ଭୁବନେଶ୍ବର: ୨୦୨୭ ଜନଗଣନା ପାଇଁ ଆସନ୍ତା ଜାନୁଆରି ୧ରୁ ମାର୍ଚ୍ଚ ୩୧, ୨୦୨୬ ପର୍ଯ୍ୟନ୍ତ ପ୍ରଶାସନିକ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ସ୍ଥଗିତ ରହିବ। ଏହା ପୂର୍ବରୁ ଅର୍ଥାତ୍ ଡିସେମ୍ବର ୩୧, ୨୦୨୫ ସୁଦ୍ଧା ସମସ୍ତ ଜିଲ୍ଲା, ସବ୍ଡିଭିଜନ୍, ତହସିଲ୍, ରାଜସ୍ବ ଗ୍ରାମ, ପୌରାଞ୍ଚଳ କର୍ତ୍ତୃପକ୍ଷଙ୍କର ପ୍ରଶାସନିକ ସୀମା ପରିବର୍ତ୍ତନ କରାଯାଇପାରିବ। ଏଥି ପାଇଁ ରାଜ୍ୟ ସରକାର ଅନୁମତି ଦେଲେ ବୋଲି ରାଜସ୍ବ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ଜାରି ହୋଇଛି।
ଯଦିଓ ଜନଗଣନା ପୂର୍ବରୁ ଏହା ଏକ ସ୍ବାଭାବିକ ପ୍ରଶାସନିକ ବିଜ୍ଞପ୍ତି, ତେବେ ଓଡ଼ିଶାରେ ୨୦୨୭ରେ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ଏହି ବିଜ୍ଞପ୍ତି ବେଶ୍ ଗୁରୁତ୍ବ ବହନ କରୁଛି। ବିଜେପି ଶାସନକୁ ଆସିଲା ପରେ ୨୦୨୭ରେ ପ୍ରଥମ ଥର ପାଇଁ ପଞ୍ଚାୟତ ଓ ପୌର ନିର୍ବାଚନକୁ ସାମନା କରିବ। ବର୍ତ୍ତମାନ ରାଜ୍ୟର ଅଧିକାଂଶ ପଞ୍ଚାୟତ, ବ୍ଲକ୍ ଓ ପୌରପାଳିକା ବିଜେଡି କବ୍ଜାରେ ଅଛି। ଫଳରେ ତୃଣମୂଳସ୍ତରରେ ବିଜେପି ଏ ଯାଏଁ ସଂଗଠନକୁ ଦୃଢ଼ କରିପାରୁ ନାହିଁ। ଏହାକୁ ନଜରରେ ରଖି ଗୋଟିଏ ପରେ ଗୋଟିଏ ବ୍ଲକ୍ ଦଖଲ ଆରମ୍ଭ ହୋଇଛି। ବିଡିଓମାନଙ୍କ ଆର୍ଥିକ କ୍ଷମତାକୁ ବଢ଼ାଇ ଦିଆଯାଇ ଅଧ୍ୟକ୍ଷମାନଙ୍କୁ ଗୁରୁତ୍ବହୀନ କରିଦିଆଯାଇଛି। ଏବେ ପଞ୍ଚାୟତ, ବ୍ଲକ୍ ଓ ପୌରପାଳିକାର ବିଭିନ୍ନ ୱାର୍ଡ ସୀମା ବଦଳାଇବାକୁ ବଡ଼ଧରଣର କସରତ ଆରମ୍ଭ ହୋଇଛି। ପ୍ରଶାସନିକ ସ୍ତରରେ ଏଥି ପାଇଁ ରାଜସ୍ବ ବିଭାଗ ଅନୁମତି ଦେଇଛି। ସମାନ ସମୟରେ ଶାସକ ଦଳ ପକ୍ଷରୁ ରାଜନୈତିକ ସ୍ତରରେ ମଧ୍ୟଯୋଜନା ପ୍ରସ୍ତୁତ କରାଯାଉଛି। ଏହି ସୀମା ନିର୍ଦ୍ଧାରଣ ବେଳେ ଶାସକ ଦଳର ରାଜନୈତିକ ସ୍ଥିତିକୁ ବିଚାରକୁ ନିଆଯିବା ସହ ବିଭିନ୍ନ ସ୍ଥାନରେ ନୂଆ ରାଜସ୍ବ ଗାଁ, ନୂଆ ପଞ୍ଚାୟତ, ବ୍ଲକ୍, ତହସିଲ, ଜିଲ୍ଲା, ଏନ୍ଏସି, ମ୍ୟୁନିସିପାଲିଟି, ମହାନଗର ନିଗମ ଆଦି ଗଠନ ପାଇଁ ଯେଉଁ ଦାବି ହେଉଥିଲା ତାହାକୁ ମଧ୍ୟ ପୂରଣ କରାଯାଇପାରିବ। ଏହା ଦ୍ବାରା ବିଜେପି ରାଜନୈତିକ ଫାଇଦା ପାଇବ ବୋଲି ଅନୁମାନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/26/odisha-logo-2025-07-26-01-51-38.jpg)