ଭୁବନେଶ୍ବର : ଓଡ଼ିଶାରେ କୋକେନ୍ ନେଟ୍ୱର୍କ ବଢ଼ାଇବା ପାଇଁ ଉଦ୍ୟମ ଚଳାଇଥିବା ଉତ୍ତରପ୍ରଦେଶର କୁଖ୍ୟାତ ଡ୍ରଗ୍-ମାଫିଆ ଗୁଲବେଶ୍ ଖାନ୍ ଓରଫ୍ ହଜରତ, ଭୁବନେଶ୍ବର କ୍ରାଇମବ୍ରାଞ୍ଚ ଏସଟିଏଫ୍ ହାତରେ ଧରାପଡ଼ିଛି। ତାକୁ ଧରିବା ପାଇଁ ଏସ୍ଟିଏଫ୍ର ଏକ ଟିମ୍ ଉତ୍ତରପ୍ରଦେଶ ଯାଇଥିଲା। ଗତକାଲି ଉତ୍ତରପ୍ରଦେଶ ପୁଲିସ୍ ସହାୟତାରେ ଏସ୍ଟିଏଫ୍ ତାକୁ ଗାଜିଆବାଦରୁ ଗିରଫ କରିଥିଲା। ଗିରଫ ପରେ ତାକୁ ସ୍ଥାନୀୟ ଗାଜିଆବାଦ କୋର୍ଟରେ ହାଜର କାରାଯାଇ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣାଯାଇଛି। ଆସନ୍ତାକାଲି ତାକୁ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍ଙ୍କ ନିକଟରେ ହାଜର କରାଯିବ ବୋଲି ଜଣାଯାଇଛି।
ରାଜଧାନୀରେ ନେଟ୍ୱର୍କ ବଢ଼ାଇବା ପାଇଁ ଉଦ୍ୟମ କରୁଥିଲା
ସିଡିଆର୍ ରିପୋର୍ଟରୁ ଧରାପଡ଼ିଲା, ୫ ଦିନିଆ ରିମାଣ୍ଡରେ ଆସିବ!
ସୂଚନା ମୁତାବକ, ରାଜଧାନୀରେ କୋକେନ୍ କାରବାର କରିବାକୁ ବାହାର ରାଜ୍ୟର କିଛି ମାଫିଆ ଉଦ୍ୟମ କରୁଛନ୍ତି ବୋଲି ଗତ ଏପ୍ରିଲ୍ ମାସରେ ଏସ୍ଟିଏଫ୍ ହାତରେ ଖବର ଲାଗିଥିଲା। ତେଣୁ ଏସ୍ଟିଏଫ୍ ସେମାନଙ୍କୁ ଧରିବା ପାଇଁ ଜୋରସୋର୍ରେ ଉଦ୍ୟମ ଆରମ୍ଭ କରିଦେଇଥିଲା। ସେହି ମାସ ୧୨ ତାରିଖରେ ଜାଭିୟର୍ସ ଛକ ନିକଟରୁ ୨୦୨ ଗ୍ରାମ୍ର କୋକେନ୍ ସହ ଦୁଇ କୋକେନ୍ ବେପାରୀ ବିଙ୍ଗଲୋର ସିଂହ ଓରଫ ରବି ଓ ସନ୍ନି କୁମାରଙ୍କୁ ଗିରଫ ହେବା ପରେ ଏସ୍ଟିଏଫ୍ର ସନ୍ଦେହ ସତ ପ୍ରମାଣିତ ହୋଇଥିଲା। ଦୁଇ ବେପାରୀଙ୍କୁ ଜେରା କରିବାରୁ ଜଣାପଡ଼ିଥିଲା ଯେ ଉଭୟ ରାଜସ୍ଥାନ ଚୁରୁ ଜିଲ୍ଲା ହାମିର୍ବାସ ଅଞ୍ଚଳର। ଭୁବନେଶ୍ବରରେ ଖେଳାଯିବାକୁ ଥିବା ଆଗାମୀ ହକି ବିଶ୍ବକପ୍କୁ ଆଖି ଆଗରେ ରଖି ସେମାନେ କୋକେନ୍ର ନେଟ୍ୱର୍କ ବଢ଼ାଇବା ପାଇଁ ଏଠାକୁ ଆସିଥିଲେ ବୋଲି ଦୁଇଜଣଯାକ କହିଥିଲେ। ହକି ବିଶ୍ବକପ୍ ସମୟରେ ବାହାର ଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ କୋକେନ୍ର ଭାରି ଚାହିଦା ଥିବାରୁ ସେମାନେ ଏବେଠାରୁ ନେଟ୍ୱର୍କକୁ ମଜଭୁତ୍ କରିବା ପାଇଁ ଚେଷ୍ଟା କରୁଥିଲେ ବୋଲି ଏସ୍ଟିଏଫ୍ ଜାଣିବାକୁ ପାଇଥିଲା। ଏହାବ୍ୟତୀତ ବ୍ରାଉନସୁଗାର ଭଳି ରାଜଧାନୀର ଯୁବପିଢ଼ି, ସମ୍ଭ୍ରାନ୍ତ ଘରର ପିଲାଙ୍କୁ ମଧ୍ୟ କୋକେନ୍ ନିଶା ଚଖାଇବା ସେମାନଙ୍କର ଉଦ୍ୟମ ଥିଲା। ଅଧିକ ଖୋଳତାଡ଼ କରିବାରୁ, ଏଥିରେ ଦିଲ୍ଲୀ ଓ ବିଦେଶ ଲିଙ୍କ୍ ଥିବା ବି ପଦାକୁ ଆସିଥିଲା। ତେଣୁ ଏସ୍ଟିଏଫ୍ ଅଧିକ ତଦନ୍ତ କରି ସିଡିଆର୍ ଯାଞ୍ଚ ରିପୋର୍ଟରୁ ହଜରତ ବାବଦରେ ଜାଣିବାକୁ ପାଇଥିଲା। ସନ୍ନ ଓ ରବି ଗିରଫ ପୂର୍ବରୁ ତାକୁ ୨୦ରୁ ଅଧିକ ଥର କଲ୍ କରିଥିଲା। ତେଣୁ ତାକୁ ଧରିବା ପାଇଁ ଏସ୍ଟିଏଫ୍ର ଏକ ଟିମ୍ ଗତ କିଛି ଦିନ ତଳେ ଉତ୍ତରପ୍ରଦେଶରେ ଡେରା ପକାଇଥିଲା। ଗତକାଲି ଉତ୍ତରପ୍ରଦେଶ ପୁଲିସ୍ ସହାୟତାରେ ତାକୁ ଗାଜିଆବାଦରୁ ଗିରଫ କରିଛି।
ସୂଚନାଯୋଗ୍ୟ, ହଜରତର ଦିଲ୍ଲୀ, ନଏଡ଼ା, ଗଜିଆବାଦ ସହ ଅନ୍ୟ କିଛି ରାଜ୍ୟରେ ଦବ୍ଦବା ଥିବା ଜଣାପଡ଼ିଛି। ସେ ବିଦେଶରୁ କିଭଳି କୋକେନ୍ ଆଣୁଥିଲା? ତା’ ସହ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି? ଆଦିର ଗୁମର ଖୋଲିବା ପାଇଁ ଏସ୍ଟିଏଫ୍ ତାକୁ ୫ ଦିନିଆ ରିମାଣ୍ଡରେ ଆଣିବାକୁ ଯୋଜନା କରୁଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।