ରାଜ୍ୟରେ ମାତିଛନ୍ତି କୁଖ୍ୟାତ ମୂର୍ତ୍ତି ଚୋର ର‍୍ୟାକେଟ୍‌: ଅସୁରକ୍ଷିତ ଭଗବାନ, ଅସହାୟ ପୁଲିସ

କୋଟି କୋଟିର ବେପାର, ଧରାପଡ଼ୁନି ଗ୍ୟାଙ୍ଗ ଲିଡର୍‌

ଭୁବନେଶ୍ବର,(ଶୁଭକାନ୍ତ ପଢ଼ିହାରୀ): ମଣିଷର ଅସୁବିଧା ହେଲେ ସେ ଭଗବାନଙ୍କ ପାଖରେ ଶରଣ ନିଏ। ନିଜକୁ ଉଦ୍ଧାର କରିବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରେ। କିନ୍ତୁ ଭଗବାନ ନିଜେ ଅସହାୟ ହୋଇ ପଡ଼ିଛନ୍ତି। ଗୋଟିଏ ପରେ ଗୋଟିଏ ମନ୍ଦିରରୁ ଭଗବାନଙ୍କ ମୂର୍ତ୍ତି ଚୋରି ଏବେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ପୁରୀ ଜିଲ୍ଲା ସତ୍ୟବାଦୀ, ଚନ୍ଦନପୁରର ଏକାଧିକ ପ୍ରାଚୀନ ମନ୍ଦିରରୁ ଦୁର୍ମୂଲ୍ୟ ଅଷ୍ଟଧାତୁ ମୂର୍ତ୍ତି ଚୋରି ଘଟଣାର ପର୍ଦ୍ଦାଫାସ୍ କରି ଗତକାଲି ପୁଲିସ ବାହା ବାଃ ନେବାର ୨୪ ଘଣ୍ଟା ନ ପୂରୁଣୁ ଆଉ ଏକ ଘଟଣା ଚାରିଆଡ଼େ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗତକାଲି ବିଳମ୍ବିତ ରାତିରେ ପୁରୀ ଜିଲ୍ଲା କଣାସ ବ୍ଲକ୍‌ ଗଡ଼ିଶାଗୋଦା ଥାନା ବକୁ ପଞ୍ଚାୟତ ଶ୍ରୀମୁକୁନ୍ଦପୁର ଗାଁର ପ୍ରାୟ ୫ ଶହ ବର୍ଷ ପୁରୁଣା ଈଶାନେଶ୍ବର ମନ୍ଦିରରୁ ଶିବ, ପାର୍ବତୀ, ରାଧାକୃଷ୍ଣଙ୍କ ମୂର୍ତ୍ତି ଚୋରି ହୋଇଛି। ଏକ ଦମ୍ପତିଙ୍କୁ ଗିରଫ କରି ପୁଲିସ ସେମାନଙ୍କ ପାଖରୁ ୧୦ ମୂର୍ତ୍ତି ଉଦ୍ଧାର କରି ସାମ୍ବାଦିକ ସମ୍ମିଳନୀ କରି ବାହାଦୁରି ନେଇଥିଲା, କିନ୍ତୁ ଚୋର ପାଖରେ ପହଞ୍ଚି ପାରି ନ ଥିଲା। ବଲିଉଡ୍ ଫିଲ୍ମ ‘ଧୁମ୍’ ଷ୍ଟାଇଲରେ ଚ୍ୟାଲେଞ୍ଜ ଦେଇ ପୁଣି ମୂର୍ତ୍ତି ଲୁଟିଛନ୍ତି ଚୋର।

ଏ ତ ଗଲା ପୁରୀ କଥା। କିନ୍ତୁ ରାଜଧାନୀ ଭୁବନେଶ୍ବରେ ମାତ୍ର ୧୫ ଦିନ ବ୍ୟବଧାନରେ ଦୁଇ ଦୁଇଟି ମନ୍ଦିରରୁ ବଡ଼ଧରଣର ପ୍ରାଚୀନ ମୂର୍ତ୍ତି ଚୋରି ଘଟଣାରେ ପୁଲିସ ସାମାନ୍ୟତମ ସୁରାକ୍ ପାଇବାରେ ବିଫଳ ହୋଇଛି। ଗତବର୍ଷ ନଭେମ୍ବର ୧୭ ତାରିଖରେ ପାହାଳ ଥାନା ନହରକଣ୍ଟାରେ ସ୍ବପ୍ନେଶ୍ବର ମନ୍ଦିରରୁ ପାର୍ବତୀ, ଚନ୍ଦ୍ରଶେଖରଙ୍କ ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଥିଲା। ଏହାର ଠିକ୍ ୧୫ ଦିନ ପରେ ଅର୍ଥାତ୍ ଡିସେମ୍ବର ୧ ତାରିଖରେ ବାଲିଅନ୍ତା ଥାନା ଭିଙ୍ଗାରପୁରରେ ପ୍ରାୟ ୩ ଶହ ବର୍ଷ ପୁରୁଣା ଗୋପୀନାଥ ମନ୍ଦିରରେ କଳାକନା ବୁଲାଇଥିଲେ ଦୁର୍ବୃତ୍ତ। ଗୋପୀନାଥ ଦେବଙ୍କ ଚଳନ୍ତି ପ୍ରତିମା, ରାଧା, ଗଣେଶ, ଲକ୍ଷ୍ମୀ, ସରସ୍ବତୀଙ୍କ ସହ ୮ଟି ଅଷ୍ଟଧାତୁ ମୂର୍ତ୍ତି ଲୁଟି ନେଇଥିଲେ ଦୁର୍ବୃତ୍ତ। କମିସନରେଟ ପୁଲିସ ମଧ୍ୟ ଏହି ଘଟଣାର ଟେର୍ ପାଉନି। ଗତ କିଛି ମାସ ମଧ୍ୟରେ ଘଟିଥିବା ଇଏ କିଛି ଘଟଣା ମାତ୍ର। କିନ୍ତୁ ଉପକୂଳ ଓ ମଧ୍ୟବର୍ତ୍ତୀ ଜିଲ୍ଲାରେ ଥିବା ମନ୍ଦିର ଅସୁରକ୍ଷିତ ହୋଇ ପଡ଼ିଛି। ଚୋରି ବଢ଼ି ବଢ଼ି ଚାଲିଛି। ବିପୁଳ ପରିମାଣର ମୂର୍ତ୍ତି ଚୋରି ଘଟଣାର ପର୍ଦ୍ଦାଫାସ୍ ନ ହୋଇ ପଡ଼ି ରହିଛି। ଅନେକ ମାମଲାରେ ପୁଲିସ ଫେଲ୍ ମାରିଥିବା ବେଳେ ବହୁ ପ୍ରାଚୀନ ମୂର୍ତ୍ତିର ସନ୍ଧାନ ମିଳିପାରୁନି। ଏ ସବୁ ମୂର୍ତ୍ତି ବିଦେଶକୁ ଚାଲାଣ ହୋଇଥିବା ସ୍ପଷ୍ଟ ହୋଇଛି।

 

ନେପାଳ, ବାଂଲାଦେଶ ଦେଇ ବିଦେଶକୁ ହେଉଛି ଚାଲାଣ
ପାର୍ବତୀ, ବିଷ୍ଣୁ, ରାଧାକୃଷ୍ଣ, ଚନ୍ଦ୍ରଶେଖର ପ୍ରାଚୀନ ମୂର୍ତ୍ତି ଉପରେ ନଜର

ଆମେରିକା, ୟୁରୋପରେ ଭାରତୀୟ ପ୍ରାଚୀନ ମୂର୍ତ୍ତିର ଚାହିଦା ଯଥେଷ୍ଟ ଅଧିକ ରହିଥିବା ବେଳେ ଏହା କୋଟି କୋଟି ଟଙ୍କାର ବେପାର ହୋଇଥାଏ। ଏହା ପଛରେ ଅନ୍ତଃରାଜ୍ୟ ରୢାକେଟର ହାତ ରହିଥିବା ସ୍ପଷ୍ଟ ହୋଇଛି। କିନ୍ତୁ ଏହି ମୂର୍ତ୍ତି ଚୋର ରାକେଟ କେଉଁ ଅଞ୍ଚଳର ତାହାର ସାମାନ୍ୟତମ ଟେର୍ ପାଇ ପାରି ନାହିଁ ପୁଲିସ। ଯାହା ପୁଲିସ ପାଇଁ ଅଡ଼ୁଆ ବଢ଼ାଇଛି। ଆଗକୁ ବଡ଼ ମନ୍ଦିର ଯେ ଟାର୍ଗେଟ ନ ହେବ ତାହା କେହି କହିପାରିବେ ନାହିଁ। କାରଣ ବିଗତ ଦିନର ଅନ୍ତଃରାଜ୍ୟ କୁଖାତ ମୂର୍ତ୍ତି ଚୋର ସନ୍ତୋଷ ଦାଶ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିରରୁ ଚୋରି କରି ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଖାଲି ଓଡ଼ିଶା ନୁହେଁ କର୍ଣ୍ଣାଟକ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ଚୋରି କରିଛି। ତାମିଲନାଡ଼ୁର ଏକ ମାମଲାରେ ୨୦୨୦ରେ ଦଣ୍ଡିତ ହୋଇ ଏବେ କୋଏମ୍ବାଟୁର ସେଣ୍ଟ୍ରାଲ ଜେଲରେ ସଜା କାଟୁଛି।

ଏକ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୂର୍ତ୍ତି ଚୋରି ପଛରେ ରାଜସ୍ଥାନ ଓ ବିହାରର ଏକାଧିକ ଗ୍ୟାଙ୍ଗର ହାତ ରହିଛି। ସେମାନେ ଗତ କିଛିମାସ ହେବ ଓଡ଼ିଶାରେ ଡେରା ପକାଇ ମନ୍ଦିରରୁ ଚୋରି କରୁଥିବା ଜଣାପଡ଼ିଛି। ଏପରିକି କିଛି ମୂର୍ତ୍ତିକୁ ତରଳାଇ ଅନ୍ୟ ମୂର୍ତ୍ତି ତିଆରି କରି ଦେଉଛନ୍ତି।

ଗତ ଜାନୁଆରୀରେ ଚେନ୍ନାଇ ପୁଲିସ ମୂର୍ତ୍ତି ଚୋରି ଘଟଣାର ପର୍ଦ୍ଦାଫାସ୍ କରିବା ସହ ଜାଭେଦ୍ ଶାହା ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଥିଲା। ଇଣ୍ଡିଆନ୍ କଟେଜ୍ ଏମ୍ପୋରିଅମ୍ ଖୋଲି ସେଠାରେ ବିକ୍ରି କରୁଥିଲା ମୂର୍ତ୍ତି। ୧୧ଟି ମୂର୍ତ୍ତି ଉଦ୍ଧାର ହୋଇଥିବା ବେଳେ ସେଥିରେ ୮ଟି ପ୍ରାଚୀନ ଥିଲା ବୋଲି ଜଣାପଡ଼ିଥିଲା। ଅଧିକାଂଶ ମୂର୍ତ୍ତି ପାର୍ବତୀଙ୍କର ଥିଲା। ତେଣୁ ଓଡ଼ିଶାରୁ ଚୋରି ହେଉଥିବା ମୂର୍ତ୍ତି ସେହିଭଳି କିଛି ପ୍ରାଚୀନ ସାମଗ୍ରୀ ସୋ’ରୁମରେ ମଧ୍ୟ ବିକ୍ରି ହେଉଥିବା ଅନୁମାନ କରାଯାଉଛି। ବିହାର ଦେଇ ନେପାଳକୁ ଚାଲାଣ ହେଉଥିବା ବେଳେ ପଶ୍ଚିମବଙ୍ଗ ଦେଇ ବାଂଲାଦେଶକୁ ଯାଉଛି। ସେଠାରୁ ଅନ୍ୟ ଦେଶକୁ ଚାଲାଣ ହେଉଥିବା ଜଣାପଡ଼ିଛି।

୨୦୧୯ରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ସୟଦ ଜିଲନୁରକୁ ଗିରଫ କରିବା ସହ ଦୁଇଟି ଅଷ୍ଟଧାତୁ ମୂର୍ତ୍ତି ଜବତ କରିଥିଲା। ଜିଲନୁର୍ ମୋବାଇଲ ଫୋନରୁ ନେପାଳ ପର୍ଯ୍ୟନ୍ତ ଚେର ଲମ୍ବିଥିବା ଜାଣିବାକୁ ପାଇଥିଲା। କିନ୍ତୁ ଏହା ପରେ ଏସଟିଏଫ୍ ତଦନ୍ତ ଆଉ ଆଗକୁ ଯାଇ ନ ପାରି ସେଠାରେ ଅଟକି ଯାଇଥିଲା।

କ୍ରାଇମବ୍ରାଞ୍ଚ ତଦନ୍ତ ହେବ କି?
ପ୍ରାଚୀନ ମନ୍ଦିରରୁ ବହୁ ମୂଲ୍ୟ ଅଷ୍ଟଧାତୁ ମୂର୍ତ୍ତି ଚୋରି ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। କିନ୍ତୁ ଚୋରକୁ ଧରିବାରେ ଫେଲ୍ ମାରିଛି ପୁଲିସ। ବର୍ତ୍ତମାନ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇ ପଡ଼ିଥିବା ବେଳେ କ୍ରାଇମବ୍ରାଞ୍ଚକୁ ତଦନ୍ତଭାର ଦିଆଯିବ କି ବୋଲି ଡିଜିପି ସୁନୀଲ ବଂଶଲଙ୍କୁ ପଚାରିଥିଲୁ। କିନ୍ତୁ ସେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି।

ସମ୍ବନ୍ଧିତ ଖବର