ଭୁବନେଶ୍ୱର: ରାଜ୍ୟର ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ ତଥା ବିଏଡ୍ କଲେଜରେ ଇଣ୍ଟିଗ୍ରେଟେଡ୍ ଟିଚର ଏଜୁକେସନ ପ୍ରୋଗ୍ରାମ(ଆଇଟିଇପି) ଲାଗୁ କରାଯିବ। ଏନେଇ ୮ଟି ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ ଆଜି ସେମାନଙ୍କ ନିକଟସ୍ଥ ସରକାରୀ ଡିଗ୍ରି ମହାବିଦ୍ୟାଳୟଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି। ନ୍ୟାସନାଲ କାଉନସିଲ୍ ଫର୍ ଟିଚର ଏଜୁକେସନ(ଏନ୍ସିଟିଇ) ନିୟମ ଅନୁଯାୟୀ ଆଇଟିଇପି ଲାଗୁ ହେବା ଦ୍ୱାରା ଶିକ୍ଷକ ଶିକ୍ଷଣ ଅନୁଷ୍ଠାନଗୁଡ଼ିକ ମଲ୍ଟିଡିସିପ୍ଲିନାରି ହୋଇପାରିବେ। ଏଥିସହ ଯୁକ୍ତ୨ ପରେ ଛାତ୍ରଛାତ୍ରୀ ଆଇଟିଇପି ମାଧ୍ୟମରେ ୪ ବର୍ଷିଆ ପାଠ୍ୟକ୍ରମରେ ନିଜର ବିଏଡ୍ ଶିକ୍ଷାକୁ ସମ୍ପୂର୍ଣ୍ଣ କରିପାରିବେ।
୮ଟି ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ ସହ କଲେଜର ଏମ୍ଓୟୁ
୧୮୯ଟି ବେସରକାରୀ କଲେଜକୁ ୧୬୮ କୋଟି ପ୍ରଦାନ
ପୂର୍ବରୁ ଛାତ୍ରଛାତ୍ରୀ ଯୁକ୍ତ୨ ପରେ ତିନି ବର୍ଷ ସ୍ନାତକ ଓ ଏହାପରେ ଦୁଇ ବର୍ଷର ବିଏଡ୍ ପାଠ୍ୟକ୍ରମ ଅର୍ଥାତ ୫ ବର୍ଷ ପରେ ବିଏଡ୍ ସାର୍ଟିଫିକେଟ୍ ପାଉଥିଲେ। ଆଇଟିଇପି ଲାଗୁ ଦ୍ବାରା ଛାତ୍ରଛାତ୍ରୀ ସିଧାସଳଖ ନିଜର ସ୍ନାତକ ଓ ବିଏଡ୍ ପାଠ୍ୟକ୍ରମକୁ ୪ ବର୍ଷ ମଧ୍ୟରେ ଶେଷ କରିପାରିବେ। ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି। ଏଥିସହ ରାଜ୍ୟର ୧୮୯ଟି ବେସରକାରୀ ସ୍ନାତକ ମହାବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ଼ ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୧୬୮ କୋଟି ଟଙ୍କା ଆର୍ଥିକ ଅନୁମୋଦିତ ହୋଇଛି। ଏହାଦ୍ୱାରା ମହାବିଦ୍ୟାଳୟଗୁଡ଼ିକରେ ଅତିରିକ୍ତ ଶ୍ରେଣୀଗୃହ, ଲାବୋରେଟୋରି, କ୍ୟାଣ୍ଟିନ, ପାଠାଗାର, କମନ୍ ରୁମ୍, ମଲ୍ଟି ପର୍ପଜ୍ ହଲ୍, ଆଡମିନିଷ୍ଟ୍ରେଟିଭ୍ ଓ ଏକାଡେମିକ ବିଲଡିଂ ଆଦିର ନିର୍ମାଣ, ମରାମତି, ପୁନରୁଦ୍ଧାର କାର୍ଯ୍ୟ ହୋଇପାରିବ। ମହାବିଦ୍ୟାଳୟର ସାମଗ୍ରିକ ବିକାଶ ଦିଗରେ ଏହା ସହାୟକ ହେବ।