ଦୁର୍ଦ୍ଦାନ୍ତ ସୁନିଲ୍‌ ପୁଲିସ ଗୁଳିରେ ଆହତ

୮ମାସରେ ୮ ଏନ୍‌କାଉଣ୍ଟର

ଗତକାଲି ରାତିରେ କରିଥିଲା ୩ଟି ଜାଗାରେ ବୋମା ମାଡ଼

କଟକ-ମହାନଦୀବିହାର : ଠିକ୍‌ ସାତ ଦିନର ବ୍ୟବଧାନରେ କଟକ ପୁଲିସ ୨୦୧୮ର ଦ୍ୱିତୀୟ ଏନ୍‌କାଉଣ୍ଟର କରିଛି। ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ଓରଫ ସୌମ୍ୟରଂଜନ ସାହୁ (୨୪) ଆହତ ହୋଇଛି। କାଫଲାବଜାର ଅଞ୍ଚଳର ସୁନିଲ ଆଜି ରାତି ପ୍ରାୟ ସାଢେ ନଅଟା ବେଳେ ଚୌଦ୍ୱାର କାଳୀ ମନ୍ଦିର ବୋଧିପଡ଼ିଆ ନିକଟରେ ପୁଲିସ ଉପରକୁ ଗୁଳି ଚଳାଇ ଖସି ଯିବାକୁ ବସିଥିବା ବେଳେ ପୁଲିସର ପାଲଟା ଗୁଳିରେ ଆହତ ହୋଇଛି। ତା’ର ଡାହାଣ ଗୋଡରେ ଗୁଳି ବାଜିଛି। ସୁନିଲକୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଚୌଦ୍ୱାର ଥାନା ଆଇଆଇସି ରଶ୍ମିରଂଜନ ମହାପାତ୍ର ଏହି ଏନକାଉଣ୍ଟରର ନେତୃତ୍ୱ ନେଇଥିବା ବେଳେ ଏସିପି ତ୍ରିନାଥ ମିଶ୍ର ଓ ଚୌଦ୍ୱାର ଥାନାର ଅନ୍ୟ ପୁଲିସ ଅଧିକାରୀ ଏଥିରେ ସହଯୋଗ କରିଥିଲେ।

ସୂଚନା ଅନୁଯାୟୀ ଧଳ ସାମନ୍ତ ଗ୍ୟାଙ୍ଗର ଅନ୍ୟତମ ପ୍ରମୁଖ ସଦସ୍ୟ କୁହାଯାଉଥିବା ସୁନିଲ ଗଲା କିଛି ଦିନ ତଳେ ଜେଲ୍‌ରୁ ବାହାରିଥିଲା। ଗତକାଲି ରାତି ପ୍ରାୟ ଗୋଟାଏରୁ ସାଢେ ଗୋଟାଏ ମଧ୍ୟରେ ଅଲିଶା ବଜାରର ଗଗନ ମୂଳିଆ, କାଫଲା ବଜାରର ଜାନୁ ଜେନା ଏବଂ ପୂଜା ମଣ୍ଡପ ଉପରେ ବୋମା ମାଡ କରିଥିଲା। ସୁନିଲର ଆକ୍ରମଣରେ ଜାନୁ ଜେନା ଆହତ ମଧ୍ୟ ହୋଇଥିଲା। ଏ ସଂପର୍କରେ ଲାଲବାଗ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲା। ସୁନିଲ ଓ ତା’ର ଅନ୍ୟ ୩ ସହଯୋଗୀ ଗତକାଲି ରାତିରେ ଦୁଇଟି ବାଇକରେ ଯାଇ ଏଭଳି କାଣ୍ଡ କରିଥିବା ବେଳେ ଆଜି ଆହୁରି ବୋମା ମାଡ ଯୋଜନାରେ ଚୌଦ୍ୱାରରୁ ବୋମା ସଂଗ୍ରହ ପାଇଁ ଯାଇଥିଲେ। ଏ ସଂପର୍କରେ ଖବର ପାଇ ଚୌଦ୍ୱାର ଥାନା ଆଇଆଇସି ରଶ୍ମିରଂଜନ ମହାପାତ୍ରଙ୍କ ନେତୃତ୍ୱରେ ପୁଲିସ ଟିମ୍‌ ସେମାନଙ୍କ ପିଛା କରିଥିଲା।

ଏକ ନମ୍ବର ବିହୀନ ୟାମାହା ବାଇକରେ ସୁନିଲ ଖସି ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ସୁନିଲ ସେଠାରୁ ଦ୍ରୁତଗତିରେ ପଳାଇବାକୁ ଉଦ୍ୟମ କରିଥିଲା। ସୁନିଲ ବାଇକରୁ ଖସି ପଡିବାରୁ ବାଇକ ଛାଡି ଦୌଡିବାକୁ ଉଦ୍ୟମ କରିଥିଲା। ଏବଂ ପୁଲିସ ଉପରକୁ ଗୁଳି ଚଳାଇଥିଲା। ସେହି ଗୁଳିଟି କାହା ଦେହରେ ନ ବାଜିବାରୁ ସେ ପୁଣି ଗୁଳି ଚଳାଇବାକୁ ଉଦ୍ୟମ କରିବାରୁ ସୁରକ୍ଷା ପାଇଁ ଚୌଦ୍ୱାର ଥାନା ଆଇଆଇସି ଶ୍ରୀ ମହାପାତ୍ର ଗୁଳି ଚଳାଇଥିଲା। ଗୁଳିଟି ସୁନିଲର ଗୋଡରେ ବାଜିବାରୁ ସେ ସେଠାରେ ପଡି ଯାଇଥିଲା। ପୁଲିସ କର୍ମଚାରୀମାନେ ତାକୁ କାବୁ କରି ନେଇଥିଲେ। କିନ୍ତୁ ସୁନିଲ୍‌ ସହ ଗୋଡାଗୋଡି ଟଣାଓଟରାରେ କନଷ୍ଟେବଳ ଭକ୍ତଚରଣ ମିଶ୍ର ଓ ବିଶ୍ୱରଂଜନ ଦାସ ଆହତ ହୋଇଛନ୍ତି। ସୁନିଲ ନିକଟରୁ ଗୋଟିଏ ୯ଏମ୍‌ଏମ୍‌ ପିସ୍ତଲ, ୩ ରାଉଣ୍ଡ ଗୁଳି ଓ ବାଇକ୍‌ ଜବତ ହୋଇଛି। ତା’ ନାମରେ ୧୦ଟି ସଂଗୀନ ମାମଲା ରହିଛି।

ଏଠାରେ ସୂଚନାଯୋଗ୍ୟ ଯେ ଗତ ୪ ତାରିଖ ଗୁରୁବାର ଦିନ କଟକ ସଦର ଥାନା ଅନ୍ତର୍ଗତ ବଢେଇ ସାହି ନିକଟରେ ନୟାଗଡ଼ର ଦୁର୍ଦ୍ଦାନ୍ତ ଅପରାଧୀ ତ୍ରିଲୋଚନ ନାୟକ ଓରଫ ବୁଦ୍ଧିଆ ପୁଲିସ ଏନକାଉଣ୍ଟରର ଶିକାର ହୋଇଥିଲା। ଆଜି ବି ଗୁରୁବାର ଦିନ ଚୌଦ୍ୱାର ଥାନା ପୁଲିସ ସୁନିଲକୁ ଏନକାଉଣ୍ଟର କରିଛି। ରେକର୍ଡ ଅନୁଯାୟୀ ପୂର୍ବରୁ ୨୦୧୭ ଏପ୍ରିଲ୍‌ ୧୭ରେ ସେକ୍‌ ବାବୁ, ଅଗଷ୍ଟ ୧୫ରେ ରଘୁ ଓରଫ ରଘୁନାଥ ଦାସ, ସେପ୍ଟେମ୍ବର ୫ରେ ସେକ୍‌ ରାହୁଲ୍‌, ସେପ୍ଟେମ୍ବର ୨୫ରେ କାଳନ୍ଦୀ ଖୁଣ୍ଟିଆ, ଅକ୍ଟୋବର ୧୭ରେ ଖୋକନ ଓରଫ ପିନାକୀ ରଂଜନ ବାରିକ, ଡିସେମ୍ବର ୮ ତାରିଖରେ ତପନ ନାୟକକୁ ପୁଲିସ ଏନକାଉଣ୍ଟର କରିଥିଲା। ଅର୍ଥାତ ଗଲା ୮ ମାସ ଭିତରେ କଟକ ପୁଲିସର ଏନକାଉଣ୍ଟର ସଂଖ୍ୟା ୮ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର