ସମ୍ବଲପୁର : ଧନୁପାଲି ପୁଲିସ ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସାମଦକୁ ଏକ ଲୁଟ୍ ମାମଲାରେ ଗିରଫ କରିଛି। ପଶ୍ଚିମବଙ୍ଗ ମୁର୍ସିଦାବାଦର ସିଦ୍ଧାର୍ଥ କୁଣ୍ଡୁ(୩୨)ଙ୍କ ଅଭିଯୋଗ ଆଧାରରେ ପୁଲିସ ସାମଦକୁ ଗିରଫ କରିଥିବା ଜଣାପଡ଼ିଛି।
ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସିଦ୍ଧାର୍ଥ ଜଣେ କର୍ମଚାରୀ ଭାବେ ବୁର୍ଲା ଭିମ୍ସାର୍ କୋଭିଡ୍ ହସ୍ପିଟାଲ୍କୁ ଆସିଥିଲେ। ତେବେ କାମ ସାରିବା ପରେ ସେ ଘରକୁ ଫେରିବା ପାଇଁ ଗତ ଗୁରୁବାର ପାଖାପାଖି ୧୦ଟା ସମୟରେ ବୁର୍ଲା ଭିମ୍ସାର୍ରୁ ଏକ ଅଟୋରେ କ୍ଷେତରାଜପୁର ରେଳ ଷ୍ଟେସନ୍କୁ ଆସୁଥିଲେ। କିନ୍ତୁ ଅଟୋ ଚାଳକ ଜଣକ ଭୁଲ ବଶତଃ ତାଙ୍କୁ ସମ୍ବଲପୁର ସିଟି ଷ୍ଟେସନ୍କୁ ନେଇଯାଇଥିଲେ। ତେବେ ସେ ଭୁଲ୍ ଷ୍ଟେସନ୍ ଆସିଥିବା ଜାଣିବା ପରେ ସିଟି ଷ୍ଟେସନ୍ରୁ ବାହାରି ଏକ ଟି’ ଷ୍ଟଲ୍ରେ ରାତି ୧୦ଟା ୩୦ ସମୟରେ କ୍ଷେତରାଜପୁର ଷ୍ଟେସନ୍ ଯିବା ପାଇଁ କେଉଁଠାରେ ଅଟୋ ମିଳିବ କି ବୋଲି ପଚାରି ବୁଝିଥିଲେ। ସେହିଠାରେ ସାମଦ ସମେତ ୩ ଦୁର୍ବୃତ୍ତ ଏକ ବାଇକ୍ ଓ ସ୍କୁଟିରେ ଆସି ସିଦ୍ଧାର୍ଥଙ୍କ ପକେଟ୍ରୁ ଏଟିଏମ୍ କାର୍ଡ, ଭୋଟର୍ ଆଇଡି ଓ ନଗଦ ୨ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ଏହାପରେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇ ଧନକଉଡ଼ା ସ୍ଥିତ ଏକ ଏଟିଏମ୍ ପାଖକୁ ନେଇ ୪୦ ହଜାର ଟଙ୍କା କାଢ଼ିବା ପାଇଁ କହିଥିଲେ। ଭୟରେ ସିଦ୍ଧାର୍ଥ ଏଟିଏମ୍ରୁ ଟଙ୍କା କାଢ଼ି ଦୁର୍ବୃତ୍ତମାନଙ୍କୁ ଦେଇଥିଲେ। ଟଙ୍କା ପାଇବା ପରେ ଦୁର୍ବୃତ୍ତମାନେ ସିଦ୍ଧାର୍ଥଙ୍କୁ ରେଳ ଷ୍ଟସନ୍ ନିକଟରେ ଛାଡ଼ି ଦେଇ ଫେରାର୍ ହୋଇଯାଇଥିଲେ।
ଏହାପରେ ସିଦ୍ଧାର୍ଥ ଧନୁପାଲି ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଧନୁପାଲି ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା। ସମ୍ବଲପୁର ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଧନୁପାଲି ଥାନାଧିକାରୀ ଅନିତା ପ୍ରଧାନଙ୍କ ନେତୃତ୍ବରେ ଏସ୍ଆଇ ଟି. ଖଟୁଆ, ଡି. ଭୁଏ ଓ ଏସ୍. ରାୟଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଅଭିଯୋଗ ହେବାର ୨୪ ଘଣ୍ଟା ମଧ୍ୟରେ ପୁଲିସ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା ସହ ୨ ଦୁର୍ବୃତ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ତେବେ ଜଣେ ଦୁର୍ବୃତ୍ତ ବର୍ତ୍ତମାନ ସୁଦ୍ଧା ଫେରାର୍ ଥିବା ବେଳେ ଦୁର୍ଦ୍ଦାନ୍ତ ଅପରାଧୀ ଧନୁପାଲି ଥାନା ଅଧୀନ ମୋତିଝିରା ଗ୍ବାଲାପଡ଼ାର ମହମ୍ମଦ ସାମଦ ଓରଫ୍ ସେଖ୍ ସାମଦ(୩୦) ଓ ମୋତିଝିରାର ମହମ୍ମଦ ହୁସେନ୍ ଓରଫ୍ ଚାର୍ଲି(୪୨)କୁ ଗିରଫ କରିବାରେ ପୁଲିସ ସଫଳ ହୋଇଛି। ଅନ୍ୟପଟେ ଅନ୍ୟ ଅପରାଧୀକୁ ଧରିବା ପାଇଁ ପ୍ରୟାସ ଚାଲିଥିବା ପୁଲିସ ପକ୍ଷରୁ କୁହାଯାଇଛି। ସାମଦ ପାଖରୁ ପୁଲିସ ନଗଦ ୧୯ ହଜାର ଟଙ୍କା ସହ ଏକ ସ୍କୁଟି ଏବଂ ଚାର୍ଲି ପାଖରୁ ନଗଦ ୨୦ ହଜାର ଟଙ୍କା ଓ ଏକ ବାଇକ ଜବତ କରିଛି।
ନାଁରେ ଅଛି ୧୭ରୁ ଅଧିକ ମାମଲା, ତଥାପି ସାମଦ ଖେଳୁଛି ଚୋର-ପୁଲିସ ଖେଳ
ଦୁର୍ଦ୍ଦାନ୍ତ ଅପରାଧୀ ସାମଦ ସମ୍ବଲପୁରରେ ଅନେକ ଅପରାଧ ଘଟାଇ ଚାଲିଛି। ଚୋରି, ଲୁଟ୍, ଡକାୟତି, ମାରପିଟ୍, ହତ୍ୟା ଧମକ ଠାରୁ ଅପହରଣ ଭଳି ଅନେକ ସଙ୍ଗୀନ ମାମଲାରେ ସାମଦ ନାଁରେ ରହିଛି। ସମ୍ବଲପୁରର ଦୁର୍ଦ୍ଦାନ୍ତ ଅପରାଧୀ ହୋଇଥିବା ପରେ ବି ପୁଲିସ ବିଭାଗ ତାକୁ ସବୁବେଳେ ହାଲକା ଭାବେ ନେଇ ଆସିଛି। ଯେଉଁ କାରଣରୁ ସାମଦର ଅପରାଧ ତାଲିକା ଲମ୍ବିବାରେ ଲାଗିଛି। ପୁଲିସ ବିଭାଗ ନିଜେ ସାମଦକୁ ଦୁର୍ଦ୍ଦାନ୍ତ ଆଖ୍ୟା ଦେଇ ସାରିଥିବା ବେଳେ ତା ପ୍ରତି କେଉଁ କାରଣରୁ କରୁଣଦୃଷ୍ଟି ଦେଇ ଚାଲିଛି ତାହା ମଧ୍ୟ ସମସ୍ତଙ୍କ ବୁଝିବା ବାହାରେ। ସାମଦ ନାଁରେ ବାରମ୍ବାର ଅଭିଯୋଗ ହେଉଛି, ସେ ଧରା ମଧ୍ୟ ପଡ଼ୁଛି। କିନ୍ତୁ ପୁଲିସ କେବଳ ଗିରଫ କରି କୋର୍ଟ ଚାଲାଣ କରିଦେବା ପରେ ଦାୟିତ୍ବ ସାରିଦେଇ ବସି ପଡ଼ୁଛି। ଯେଉଁ କାରଣରୁ ସାମଦ ପାଇଁ ପୁଲିସ ଏକ ପ୍ରକାର ଖେଳନା ପାଲଟି ସାରିଛି।
ସବୁବେଳେ ଅପରାଧ ଘଟାଉଛି, ଗିରଫ ହେଉଛି, ଜେଲ୍ ଯାଉଛି ନହେଲେ ଜାମିନ୍ରେ ବାହାରି ଯାଉଛି। ଏଭଳି ଲଗାତାର ଭାବେ ସାମଦ ପୁଲିସ ସହ ଚୋର ପୁଲିସ ଖେଳି ଚାଲିଛି। ସାମଦ ନାଁରେ ବିଭିନ୍ନ ଥାନାରେ ୧୭ରୁ ଅଧିକ ମାମଲା ରହିଛି। ୧୭ଟି ମାମଲାରୁ ଧନୁପାଲି ଥାନାରେ କେବଳ ୧୬ଟି ମାମଲା ରହିଥିବା ବେଳେ କୁଚିଣ୍ଡା ଥାନାରେ ଗୋଟିଏ ମାମଲା ରହିଛି। ସାମଦ ଧନୁପାଲି ଥାନା ଅଧୀନ ଅଞ୍ଚଳରେ ହିଁ ତାର ଅପରାଧିକ ଆଡ଼ା ବିସ୍ତାର କରିଚାଲିଥିବା ବେଳେ ତା ଉପରେ ପୁଲିସ ବିଭାଗ ନଜର ନରଖିବା ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି। ଗତ ଅଗଷ୍ଟ ମାସ ୮ ତାରିଖରେ ସାମଦ ନାଁରେ ଧନୁପାଲି ଥାନାରେ ଏକ ଅପହରଣ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ପୁଲିସ ସାମଦର ଦ୍ବିତୀୟ ସ୍ତ୍ରୀ ରଜିଆ ଓ ଜଣେ ସାଥୀକୁ ମଧ୍ୟ ଗିରଫ କରିଥିଲା।