କାଳିଆପାଣି: ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍‌ର ବହୁଚର୍ଚ୍ଚିତ ନଗଡ଼ାର ପିଛା ଛାଡ଼ୁନି ଅପପୁଷ୍ଟି। ସାଢ଼େ ୭ ବର୍ଷ ହେଲା ଏଠି କେହି ନା କେହି ଅପପୁଷ୍ଟିର ଶିକାର ହେଉଛନ୍ତି। ଏବେ ତଳନଗଡ଼ାର ଗାଲେ ଓ ମଙ୍ଗୁଳୁ ପ୍ରଧାନ ଦମ୍ପତିଙ୍କ ସପ୍ତମ ସନ୍ତାନ (୫୦ ଦିନ) ନଗଡ଼ାର ଦୁର୍ବଳତମ ଶିଶୁ ଭାବେ ଚିହ୍ନଟ ହୋଇଛି। ତେବେ ଶିଶୁଟିକୁ ଡାକ୍ତରଖାନା ନେବାକୁ ଉଦ୍ୟମ ବେଳେ ବାପା କଟୁରି ଧରି ଗୋଡ଼ାଇଥିଲା। ବାଧ୍ୟ କଲେ ଶିଶୁର ତଣ୍ଟି ଚିପିଦେବ ବୋଲି ମା’ ଧମକ ଦେଇଥିଲା। ଫଳରେ ପୁଲିସ ଓ ଡାକ୍ତରୀ ଦଳ ନାକେଦମ୍‌ ହୋଇ ସେଠାରୁ ଫେରିଥିବା ଜଣାପଡ଼ିଛି।

Advertisment

ତଳନଗଡ଼ାର ଏହି ଶିଶୁକନ୍ୟାଟିର ଓଜନ ବର୍ତ୍ତମାନ ମାତ୍ର ୧ କିଲୋ ୭ଶହ ଗ୍ରାମ୍। ଜନ୍ମ ବେଳେ ତା ଓଜନ ୨ କିଲୋ ୪ ଶହ ଗ୍ରାମ୍‌ ଥିଲା ବୋଲି ଆଶାକର୍ମୀ ଜୟନ୍ତୀ ମହାନ୍ତ କହନ୍ତି। ଓଜନ ଓ ବାହୁମାପ ଆଧାର‌ରେ ଶିଶୁଟି ସାଂଘାତିକ ଅପପୁଷ୍ଟି (ସିଭିଅର ଆକ୍ୟୁଟ୍‌ ମାଲନ୍ୟୁଟ୍ରିସନ)ର ଶିକାର ହୋଇଥିବା କୁହାଯାଉଛି। ସାଙ୍ଘାତିକ କୁପୋଷଣ ପାଇଁ ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ନିଜ ଘରେ ଅସ୍ବାସ୍ଥ୍ୟକର ପରିବେଶରେ ଜନ୍ମ ନେଇଥିବା ଏହି ଶିଶୁଟି ସଂକଟରେ ରହିଛି। ତାକୁ ସୁକିନ୍ଦା ପୁଷ୍ଟି ସାଧନ କେନ୍ଦ୍ର(ଏନ୍‌ଆର୍‌ସି) ଅଣାଯିବାକୁ ୧୦ ଦିନ ଧରି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିଲେ ମଧ୍ୟ ସଫଳତା ମିଳିନାହିଁ। ଗତକାଲି ଡାକ୍ତରୀ ଦଳ ଆମ୍ବୁଲାନ୍ସ ଧରି ଏହି ଶିଶୁକୁ ଉଦ୍ଧାର ପାଇଁ ତାଙ୍କ ଘରେ ପହଞ୍ଚିଥିଲେ। ନାରାଜ ଥିବା ବାପା ମଙ୍ଗୁଳୁ ସେମାନଙ୍କୁ କଟୁରି ଧରି ଗୋଡ଼ାଇଥିଲା ବୋଲି ଅଭିଯୋଗ କରନ୍ତି ଆଶାକର୍ମୀ ଜୟନ୍ତୀ ମହାନ୍ତ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଡାକ୍ତର ଶିବାଶିଷ ମହାରଣାଙ୍କ ନିର୍ଦେଶରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ଜୟଦେବ ନନ୍ଦଙ୍କ ପକ୍ଷରୁ ପୁଲିସ ସହାୟତା ଲୋଡ଼ା ଯାଇଥିଲା। ଆର୍‌ବିଏସ୍‌ଏକେ ଚିକିତ୍ସାଧିକାରୀ ଡାକ୍ତର ଶୁଭାଶିଷ ଜେନା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଦୀପକ କୁମାର ବାରିକ, ସ୍ବାସ୍ଥ୍ୟ ପରିଦର୍ଶକ ବିଷ୍ଣୁ ନାଏକ, ଆଶାକର୍ମୀ ଜୟନ୍ତୀ ସଦଳବଳ ପୁଣି ରାତି ସାଢ଼େ ୯ଟାରେ କାଳିଆପାଣି ପହଞ୍ଚିଥିଲେ। ଥାନା ଅଧିକାରୀ ସୁଶାନ୍ତ କୁମାର ଦାସଙ୍କ ନିର୍ଦେଶରେ ଏଏସ୍‌ଆଇ ତ୍ରିଲୋଚନ ସାହୁ, କନଷ୍ଟେବଲ୍‌ ରାଜକିଶୋର ନାୟକ ଓ ଗୃହରକ୍ଷୀ ମମତା ନାୟକ ଡାକ୍ତରୀ ଦଳକୁ ସୁରକ୍ଷା ଦେଇ ରାତି ସାଢ଼େ ୧୦ ଟାରେ ନଗଡ଼ା ପହଞ୍ଚିଥିଲେ। ଡାକ୍ତରୀ ଦଳ ଓ ପୁଲିସ ମିଳିତ ଭାବେ ଏହି ଦମ୍ପତିଙ୍କୁ ଦେଢ଼ଘଣ୍ଟା ଧରି ବୁଝାଇଥିଲେ ମଧ୍ୟ

ଡାକ୍ତରଖାନା ନେବାରେ ବିଫଳ ହୋଇଥିଲେ। ଡାକ୍ତରଖାନା ଯିବାକୁ ବାଧ୍ୟ କଲେ ଛୁଆକୁ ତଣ୍ଟି ଚିପି ମାରିଦେବ ବୋଲି ମା’ ଗାଲେ ଧମକ ଦେଇଥିଲେ। ଶେଷରେ ମଧ୍ୟରାତ୍ରରେ ପୁଲିସ ଓ ଡାକ୍ତରୀ ଦଳ ସେଠାରୁ ଫେରି ଆସିବାକୁ ବାଧ୍ୟ ହୋଇଥିଲେ ବୋଲି ଡାକ୍ତର ଜେନା କହିଛନ୍ତି। ଏହି ଦମ୍ପତିଙ୍କର ୭ ସନ୍ତାନ ମଧ୍ୟରୁ ଚତୁର୍ଥ ସନ୍ତାନ ଉଦି(୮), ପଞ୍ଚମ ସନ୍ତାନ ରସମତି (୬) ଓ ଷଷ୍ଠ ସନ୍ତାନ ରଥିଆ(୪) ପୂର୍ବରୁ ସାମ୍‌ ଶ୍ରେଣୀଭୁକ୍ତ ଥିଲେ। ପୂର୍ବରୁ ଏହି ୩ ଜଣଯାକ ରୋଗା ଶିଶୁଙ୍କୁ ଡାକ୍ତରଖାନା ନେବା ପାଇଁ ପ୍ରଶାସନ ନାକେଦମ୍‌ ହୋଇଥିଲା। ପ୍ରତିଥର ଏହି ଦମ୍ପତି ଡାକ୍ତରଖାନାରୁ ଛୁଆକୁ ଧରି ଲୁଚି ପଳାଇଛନ୍ତି। ନବଜାତକ ରୋଗଣା ଶିଶୁ ସଂପର୍କରେ ମଙ୍ଗୁଳୁଙ୍କୁ ପଚାରିବାରେ ତାଙ୍କ ଝିଅ ପୋଇ ରୋଗରେ ଆକ୍ରାନ୍ତ ‌ହୋଇଥିବା କହନ୍ତି। ଏକୁଲ ଗାଁର ଜଣେ କ୍ବାକ୍‌ ପାଖରୁ ଚେରମୂଳି ଓ ଜଡ଼ିବୁଟି ଆଣି ସେ ଝିଅକୁ ଖୁଆଉଥିବା କହିଛନ୍ତି।