କୁଖ୍ୟାତ ନିଶା ମାଫିଆ କାଜାବାଲ୍‌ ହାଇଦ୍ରାବାଦରୁ ଗିରଫ

ଭୁବନେଶ୍ବର: କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଓ ମାଲକାନଗିରି ଥାନା ପୁଲିସ୍‌ ମିଳିତ ଚଢ଼ଉ କରି କୁଖ୍ୟାତ ନିଶାମାଫିଆ ଥାଇଲିଶ୍ୟାମ୍‌ ସୁନ୍ଦେର ଓରଫ କାଜାବାଲ୍‌(୨୯)କୁ ହାଇଦ୍ରାବାଦରୁ ଗିରଫ କରିଛି। ଗତ ୨୦୨୧ ଅକ୍ଟୋବର ୩ ତାରିଖ ଦିନ ମାଲକାନଗିରି ଚିତ୍ରକୋଣ୍ଡା ଥାନା ପୁଲିସ ପାଟ୍ରୋଲିଂ ବେଳେ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଆମ୍‌ଲାପୁରମ୍‌ ଅଞ୍ଚଳର ଏନ୍‌. ବଳୁ ନାମକ ଜଣେ ନିଶା ମାଫିଆକୁ ଗିରଫ କରିଥିଲା। ତା’ଠାରୁ ପୁଲିସ୍‌ ଗୋଟିଏ ଟାଟା ଏସ୍‌ ସହ ୧୦୫୧ କେଜି(ପାଖାପାଖି କୋଟିଏ ଟଙ୍କାର) ଗଞ୍ଜେଇ ଜବତ କରିଥିଲା। ପୁଲିସ ତାକୁ ଜେରା କରିବାରୁ କାଜାବାଲ୍‌ ସଂପର୍କରେ ଜାଣିବାକୁ ପାଇଥିଲା। କାଜାବାଲ ପାଇଁ ସେ କାମ କରୁଥିଲା ଓ ତା’ରି ନିର୍ଦ୍ଦେଶ‌ରେ ବଳୁ ଠିକଣା ଜାଗାରେ ଗଂଜେଇ ପହଞ୍ଚାଉଥିଲା। କିନ୍ତୁ କାଜାବାଲ ପୁଲିସ୍‌କୁ ଚକ୍‌ମା ଦେଇ ବାରମ୍ବାର ଫେରାର୍‌ ହେବାରେ ସକ୍ଷମ ହେଉଥିଲା। ଏପରିକି ଏସ୍‌ଟିଏଫ୍‌ ହାତରୁ ମଧ୍ୟ ସେ ଥରେ, ଦୁଇଥର ଖସିଯାଇଥିଲା। ତେବେ ସେ ହାଇଦ୍ରାବାଦର ଆମ୍ବେରପେଟ୍‌ସ୍ଥିତ ଶ୍ରୀକ୍ରିଷ୍ଣାନଗରରେ ଲୁଚିଥିବା ଖବର ପାଇ ଏସ୍‌ଟିଏଫ୍‌ ଚଢ଼ଉ କରିଥିଲା। ଏଥିରେ ମାଲକାନଗିରି ଥାନା ପୁଲିସ୍‌ ସହାୟତା କରିଥିଲା। ତାକୁ କାବୁ କରିବା ପରେ ହାଇଦ୍ରବାଦ କୋର୍ଟରେ ହାଜର କରାଯାଇ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଅଣାଯାଇଥିଲା। ପରେ ମାଲ୍‌କାନଗିରି ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ତା’ ଜାମିନ୍‌ ନାମଂଜୁର ହେବାରୁ ତାକୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର