ଭୋଗରାଇ : ଦୁର୍ଦ୍ଦାନ୍ତ ଅପରାଧୀ ଜଗାକୁ ହତ୍ୟା

ଭୋଗରାଇ : ଦୁର୍ଦ୍ଦାନ୍ତ ଅନ୍ତଃରାଜ୍ୟ ଅପରାଧୀ ରତନ ଦାସ ଓରଫ ଜଗା (୩୦)କୁ ଶୁକ୍ରବାର ବିଳମ୍ବିତ ରାତିରେ ତା’ ନିଜ ଗାଁ ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା କୁରୁଠିଆରେ ଡମ୍ପର ଚଢ଼ାଇ ହତ୍ୟା କରାଯାଇଛି। କମର୍ଦ୍ଦା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ରାସ୍ତା ଉପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜଗାର ଶବ ପଡ଼ି ରହିଥିଲା। ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଟ୍ରାକ୍ଟରକୁ ପୁଲିସ ନିକଟସ୍ଥ ଏକ ଗାଁ ଗଳିରୁ ଜବତ କରିଥିବାବେଳେ ଡମ୍ପରଟି ପଡ଼ୋଶୀ ପଶ୍ଚିମବଙ୍ଗ ରାସ୍ତା ଦେଇ ଫେରାର ହୋଇ ଯାଇଥିଲା। ତେବେ ପୁଲିସ ତନାଘନା ଚଳାଇ ଡମ୍ପରଟିକୁ ଜବତ କରିବାରେ ସକ୍ଷମ ହୋଇଛି। ଅନ୍ୟପକ୍ଷରେ ଜଗାର ବାପା ଗୌରାଙ୍ଗ ଦାସଙ୍କ ଅଭିଯୋଗକ୍ରମେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ୩ ଜଣ ସନ୍ଦିଗ୍ଧଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚୁରା କରୁଛି।

ପୁଲିସ ସୂଚନା ମୁତାବକ, ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧୧ଟା ବେଳକୁ ଜଗା କୁରୁଠିଆ ଛକ ନିକଟରେ ପଶ୍ଚିମବଙ୍ଗରୁ ଆସୁଥିବା ଏକ ବାଉଁଶ ବୋଝେଇ ଟ୍ରାକ୍ଟରକୁ ଅଟକାଇ ବଟି ମାଗିଥିଲା। ହେଲେ ଟ୍ରାକ୍ଟର ଚାଳକ ବଟି ଦେବାକୁ ରୋକ୍‌ଠୋକ୍‌ ମନା କରି ଦେଇଥିଲା। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ପ୍ରବଳ ବାକ୍‌ବିତଣ୍ଡା ସାଙ୍ଗକୁ ଗଣ୍ଡଗୋଳ ହୋଇଥିଲା। ପରେ ୪ରୁ ୫ ଜଣ ବ୍ୟକ୍ତି ବାଇକ୍‌ରେ ଆସି ଜଗାକୁ ଧମକଚମକ ଦେବା ସହ ଟ୍ରାକ୍ଟରଟିକୁ ନେଇ ଯାଇଥିଲେ। ଏହାର କିଛି ସମୟ ପରେ ଅନ୍ୟ ଏକ ଡମ୍ପରରେ ପ୍ରାୟ ୨୦ରୁ ଅଧିକ ଲୋକ ଆସି ଜଗାକୁ ଚାରିପଟୁ ଘେରିଯାଇ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଲୁହାରଡ୍‌ରେ ମୁଣ୍ଡ ଓ ଶରୀରର ଅନ୍ୟ ସମ୍ବେଦନଶୀଳ ଅଂଶକୁ ବାଡ଼େଇ ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର