସାଧାରଣ), ଝାରସୁଗୁଡ଼ା (ସାଧାରଣ) ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି ସୁନ୍ଦରଗଡ଼ ଲୋକସଭା ଆସନ ଅଧୀନରେ ଥିବା ତଳସରା (ଏସଟି), ସୁନ୍ଦରଗଡ଼ (ଏସଟି), ବୀରମିତ୍ରପୁର (ଏସଟି), ରଘୁନାଥପଲ୍ଲୀ (ଏସସି), ରାଉରକେଲା (ସାଧାରଣ), ରାଜଗାଙ୍ଗପୁର (ଏସଟି) ଓ ବଣାଇ (ଏସଟି) ଆସନ ସହିତ ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୀରମହାରାଜପୁର (ଏସସି), ସୋନପୁର (ସାଧାରଣ), ଲୋଇସିଂହା (ଏସସି), ପାଟଣାଗଡ଼ (ସାଧାରଣ), ବଲାଙ୍ଗୀର (ସାଧାରଣ), ଟିଟିଲାଗଡ଼ (ସାଧାରଣ), କଣ୍ଟାବାଞ୍ଜି (ସାଧାରଣ) ବିଧାନସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି କନ୍ଧମାଳ ଲୋକସଭା ଆସନରେ ଆସୁଥିବା ବାଲିଗୁଡ଼ା (ଏସଟି), ଜି.ଉଦୟଗିରି (ଏସଟି), ଫୁଲବାଣୀ (ଏସଟି), କଣ୍ଟାମାଳ (ସାଧାରଣ), ବୌଦ୍ଧ (ସାଧାରଣ), ଦଶପଲ୍ଲା (ଏସସି) ଓ ଭଞ୍ଜନଗର (ସାଧାରଣ) ବିଧାନସଭା ଆସନ ସହିତ ଆସ୍କା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୋଲସରା (ସାଧାରଣ), କବିସୂର୍ଯ୍ୟନଗର (ସାଧାରଣ), ଖଲ୍ଲିକୋଟ (ଏସସି), ଆସ୍କା (ସାଧାରଣ), ସୋରଡ଼ା (ସାଧାରଣ), ସାନଖେମୁଣ୍ଡି (ସାଧାରଣ) ଓ ହିଞ୍ଜିଳି (ସାଧାରଣ) ବିଧାନସଭା ଆସନ ପାଇଁ ଜାରି ହେବ ବିଜ୍ଞପ୍ତି।

ମାର୍ଚ୍ଚ ୧୯ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ମାର୍ଚ୍ଚ ୨୭ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବା ସହ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ମାର୍ଚ୍ଚ ୨୯ ତାରିଖ ଧାର୍ଯ୍ୟ ହୋଇଛି।’

ପ୍ରଥମ ପର୍ଯ୍ୟାୟ : ପ୍ରଥମ ଦିନରେ ୪ ନାମାଙ୍କନ ପତ୍ର ଦାଖଲ

ଭୁବନେଶ୍ବର : ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ଆସନ ପାଇଁ ଏପ୍ରିଲ ୧୧ ତାରିଖରେ ଭୋଟ ଗ୍ରହଣ କରାଯିବ। ଏଥିପାଇଁ ଆଜି ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ୪ଟି ଲୋକସଭା ସହି ୨୮ଟି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି। ମାର୍ଚ୍ଚ ୨୫ ତାରିଖରୁ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ କରାଯାଇଛି। ପ୍ରଥମ ଦିନରେ ୪ଟି ବିଧାନସଭା ଆସନ ପାଇଁ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଲୋକସଭା ଆସନ ପାଇଁ ଜଣେ ହେଲେ ବି ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ନର୍ଲା, ନବରଙ୍ଗପୁର, ବ୍ରହ୍ମପୁର ଏବଂ ମାଲକାନଗିରି ବିଧାନସଭା ଆସନ ପାଇଁ ଜଣେ ଲେଖାଏଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଏପ୍ରିଲ ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୨୫ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯିବ। ୨୬ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବା ସହ ୨୮ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର