କଟକ : କୁଖ୍ୟାତ ମଦ ମାଫିଆ ହାଡ଼ିଆକୁ ହତ୍ୟା

ତିନି ଦୁର୍ବୃତ୍ତ ମିଶି ଖଣ୍ଡାରେ ହାଣିଲେ; ସହଯୋଗୀ ବି ଗୁରୁତର, ହାଡିଆ ନାଁରେ ଥିଲା ୨୫ରୁ ଅଧିକ ମାମଲା

କଟକ : ଦୁର୍ଦ୍ଦାନ୍ତ ଅପରାଧୀ ତଥା କୁଖ୍ୟାତ ମଦ ମାଫିଆ ହାଡ଼ିଆ ଓରଫ ପ୍ରକାଶ ବେହେରା(୪୫)କୁ ଜଘନ୍ୟ ଭାବେ ହତ୍ୟା କରିଛନ୍ତି ତିନି ଜଣ ଦୁର୍ବୃତ୍ତ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଥିବାବେଳେ ଦୁର୍ବୃତ୍ତମାନେ ହାଡ଼ିଆକୁ ଖଣ୍ଡଖଣ୍ଡ କରି ହାଣି ଫେରାର ହୋଇଯାଇଛନ୍ତି। ସତୀଚଉରା ଅଞ୍ଚଳରେ ବେଆଇନ ମଦ କାରବାରରେ ସାମିଲ ଥିବା ହାଡ଼ିଆକୁ ଏଭଳି ହତ୍ୟା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତିନି ଜଣ ଦୁର୍ବୃତ୍ତ ଖଣ୍ଡାରେ ଚୋଟ ମାରି ହାଡ଼ିଆର ହାତ ଓ ଶରୀରକୁ ଏକାଧିକ ସ୍ଥାନରେ ହାଣି ଥିବାବେଳେ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ହାଡ଼ିଆକୁ କଟକ ବଡ଼ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି।

ସୂଚନା ଅନୁଯାୟୀ, ଅଲିଶା ବଜାରର ମୂଳ ବାସିନ୍ଦା ହାଡିଆ ସତୀଚଉରା ଶିବାଜୀ ନଗର ଅଞ୍ଚଳରେ ରହୁଥିଲା। ମଦ ଦୋକାନ ସିଲ୍ ହେବାପରେ ସେ କୃଷକବଜାର ଇପସାର ଗଡ଼ା ନିକଟରେ ଏକ ବାଲିଗୋଡ଼ି ଦୋକାନ କରିଥିଲା। ରାତି ପ୍ରାୟ ୮ଟା ବେଳେ ହାଡ଼ିଆ ତାର ଜଣେ ସହଯୋଗୀ ଘରକୁ ଫେରୁଥିବାବେଳେ ତିନି ଜଣ ଦୁର୍ବୃତ୍ତ ବାଇକରେ ଆସି ସେମାନଙ୍କ ବାଟ ଓଗାଳିବା ସହିତ ଅତର୍କିତ ଆକ୍ରମଣ କରିଥିଲେ। ହାଡ଼ିଆର ହାତ ଓ ମୁଣ୍ଡକୁ ଚୋଟ ମାରିଥିଲେ। ହାଡ଼ିଆ ସହିତ ଥିବା ତା’ର ଜଣେ କର୍ମଚାରୀ ବି ଆକ୍ରମଣର ଶିକାର ହୋଇ ଗୁରୁତର ‌ଅଛି। ଖଣ୍ଡା ଚୋଟ ହାଡ଼ିଆର ବାମ ହାତରେ ବାଜିବାରୁ ସେ ତଳେ ପଡ଼ିଯାଇଥିଲା।

ଦୁର୍ବୃତ୍ତ ହାଡ଼ିଆ ଓ ତାର ସହଯୋଗୀଙ୍କୁ ଚାରି ପାଞ୍ଚ ଚୋଟ ଦେଇ ଫେରାର ହୋଇଯାଇଥିଲେ। ଉଭୟଙ୍କୁ କଟକ ବଡ଼ ମେଡିକାଲ୍ ନିଆଯାଇଥିବାବେଳେ ସେଠାରେ ହାଡ଼ିଆକୁ ମୃତ ଘୋଷଣା କରାଯାଇଥିଲା।

ହାଡ଼ିଆ ବିରୋଧରେ ଲାଲବାଗ, ମର୍କତନଗର ଓ ବିଡାନାସୀ ଥାନାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୫ରୁ ଅଧିକ ମାମଲା ରହିଛି। ବେଆଇନ ମଦ କାରବାରକୁ ନେଇ ଅଧିଂକାଶ ମାମଲା ରହିଛି। ହାଡ଼ିଆ ନିଜ ଉଭଣୀ ମାମି ସହିତ ମିଶି ସିଡିଏ ଅଞ୍ଚଳରେ ବେଆଇନ ମଦ କାରବାର ଦୀର୍ଘଦିନ ହେବ ଚଳାଇ ଆସିଥିଲା। ହାଡ଼ିଆର ଡଗରପଡ଼ା ଅଞ୍ଚଳରେ ଥିବା ଏକ ଭାଟି ଗଲା ଏକବର୍ଷ ତଳେ ଲାଲବାଗ ଥାନା ପୁଲିସ ସିଜ୍ କରିଦେଇଥିଲା। ଏବେ ସେ କୃଷକବଜାର ଓ ସତୀଚଉରା ଅଞ୍ଚଳରେ ପୁଣି ମଦ କାରବାର ଆରମ୍ଭ କରିଦେଇଥିଲା। ତେବେ ଲକଡାଉନ ସମୟରେ ହାଡ଼ିଆ ଶେଷଥର ପାଇଁ ଜେଲ୍ ଯାଇଥିଲା। ଲକଡାଉନ କଟକଣା ସତ୍ତ୍ବେ ବେଆଇନ ଭାବେ ମଦ ବିକ୍ରି କରୁଥିବା ଅଭିଯୋଗରେ ହାଡ଼ିଆ ଜେଲ୍ ଯାଇଥିଲା। ହାଡ଼ିଆ ଧଳସାମନ୍ତ ଗ୍ୟାଙ୍ଗରେ ସାମିଲ ଥିବା ଅଭିଯୋଗ ମଧ୍ୟ ରହିଛି। ମଦ କାରବାର ଶତ୍ରୁତାରୁ ଏଭଳି କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଡିସିପି ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି।

ସମ୍ବନ୍ଧିତ ଖବର