କଟକ : ହାତୀ କରିଡର ପ୍ରସଂଗରେ ୨୦୨୧ ଅଗଷ୍ଟ ୧୭ରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରି ନଥିବାରୁ ଜାତୀୟ ଗ୍ରିନ୍ ଟ୍ରିବୁନାଲ (ଏନଜିଟି) ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦୁଇ ମାସ ଭିତରେ ନିର୍ଦ୍ଦେଶ କାର୍ଯ୍ୟକାରୀ କରି ରିପୋର୍ଟ ଦାଖଲ କରାଯିବା ପାଇଁ କୁହାଯାଇଥିଲା। କିନ୍ତୁ ଇତିମଧ୍ୟରେ ୨୦୨୩ ମାର୍ଚ୍ଚ ମାସ ହୋଇ ସାରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ନିର୍ଦ୍ଦେଶ କାର୍ଯ୍ୟକାରୀ ରିପୋର୍ଟ ଦାଖଲ କରି ନାହାନ୍ତି। ଏହା ପରିତାପର ବିଷୟ ବୋଲି ଏନଜିଟି କହିବା ସହିତ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ) ଓ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନଙ୍କୁ ନୋଟିସ୍ ଜାରି କରି ବ୍ୟକ୍ତିଗତ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଜାତୀୟ ଗ୍ରିନ ଟ୍ରିବୁନାଲ ଆଇନ, ୨୦୧୦ର ଧାରା ୨୬ ଅନୁସାରେ ଉଭୟଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ସେ ନେଇ କାରଣ ଦର୍ଶାଇବାକୁ (ପିସିସିଏଫ) ଓ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନଙ୍କୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି। ୱାଇଲ୍ଡ ଲାଇଫ ସୋସାଇଟି ଅଫ୍ ଇଣ୍ଡିଆ ଆବେଦନର ଶୁଣାଣି କରି ଏନଜିଟି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ୬କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/elephant-kaliapani.jpg)