ଦୁର୍ଦ୍ଦାନ୍ତ ଅପରାଧୀ ସ୍ଥାନାନ୍ତର ହେଲେ ପ୍ରଥମେ ଡିଜି ଅଫିସ୍‌କୁ ସୂଚନା

ହାଇଦର୍‌ ଫେରାର୍‌ ପରେ ବୁଦ୍ଧି ଶିଖିଲା ପୁଲିସ, ୪୮ ବର୍ଷ ହେଲା ବଦଳିନି ପୁଲିସ ମାନୁଆଲ୍‌

କଟକ : ଗ୍ୟାଙ୍ଗ୍‌ଷ୍ଟର୍‌ ହାଇଦର୍‌ ଫେରାର୍‌ ହେବା ପରେ ପୁଲିସ ବିଭାଗର ଚେତାପଶିଛି। ଏବେ ଦୁର୍ଦ୍ଦାନ୍ତ ଅପରାଧୀମାନେ ଯେତେବେଳେ ଜେଲ୍‌ରୁ ହସ୍‌ପିଟାଲ୍‌, ଜେଲ୍‌ରୁ କୋର୍ଟ କିମ୍ବା ଗୋଟିଏ ଜେଲ୍‌ରୁ ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର ହେବେ, ସେ ସମ୍ପର୍କରେ ଜେଲ୍‌ ଅଧୀକ୍ଷକଙ୍କ ପକ୍ଷରୁ ପୁଲିସ ଡିଜି ଅଫିସକୁ ପ୍ରଥମେ ଅବଗତ କରାଯିବ। ଯେଉଁ ରାସ୍ତାରେ ଏହି ଦୁର୍ଦ୍ଦାନ୍ତ ଅପରାଧୀମାନେ ଆସିବେ ସେହି ରୁଟ୍‌ ଲାଇନ୍‌ରେ ଥିବା ସମସ୍ତ ଥାନାଗୁଡ଼ିକୁ ଆଲର୍ଟ କରାଯିବ। କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଏସ୍‌କର୍ଟ କରାଯିବାକୁ ଯୋଜନା ହୋଇଥିବା ସୂଚନା ମିଳିଛି।

୧୮୬୧ରେ ପ୍ରସ୍ତୁତ ହୋଇଥିବା ଓଡ଼ିଶା ପୁଲିସ ମାନୁଆଲ୍‌ ଶେଷଥର ପାଇଁ ୧୯୭୩ରେ ସ˚ଶୋଧନ କରାଯାଇଥିଲା। ୪୮ ବର୍ଷ ହେଲା ସେହି ପୁରୁଣା ମାନୁଆଲ୍‌ ଅନୁଯାୟୀ ପୁଲିସ ବିଭାଗ କାର୍ଯ୍ୟ କରୁଛି। ସେହି ସମୟରେ ଅପରାଧ ଓ ଅାପରାଧିକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଜଣେ ଅପରାଧୀ ଯେତେବେଳେ ଜେଲ୍‌ରୁ ହସ୍‌ପିଟାଲ୍‌, ଜେଲ୍‌ରୁ କୋର୍ଟ କିମ୍ବା ଗୋଟିଏ ଜେଲ୍‌ରୁ ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର ହେଉଥିଲା, ସେଥିପାଇଁ ଏସ୍‌କର୍ଟ ରୁଲ୍‌ ଅନୁଯାୟୀ, ମାତ୍ର ‘ଵାନ ଫୋର୍ଥ ଗାର୍ଡ’ (ଜଣେ ହାବିଲ୍‌ଦାର ଓ ୪ କନଷ୍ଟେବଳ)ଙ୍କୁ ନିୟୋଜିତ କରାଯାଉଥିଲା। ଏବେ ବି ସେହି ବ୍ୟବସ୍ଥା ରହିଥିବାରୁ ହାଇଦର‌୍‌ ଭଳି ଗ୍ୟାଙ୍ଗଷ୍ଟର‌୍‌ କଟକ ବଡ଼ ଡାକ୍ତରଖାନାରୁ ଫେରାର୍‌ ହେବାରେ ସକ୍ଷମ ହୋଇଥିବା କୁହାଯାଉଛି। ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଏସ୍‌କର୍ଟ ପାଇଁ ସର୍ବନିମ୍ନ ଜଣେ ଇନସ୍ପେକ୍ଟର କିମ୍ବା ଏସଆଇଙ୍କ ନେତୃତ୍ବରେ ଗୋଟିଏ ସେକ୍ସନ୍‌ ବନ୍ଧୁକଧାରୀ ଫୋର୍ସ ନିୟୋଜିତ ହେବାର ଆବଶ୍ୟକତା ରହିଛି।

ଏହାକୁ ଦୃଷ୍ଟିରେ ରଖି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଏସ୍‌କର୍ଟ କରାଯିବାକୁ ଯୋଜନା କରାଯାଇଛି। ଗୋଟିଏ ସେକ୍ସନ ଫୋର୍ସରେ ଜଣେ ହାବିଲଦାର‌୍‌ ଓ ୭ କନେଷ୍ଟବଳ ରହିବେ। ଏମାନଙ୍କ ନେତୃତ୍ବ ଜଣେ ପୁଲିସ ଅଫିସର ନେବେ। ଯଦ୍ବାରା ସୁରକ୍ଷା କ୍ଷେତ୍ରରେ ଉତ୍ତରଦାୟିତ୍ବ ବଢ଼ିବ। କିନ୍ତୁ ଏଭଳି ଏସ୍‌କର୍ଟ ବ୍ୟବସ୍ଥା ଏବେ ଗ୍ୟାଙ୍ଗଷ୍ଟର୍‌ ସୁଶାନ୍ତ ଓ ସୁଶିଲ ଧଳସାମନ୍ତଙ୍କ କ୍ଷେତ୍ରରେ କମିସନରେଟ୍‌ ପୁଲିସ ବ୍ୟବହାର କରୁଛି। ଏହି ଦୁଇ ଭାଇ ଯେତେବେଳେ ବାଲେଶ୍ବର ଏବ˚ ବଲାଙ୍ଗିର ଜେଲ୍‌ରୁ କଟକ କୋର୍ଟକୁ ଶୁଣାଣି ପାଇଁ ଆସୁଛନ୍ତି, ସେମାନଙ୍କୁ ଏଭଳି କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ କମିସନରେଟ୍‌ ପୁଲିସ ଆଣୁଛି। ରାଜ୍ୟରେ ସମସ୍ତ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଏସ୍‌କର୍ଟ ପାଇଁ ଏଭଳି ସୁରକ୍ଷା ବ୍ୟବସ୍ଥା କରାଯିବାର ଆବଶ୍ୟକତା ଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷ‌ରେ, ହାଇଦର ଫେରାର ‌ଘଟଣାରେ ରାଜ୍ୟ ପୁଲିସ ଗୁଇନ୍ଦା ବିଭାଗର ଉପଯୋଗିତାକୁ ନେଇ ପ୍ରଶ୍ନ ଉଠୁଛି। ପୁଲିସ ମୁଖ୍ୟାଳୟ ଥିବା କଟକ ସହରରେ ଗ୍ୟାଙ୍ଗଷ୍ଟର‌୍‌ ହାଇଦର‌୍‌ ୧୯ ଦିନ ଧରି ରହିଥିଲେ ବି ଏ ଖବର କ୍ରାଇମବ୍ରାଞ୍ଚର ଗୁଇନ୍ଦା କିମ୍ବା ଜିଲ୍ଲା ଡିସିଆଇବିର ଅଧିକାରୀମାନେ ଜାଣିପାରିଲେ ନାହିଁ କେମିତି? କ୍ରାଇମବ୍ରାଞ୍ଚର ସିଆଇଡି ଏବ˚ ଜିଲ୍ଲା ସ୍ତରରେ ଡିସିଆଇବି ମୁଖ୍ୟତଃ ଅପରାଧ ଓ ଅପରାଧୀଙ୍କ ଗତିବିଧି ଉପରେ ଗୁଇନ୍ଦା ତଥ୍ୟ ସ˚ଗ୍ରହ କରୁଥିବା ବେଳେ ଏବେ ଏହି ଶାଖା ରାଜ୍ୟରେ ଏକ ପ୍ରକାର ନିଷ୍କ୍ରିୟ ହୋଇପଡ଼ିଛି। ସିଆଇଡି ଏବ˚ ଡିସିଆଇବିର ଅଧିକାରୀମାନେ ସାଦା ପୋଷାକରେ ଏଣେତେଣେ ବୁଲି ଗୁଇନ୍ଦା ତଥ୍ୟ ସ˚ଗ୍ରହ କରିଥାନ୍ତି। କିନ୍ତୁ ହାଇଦର‌୍‌ ୧୯ ଦିନ ଧରି କଟକ ବଡ଼ ମେଡିକାଲରେ ରହି ବିଭିନ୍ନ ୱାର୍ଡକୁ ଯିବା, ତା ସହିତ ଆସିଥିବା ପୁଲିସ ଲଜ୍‌ରେ ରହିବା ଭଳି ଘଟଣା ସଂପର୍କରେ ପୁଲିସ ଗୁଇନ୍ଦା ବିଭାଗ ସଂପୂର୍ଣ୍ଣ ଅନ୍ଧାରରେ ଥିଲା। ନିୟମ ଅନୁଯାୟୀ, ଯେତେବେଳେ ଜଣେ ଅପରାଧୀ ଜେଲ୍‌ରୁ କୌଣସି ମେଡିକାଲ୍‌କୁ ଚିକିତ୍ସା ପାଇଁ ଆସୁଛି, ଅପରାଧୀର ଏସ୍‌କର୍ଟ ଦାୟିତ୍ବରେ ଥିବା ପୁଲିସ କର୍ମଚାରୀ ଆରଓ (ରିଜର୍ଭ ଅଫିସ)ଙ୍କ ଦ୍ବାରା ଜାରି ହୋଇଥିବା କମାଣ୍ତ୍‌ ସାର୍ଟିଫିକେଟ୍‌ ଡାକ୍ତରଖାନା ନିକଟରେ ଥିବା ଥାନାରେ ଦାଖଲ ହେବା କଥା। ଥାନା ପକ୍ଷରୁ ଜିଲ୍ଲା ଡିସିଆଇବି ମାଧ୍ୟମରେ ଏ ସଂପର୍କରେ କ୍ରାଇମବ୍ରାଞ୍ଚ ସିଆଇଡିକୁ ଅବଗତ କରାଯିବ। ସିଆଇଡି କିମ୍ବା ଡିସିଆଇବିର ପୁଲିସ ଅଧିକାରୀମାନେ ସାଦା ପୋଷାକରେ ସମ୍ପୃକ୍ତ ଅପରାଧୀ ଉପରେ ୨୪ ଘଣ୍ଟା ନଜର ରଖିବେ। କିନ୍ତୁ ହାଇଦର‌ ମାମଲାରେ ଏ ସମସ୍ତ ଦିଗକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। ଏଥିରେ ଖିଲାପ କରିଥିବା ଅଧିକାରୀଙ୍କ ବିରୋଧରେ ବି ପୁଲିସ କୌଣସି ପଦକ୍ଷେପ ‌ନ ନେଇ ହାତ ବାନ୍ଧିବସିଛି।

ସମ୍ବନ୍ଧିତ ଖବର