କୋଭିଡ୍‌ ସ୍ଥିତି ସମୀକ୍ଷା ପରେ ବଡ଼ ନିଷ୍ପତ୍ତି ନେଲେ ନବୀନ, ଏବେ ‘ମୋ ସରକାର’ରେ କୋଭିଡ୍‌ ପରିଚାଳନା

ରୋଗୀ ଓ କୋଭିଡ୍‌ ଯୋଦ୍ଧାଙ୍କ ସହ ଯୋଗାଯୋଗରେ ରହିବେ ବାବୁ

ଭୁବନେଶ୍ବର: କୋଭିଡ୍‌ ପରିଚାଳନାକୁ ଅଧିକ ଉତ୍ତରଦାୟୀ କରିବା ପାଇଁ ଏହାକୁ ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ କରାଯିବ। ରାଜ୍ୟର ସମସ୍ତ ଚିକିତ୍ସାଳୟରେ ଆଣ୍ଟିଜେନ୍‌ ଟେଷ୍ଟ ପରେ ହିଁ ଜରୁରୀ ଶଲ୍ୟ ଚିକିତ୍ସା କରାଯିବ। ମୁଖ୍ୟମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ ଯୋଗେ ରାଜ୍ୟରେ କୋଭିଡ୍‌ ମୁକାବିଲା କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିବା ଅବସରରେ ଏଭଳି ନିର୍ଦେଶନାମା ଜାରି କରିଛନ୍ତି। କେବଳ ସେତିକି ନୁେହଁ, ଏକଥା ବି ସ୍ଥିର ହୋଇଛି ଯେ ବର୍ତ୍ତମାନ ୧୯ଟି ଲାବୋରେଟାରିରେ କୋଭିଡ୍ ପରୀକ୍ଷା କରାଯାଉଛି। ଆଗାମୀ ଦିନରେ ପୁରୀ, ଅନୁଗୁଳ, ଯାଜପୁର, ଝାରସୁଗୁଡା, କଳାହାଣ୍ଡି ଓ କେନ୍ଦୁଝରଠାରେ ମଧ୍ୟ ପରୀକ୍ଷାର ବ୍ୟବସ୍ଥା କରାଯିବ।

ଆଜି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ୍‌ ରୋଗୀ ଏବଂ କୋଭିଡ୍‌ ଯୋଦ୍ଧାମାନଙ୍କ ସହିତ ନିୟମିତ ଯୋଗାଯୋଗ କରି ସେମାନଙ୍କଠାରୁ ମତାମତ ସଂଗ୍ରହ କରାଯିବା ଦରକାର। ଜିଲ୍ଲା କୋଭିଡ୍‌ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ଅଧିକାରୀମାନେ ଏ ଦିଗରେ ଧ୍ୟାନ ଦେବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ମଧ୍ୟ ସାମିଲ ହୋଇ କୋଭିଡ୍‌ ଯୋଦ୍ଧା ଓ ରୋଗୀମାନଙ୍କଠାରୁ ମତାମତ ସଂଗ୍ରହ କରିବେ। ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଏହା ସହାୟକ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ସେହିପରି ରୋଗୀଙ୍କ ପରିବାରକୁ ରୋଗୀର ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ସୂଚନା ଦେବା ପାଇଁ ମଧ୍ୟ ନବୀନ କହିଥିଲେ। କୋଭିଡ୍‌ ଯୋଦ୍ଧାମାନେ କିପରି ସଂକ୍ରମଣରୁ ସୁରକ୍ଷିତ ରହିବେ ସେଥିପାଇଁ ସେମାନଙ୍କୁ ଉପଯୁକ୍ତ ତାଲିମ ଦେବା ପାଇଁ ପରାମର୍ଶ ଦିଆଯାଇଥିଲା।

ଆଣ୍ଟିଜେନ୍‌ ଟେଷ୍ଟ ପରେ ହିଁ ହେବ ଜରୁରୀ ଶଲ୍ୟ ଚିକିତ୍ସା
ପୁରୀ, ଅନୁଗୁଳ, ଯାଜପୁର, ଝାରସୁଗୁଡା, କଳାହାଣ୍ଡି ଓ କେନ୍ଦୁଝରରେ ହେବ ପରୀକ୍ଷା
ଅଳ୍ପ ଓ ମଧ୍ୟମ ଲକ୍ଷଣଯୁକ୍ତ ରୋଗୀଙ୍କୁ କୋଭିଡ୍‌ ଗୃହରେ ଚିକିତ୍ସା ଦିଆଯିବ
କେବଳ ଗୁରୁତର ରୋଗୀଙ୍କୁ କୋଭିଡ୍‌ ହସ୍ପିଟାଲ ନିଆଯିବାକୁ କେନ୍ଦ୍ରର ପରାମର୍ଶ

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥାପିତ କୋଭିଡ୍‌ କେୟାର ହୋମ୍‌ର ତଦାରଖ ପାଇଁ ଅନ୍ ଲାଇନ୍ ବ୍ୟବସ୍ଥା କରାଯିବା ଉଚିତ। ଏହା ସହିତ ବିଭିନ୍ନ କୋଭିଡ୍‌ ଡାକ୍ତରଖାନା ମଧ୍ୟରେ ଆମ୍ବୁଲାନ୍ସ ସେବାକୁ ସୁବ୍ୟବସ୍ଥିତ କରାଯିବା ଦରକାର। ରାଜ୍ୟର ସବୁ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଏବଂ ହଟ୍‌ସ୍ପଟ୍‌ ଜିଲ୍ଲା ମାନଙ୍କରେ ଆଣ୍ଟିଜେନ ଟେଷ୍ଟ କରିବା ଆବଶ୍ୟକ। ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇ ପରି ହଟ୍‌ସ୍ପଟ୍‌ ନଗରମାନଙ୍କରୁ ଯେପରି କମ୍‌ ସଂଖ୍ୟାରେ ଟ୍ରେନ୍‌ ଓ ବିମାନ ଆସିବ ସେଥିପାଇଁ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ରହିବା ପାଇଁ ଶ୍ରୀ ପଟ୍ଟନାୟକ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଗତ ଜୁନ୍‌ ୨୯ ତାରିଖ ଦିନ ହୋଇଥିବା ସମୀଷା ବୈଠକରେ ମୁଖ୍ୟମନ୍ତ୍ରୀ କୋଭିଡ୍‌ ପରିଚାଳନା ପାଇଁ ଏକ ନବସୂତ୍ରୀ ପରାମର୍ଶ ଦେଇଥିଲେ। ଆଜିର ସମୀକ୍ଷା ବୈଠକରେ ଏହାର କାର୍ଯ୍ୟକାରିତା ନେଇ ମଧ୍ୟ ଆଲୋଚନା ହୋଇଥିଲା। ଏଥିରେ ଅଧିକାରୀମାନେ ତଥ୍ୟ ରଖିଥିଲେ ଯେ ରାଜ୍ୟର ପ୍ରତି ପଞ୍ଚାୟତରେ ଗ୍ରାମ କଲ୍ୟାଣ ସମିତି ସ୍ତରରେ ୪୭୬୧୩ ଟି କୋଭିଡ୍‌ କେୟାର କମିଟି ଗଠନ କରାଯାଇଛି। ଏହାର ସଦସ୍ୟମାନଙ୍କ ତାଲିମ ମଧ୍ୟ ଶେଷ କରାଯାଇଛି। ସେହିପରି ଗ୍ରାମ ପଞ୍ଚାୟତଗୁଡ଼ିକରେ ୪୯୨୧୮ ଶଯ୍ୟା ବିଶିଷ୍ଟ ୫୪୮୦ କୋଭିଡ୍‌ ଗୃହ ସ୍ଥାପନ କରାଯାଇଛି। ଏହା ସହିତ ୩୭୯୯୮ ଶଯ୍ୟା ବିଶିଷ୍ଟ ୧୧୦୫ ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର କ୍ଲଷ୍ଟର କାର୍ଯ୍ୟ କରୁଛି। ୧୧୪ ଟି ପୌରାଞ୍ଚଳରେ ୨୦୩୫ ଟି କୋଭିଡ୍‌ କେୟାର କମିଟି ଗଠନ କରାଯାଇଥିବା ବେଳେ ୫୯୫୬ ଶଯ୍ୟା ବିଶିଷ୍ଟ କୋଭିଡ୍‌ ଗୃହ ମଧ୍ୟ ସ୍ଥାପନ କରାଯାଇଛି। ଏହା ସହିତ ୫୮୯୮୮ ଶଯ୍ୟା ବିଶିଷ୍ଟ ୮୧୮ଟି ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥାପନ କରାଯାଇଛି।

ରାଜ୍ୟରେ କୋଭିଡ୍‌ ପରୀକ୍ଷଣ ୩ ଲକ୍ଷରେ ପହଞ୍ଚିଥିବା ବେଳେ କେବଳ ଆରଏମଆରସି ଦ୍ବାରା ଏକ ଲକ୍ଷ ଟେଷ୍ଟ କରାଯାଇଛି ବୋଲି ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ। ସେହିଭଳି ପୁରୀ, ଭୁବନେଶ୍ବର ଓ ଗଞ୍ଜାମରେ ସେରୋଲୋଜିକାଲ ପରୀକ୍ଷା ଚାଲିଛି ଏବଂ ଗଞ୍ଜାମକୁ ଆଣ୍ଟିଜେନ ଟେଷ୍ଟ ପାଇଁ ଅଧିକ କିଟ୍‌ ପଠାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଅଧିକାରୀମାନେ କହିଥିଲେ ଯେ ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ୨୬ ହଜାର ଶଯ୍ୟା ଥିବା ବେଳେ ବର୍ତ୍ତମାନ ୩୫୦୦ ରୋଗୀ ଚିକିତ୍ସିତ ହେଉଛନ୍ତି। ଭାରତ ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ ଅଳ୍ପ ଓ ମଧ୍ୟମ ଲକ୍ଷଣଯୁକ୍ତ ରୋଗୀମାନଙ୍କୁ କୋଭିଡ୍‌ ଗୃହରେ ରଖି ଚିକିତ୍ସା ସେବା ଯୋଗାଇ ଦିଆଯିବାକୁ ନିର୍ଦେଶ ଆସିଛି। କେବଳ ଗୁରୁତର ରୋଗୀମାନଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯିବ। ଏ ସମ୍ପର୍କରେ ଅଧିକ ବିଚାର ଆଲୋଚନା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା।

ସାମାଜିକ ଦୂରତା ଓ ମାସ୍କର ବ୍ୟବହାର କୋଭିଡ୍‌ ନିୟନ୍ତ୍ରଣ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଏ କ୍ଷେତ୍ରରେ ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟାନ୍ୟ ବିଷୟମାନଙ୍କ ମଧ୍ୟରେ ସରକାରୀ କାର୍ଯ୍ୟଗୁଡିକୁ ସଂକ୍ରମଣ ମୁକ୍ତ ଜୋନ କରିବା ପାଇଁ ନିଆଯାଇଥିବା ପଦକ୍ଷେପ, କୋଭିଡ୍‌ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ପୁଲିସ ମହା ନିର୍ଦ୍ଦେଶକ, ଉନ୍ନୟନ କମିସନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର