ଏବେ ସବୁ ସହାୟତା ନମ୍ବର ୧୧୨ରେ

ଭୁବନେଶ୍ବର : ଜରୁରୀକାଳୀନ ସହାୟତା ନମ୍ବର(ଇଆରଏସ୍‌ଏସ୍‌) ୧୧୨ ରାଜ୍ୟରେ କାର୍ଯ୍ୟକ୍ଷମ ହୋଇଛି। ପ୍ରଥମ ପର୍ଯ୍ୟାୟରେ ପୁଲିସ ସହାୟତା ନମ୍ବର ୧୦୦ ଓ ଅଗ୍ନିଶମ ନମ୍ବର ୧୦୧କୁ ୧୧୨ନମ୍ବର ସହିତ ମିଶ୍ରଣ କରାଯାଇଛି। ତେବେ‌ ରାଜ୍ୟରେ କାର୍ଯ୍ୟ କରୁଥିବା ଅନ୍ୟ ନମ୍ବରଗୁଡ଼ିକୁ ମଧ୍ୟ ପର୍ଯ୍ୟାୟକ୍ରମେ ୧୧୨ ନମ୍ବର ସହିତ ଯୋଡ଼ାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଏ ନେଇ ଲୋକସେବା ଭବନରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଇଆର୍‌ଏସ୍‌ଏସ୍‌ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ସହିତ ରେସପନ୍‌ସ ସମୟକୁ ବା କଲ୍‌ ଆସିବାଠାରୁ ଡେଲିଭରି ପଏଣ୍ଟରେ ଗାଡ଼ି ପହଞ୍ଚିବା ସମୟ ଯେପରି ହ୍ରାସ ହୋଇପାରିବ ତାହା ଉପରେ ଗୁରୁତ୍ବ ଦିଆଯାଇଥିଲା। ପୁଲିସ ଓ ଅଗ୍ନିଶମ ନମ୍ବରକୁ ବାଦ୍ ଦେଲେ ରାଜ୍ୟରେ ୧୦୨-ଜନନୀ ଏକ୍ସପ୍ରେସ୍, ୧୦୪-କୋଭିଡ ହେଲ୍‌ପ ଡେସ୍କ, ୧୦୮-ଆମ୍ବୁଲାନ୍‌ସ, ୧୮୧-ମହିଳା ସହାୟତା ନମ୍ବର, ୧୦୯୮-ଶିଶୁ ସହାୟତା ନମ୍ବର ସମେତ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ଅଲଗା ନମ୍ବର କାର୍ଯ୍ୟ କରୁଛି। ତେଣୁ ଆସନ୍ତା ଅଗଷ୍ଟ ସୁଦ୍ଧା ପର୍ଯ୍ୟାୟ କ୍ରମେ ଅନ୍ୟ ନମ୍ବରଗୁଡ଼ିକୁ ଇଆର୍‌ଏସ୍‌ଏସ୍‌ରେ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଯାହାଫଳରେ ଅନ୍ୟ ନମ୍ବର ଗୁଡ଼ିକୁ ଧୀରେ ଧୀରେ ବନ୍ଦ କରି ଦିଆଯିବ। ଇଆରଏସ୍‌ଏସ୍‌ ବ୍ୟବସ୍ଥା ପାଇଁ ଆବଶ୍ୟକ ମାନବ ସମ୍ବଳ ଓ ଯାନବାହନ ନିଯୁକ୍ତ କରିବା ଲାଗି ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି।

ରାଜ୍ୟ ଜରୁରୀକାଳୀନ ରେସପନ୍‌ସ କେନ୍ଦ୍ର ବା ଏସ୍‌ଇଆରସି ଏବେ ୨୪ଘଣ୍ଟା କାର୍ଯ୍ୟ କରୁଛି। କେନ୍ଦ୍ରରେ କଲ୍‌ ପାଇଁ ୬୦ଜଣ ଥିବା ବେଳେ ୧୨ କମ୍ପ୍ୟୁଟର ସହାୟତା ଡିଜିଟାଲ ବ୍ୟବସ୍ଥା, ୧୫୧ ଗାଡ଼ି ଓ ୪ଶହ ଅଗ୍ନିଶମ ଗାଡ଼ି ରହିଛି। ଚଳିତବର୍ଷ ମାର୍ଚ ୧୯ତାରିଖରୁ ମେ’ମାସ ଭିତରେ ଏଠାକୁ ୨୦,୮୧୧ କଲ୍‌ ଆସିଥିବା ବେଳେ ଏଥିରେ ୭୩ ପ୍ରତିଶତ କଲ୍‌ ପୁଲିସ୍ ଓ ୨୭ ପ୍ରତିଶତ ନିଆଁ ଲାଗିବା ଭଳି କଲ୍ ରହିଛି। ଏହାସହ ଆମ୍ବୁଲାନ୍‌ସ ସହାୟତା ବାବଦରେ ୫୪୧୫ କଲ୍‌ ଆସିଥିବା ବେଳେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ସେହିପରି ଜୁନ୍ ମାସରେ ୮୮୦୭ କେସ୍ ପଞ୍ଜୀକୃତ ହୋଇଥିବା ବେଳେ ତହିଁରେ ୯୩ ପ୍ରତିଶତ ପୁଲିସ ଓ ୭ ପ୍ରତିଶତ ଅଗ୍ନିଶମ ବିଭାଗର ରହିଛି। ଚଳିତମାସରେ ଏ ପର୍ଯ୍ୟନ୍ତ ୧୮୨୧ କଲ୍‌ ଆମ୍ବୁଲାନ୍‌ସ ସେବା ପାଇଁ ଆସିଥିବା ବୈଠକରୁ ଜଣାପଡ଼ିଛି। ବୈଠକରେ ପୁଲିସ ଡିଜି ଅଭୟ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା, ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ଜାତୀୟ ସ୍ବାସ୍ଥ୍ୟ ମିସନର ନିର୍ଦେଶିକା ଶାଳିନୀ ପଣ୍ଡିତ, ଆଇସିଡିଏସ୍‌ ନିର୍ଦେଶକ ଅରବିନ୍ଦ ଅଗ୍ରୱାଲ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର