ଏଣିକି ୬ ବର୍ଷରେ ବଦଳିବେ କିରାଣି, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ କ୍ଷେତ୍ରରେ ଲାଗୁ କରିବାକୁ ଆଲୋଚନା ଜାରି

ପିଲାଙ୍କୁ ଥଣ୍ଡା, କାଶ ହେଲେ ଚିକିତ୍ସା କରାଇବେ ଶିକ୍ଷକ

ଭୁବନେଶ୍ବର: ଏଣିକି ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ଓ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ କାର୍ଯ୍ୟାଳୟରେ ୬ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରତ କିରାଣୀଙ୍କୁ ଅନ୍ୟତ୍ର ବଦଳି କରାଯିବ। ଏନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୨୦୨୦-୨୧ ଶିକ୍ଷାବର୍ଷ ଆରମ୍ଭରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ବଦଳି ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଅଧିକାଂଶ ଜିଲ୍ଲାରେ ଏହି ନିୟମକୁ ଇତିମଧ୍ୟରେ କାର୍ଯ୍ୟକାରୀ କରାଯାଇଛି। ଜିଲ୍ଲାସ୍ତରରୁ ବଦଳି ଫାଇଲ୍‌ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟକୁ ଆସିସାରିଛି। ଯେଉଁ କିଛି ଜିଲ୍ଲାରେ ହୋଇନି, ସେଠାରେ ତୁରନ୍ତ ଏହି ନିୟମ ଲାଗୁ କରିବାକୁ କୁହାଯାଇଛି। କୌଣସି ବି ପରିସ୍ଥିତିରେ କୌଣସି ଡିଇଓ ଓ ବିଇଓ ଅଫିସ୍‌ରେ ୬ ବର୍ଷରୁ ଅଧିକ ସମୟ ଧରି କେହି ରହିବେ ନାହିଁ। ମେ’ ମାସ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏପରିକି ବିଇଓ, ଡିଇଓ, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ କ୍ଷେତ୍ରରେ ମଧ୍ୟ ୬ ବର୍ଷରେ ବଦଳି ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ବିଚାର ଆଲୋଚନା ଚାଲିଥିବା ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ କରୋନା ଭୂତାଣୁକୁ ନେଇ ସାରା ଓଡ଼ିଶାରେ ଆତଙ୍କ ଖେଳିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜରି ଜାରି ହେବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବି ତତ୍ପରତା ପ୍ରକାଶ କରିଛି। ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ଆଗକୁ ପରୀକ୍ଷା ଆସୁଛି। ଏଥିପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତ ହେଉଛନ୍ତି। ପରୀକ୍ଷା କିଭଳି ସୁଚାରୁରୂପେ ହୋଇପାରିବ ସେଦିଗରେ ବି ଆମେ ପଦକ୍ଷେପ ନେଉଛୁ। ଯଦି କୌଣସି ବି ସ୍କୁଲ ଛାତ୍ରଛାତ୍ରୀଙ୍କୁ ଥଣ୍ଡା, କାଶ ହୋଇଥିବା ନଜରକୁ ଆସେ ତେବେ ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା କରାଇବେ।

ସମ୍ବନ୍ଧିତ ଖବର