ନିମ୍ନ ଅଦାଲତ ପାଇଁ ସାନି ବିଜ୍ଞପ୍ତି : ଜରୁରୀ ମାମଲା ଶୁଣାଣି ପାଇଁ ୧ ଘଣ୍ଟା କାର୍ଯ୍ୟ ଖୋଲିବ ଅଦାଲତ

କଟକ: ‘କରୋନା’ ଭୂତାଣୁ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ମେ’ ୩ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଲକ୍‌ଡାଉନ ଘୋଷଣା କରିଥିବା ଘଟଣାକୁ ବିଚାରକୁ ନେଇ ହାଇକୋର୍ଟଙ୍କ ପକ୍ଷରୁ ସବ୍-ଅର୍ଡିନେଟ୍ କୋର୍ଟ (ନିମ୍ନ ଅଦାଲତ) ଗୁଡିକ ପାଇଁ ଆଜି କେତେକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଯେଉଁ ସ୍ଥାନରେ ସକାଳୁଆ ଅଦାଲତ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ସେଠାରେ କୋର୍ଟ ଓ ଏହାର କାର୍ଯ୍ୟାଳୟ ଦିନ ୯ଟାରୁ ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ସେହିଭଳି ଭାବେ ଯେଉଁ ସ୍ଥାନରେ ସକାଳୁଆ ଅଦାଲତ ନାହିଁ ସେଠାରେ କୋର୍ଟ ଓ କୋର୍ଟ କାର୍ଯ୍ୟାଳୟ ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ରିମାଣ୍ଡ, ପ୍ରଡକ୍ସନ୍ ଓ ଜାମିନ ଭଳି ଜରୁରୀ ମାମଲା ଶୁଣାଣି ପାଇଁ ଏପରି ବ୍ୟବସ୍ଥା କରାଯାଇଛି। ଏପ୍ରିଲ ୨୦ରୁ ଅନ୍ୟାଦେଶ ପର୍ଯ୍ୟନ୍ତ ଏଭଳି ବ୍ୟବସ୍ଥା ବଳବତ୍ତର ରହିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର