ବାରିପଦା: ଓଡ଼ିଶାରୁ ବାଘ ବଂଶ ନିପାତ କରିବାକୁ ସତେ ଯେମିତି ପଣ କରିଛନ୍ତି ଶିକାରୀ। ଗତ ୧୦ ବର୍ଷରେ ରାଜ୍ୟରେ ୨୫ଟି ବାଘଙ୍କୁ ଶିକାରୀମାନେ ହତ୍ୟା କରିଥିବା ନେଇ ଗତ ମଙ୍ଗଳବାର ଦିନ ବିଧାନସଭାରେ ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ। ତେବେ ଅସଲରେ ସରକାରଙ୍କ ତଥ୍ୟଠାରୁ ବହୁ ଅଧିକ ସଂଖ୍ୟାରେ ବାଘ ଶିକାର ହୋଇଛି। ଖାସ୍‌କରି ଶିମିଳିପାଳ ଜାତୀୟ ଉଦ୍ୟାନରେ ଶିକାରୀଙ୍କ ପାଇଁ ମହାବଳ ବାଘ ବଂଶ ଏବେ ବିପଦରେ ପଡ଼ିଛି।

Advertisment

 ଅଢ଼େଇ ବର୍ଷ ଧରି ଲୁଚିଥିଲା
୪ ସହଯୋଗୀ ବି ଧରାପଡ଼ିଲେ
୩ ବନ୍ଧୁକ, ୮୦ ଧନୁତୀର ସହ ବାଘଦାନ୍ତ ଜବତ

ତେବେ ବାଘ ଶିକାର ରୋକିବା କ୍ଷେତ୍ରରେ ମୟୂରଭଞ୍ଜ ବନ ବିଭାଗକୁ ମିଳିଛି ବଡ଼ ସଫଳତା। ଆଜି ଶିମିଳିପାଳ ଦକ୍ଷିଣ ଡିଭିଜନ ଓ ବାରିପଦା ଡିଭିଜନ୍‌ର ମିଳିତ ଚଢ଼ଉ ବେଳେ ଧରାପଡ଼ିଛି ମୋଷ୍ଟୱାଣ୍ଟେଡ୍‌ ଶିକାରୀ ହାପାନ୍ନା ଓରଫ ମୋହତ କିସ୍କୁ। ତା’ସହ ଉଦଳା ଥାନା ଅନ୍ତର୍ଗତ ଖଣ୍ଡାଚିରା ଗାଁର ସାଉରୁ ମୁର୍ମୁ, ନିତାଇ ମୁର୍ମୁ ଓ ଥିପୁଲ ହେମ୍ବ୍ରମ ବି ଧରାପଡ଼ିଛନ୍ତି। ଥିପୁଲର ଘରୁ ୪ଟି ବାଘ ଦାନ୍ତ ଓ ଅନ୍ୟ ବନ୍ୟଜନ୍ତୁଙ୍କ ‌ଦେହାବଶେଷ ସହ ୮୦ଟି ଧନୁତୀର, ଗୋଟିଏ ଗୁଳିଭରା ବନ୍ଧୁକ, ଦୁଇଟି ଖାଲି ବନ୍ଧୁକ, ଗୋଟିଏ ଅଧା ତିଆରି ବନ୍ଧୁକ ଜବତ କରାଯାଇଛି। ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଅଧିକ ତଦନ୍ତ ପାଇଁ ହାପାନ୍ନାକୁ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ ଟିମ୍‌କୁ ହସ୍ତାନ୍ତର କରାଯାଇଛି।

ସୂଚନାଯୋଗ୍ୟ; ଅଢ଼େଇ ବର୍ଷ ତଳେ ଶିମିଳିପାଳରୁ ମହାବଳ ବାଘ ଶିକାର ଘଟଣାର ମୁଖ୍ୟ କାର୍ପଟଦାର ଥିଲା ହାପାନ୍ନା। ବାଘର ଛାଲ ଜବତ ହୋଇଥିବା ବେଳେ ହାପାନ୍ନା ଅଣ୍ଡରଗ୍ରାଉଣ୍ଡ ହୋଇ ଯାଇଥିଲା। ସେ ପୁଣିଥରେ ସକ୍ରିୟ ହେଉଥିବା ଖବର ପାଇ ତାକୁ ଧରିବାକୁ ଜାଲ ବିଛାଇଥିଲା ବନ ବିଭାଗ। ଆଜି ହାପାନ୍ନାଙ୍କ ଧରି ଜେରା କରିବା ପରେ ଅନ୍ୟ ଅଭିଯୁକ୍ତଙ୍କ ସଂପର୍କରେ ସୂଚନା ମିଳିଥିଲ।