ଭୁବନେଶ୍ବର: ଚଳିତ ନଭେମ୍ବରରେ ବିଶେଷ ଶୀତ ପଡ଼ିବ ନାହିଁ। ଚଳିତ ମାସ ସ୍ବାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ରହିଥିବାରୁ ରାଜ୍ୟର ରାତି ତାପମାତ୍ରା ମଧ୍ୟ ସାଧାରଣଠାରୁ ଅଧିକ ରହିବ। ବର୍ଷା କାରଣରୁ ଥଣ୍ଡା ମଧ୍ୟ କମ୍ ପଡ଼ିବ ବୋଲି ଆଜି ଆଇଏମ୍ଡି ଏହାର ‘ଲଙ୍ଗ୍ ରେଞ୍ଜ ଫୋର୍କାଷ୍ଟ’ରେ ପୂର୍ବାନୁମାନ କରିଛି। ଆଇଏମ୍ଡିର ଆକଳନ କହୁଛି ଯେ ଦକ୍ଷିଣ ଉପଦ୍ବୀପ ଅଞ୍ଚଳ ସମେତ ଉତ୍ତର-ପଶ୍ଚିମ ଓ ଉତ୍ତରପୂର୍ବ ଭାରତକୁ ଛାଡ଼ି ଅବଶିଷ୍ଟ ଦେଶରେ ନଭେମ୍ବର ମାସରେ ବର୍ଷା ସ୍ବାଭାବିକଠାରୁ ଅଧିକ ରହିବ। ଫଳରେ ଉତ୍ତର-ପଶ୍ଚିମ ଓ ଉତ୍ତରପୂର୍ବ ଭାରତ ସମେତ ଦେଶର କିଛି ପୂର୍ବାଞ୍ଚଳକୁ ଛାଡ଼ିଲେ ଅବଶିଷ୍ଟ ଅଞ୍ଚଳରେ ନଭେମ୍ବରରେ ଦିନ ତାପମାତ୍ରା ସ୍ବାଭାବିକ ବା ଏହାଠାରୁ କମ୍ ରହିବ। କିନ୍ତୁ ରାତି ତାପମାତ୍ରା ସ୍ବାଭାବିକ ବା ତା’ଠାରୁ ଅଧିକ ରହିବ। ଅର୍ଥାତ ବର୍ଷା କାରଣରୁ ଦିନର ତାପମାତ୍ରା ଥଣ୍ଡା ରହିବ। ରାତିରେ ପାରଦ ସ୍ତରରେ ବିଶେଷ କିଛି ହ୍ରାସ ଘଟିବ ନାହିଁ। ଫଳରେ ରାତିରେ ଅଧିକ ଶୀତ ଲାଗିବ ନାହିଁ।
ଅନ୍ୟପଟେ ଗତକାଲି ରାତିରେ ରାଜ୍ୟର ତାପମାତ୍ରାରେ ବୃଦ୍ଧି ଦେଖାଯାଇଛି। ବଙ୍ଗୋପସାଗର ଅଞ୍ଚଳରୁ ପୂର୍ବ ଦିଗରୁ ପ୍ରବେଶ କରୁଥିବା ଉଷ୍ମ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ, ରାଜ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଛି। ରାଜ୍ୟର ୪ ସହରର ତାପମାତ୍ରା ଗତକାଲି ୧୨ ଡିଗ୍ରି ତଳକୁ ଖସିଯାଇଥିବା ବେଳେ ଆଜି ପୁଣି ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ି ୧୫ ଡିଗ୍ରିରେ ପହଞ୍ଚିଛି। ଗତକାଲି ରାତିରେ କୋରାପୁଟର ସେମିଳିଗୁଡ଼ା ଓ କୋରାପୁଟ ସହରର ରାତିର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ରେକର୍ଡ ହୋଇଛି। କନ୍ଧମାଳର ଫୁଲବାଣୀଠାରେ ୧୫ ଡିଗ୍ରି ଓ ଦାରିଙ୍ଗବାଡ଼ିରେ ୧୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ବା ସର୍ବୋଚ୍ଚ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଆସନ୍ତାକାଲି ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ସକାଳୁ ପାଗ କୁହୁଡ଼ିଆ ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୨ ଡିଗ୍ରି ମଧ୍ୟରେ ରହିବ।