ବ୍ରହ୍ମପୁର : ଫେବ୍ରୁଆରି ମାସରୁ ଖରାର ପ୍ରକୋପ ବଢ଼ି ପ୍ରଚଣ୍ଡ ରୂପ ଧରିଲାଣି। ତାପମାତ୍ର ଏବେ ଠୁ ୩୫ଡିଗ୍ରି ଛୁଇଁଲାଣି। ଏଭଳି ସ୍ଥିତି ଜାରି ରହିଲେ ଆଗକୁ ପରିସ୍ଥିତି ଆହୁରି ଅସମ୍ଭାଳ ହୋଇ ପଡ଼ିବ। ପ୍ରବଳ ଖରା ସାଙ୍ଗକୁ ଜଳକଷ୍ଟ ଲୋକଙ୍କୁ କଲବଲ କରିଦେବ। ପ୍ରତ୍ୟେକ ପରିବାରକୁ ପାଇପ୍ ଜଳ ଯୋଗାଣ ପାଇଁ ରାଜ୍ୟ ସରକାର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଗ୍ରାମାଞ୍ଚଳରେ ଆର୍ଡବ୍ଲୁଏସ୍ଏସ୍ (ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ) ଅଧୀନରେ ବସୁଧା ଏବଂ ଜଳ ଜୀବନ ମିସନ୍ ଯୋଜନା କାର୍ଯ୍ୟକାରୀ କରାଯାଇଛି। ବ୍ରହ୍ମପୁର ଆର୍ଡବ୍ଲୁଏସ୍ଏସ୍ ଅଧୀନରେ ରହିଥିବା ଗଞ୍ଜାମ ଜିଲ୍ଲାର ୧୧ଟି ବ୍ଲକ୍ ଅନ୍ତର୍ଗତ ୧୩୯୧ ଗ୍ରାମରେ ଏହି ଦୁଇଟି ଯୋଜନା ଜରିଆରେ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୭ଶହ ଗ୍ରାମକୁ ସମ୍ପୂର୍ଣ୍ଣ ଜଳଯୋଗାଣ କରାଯାଇଥିବା ବ୍ରହ୍ମପୁର ଆର୍ଡବ୍ଲୁଏସ୍ଏସ୍ର ଅଧୀକ୍ଷଣ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ବାକି ରହିଥିବା କାମ ଆସନ୍ତା ୨୦୨୪ ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ସେ କହିଛନ୍ତି।
ବସୁଧା ଯୋଜନାରେ ରାଜ୍ୟ ସରକାର ବ୍ୟୟବରାଦ କରୁଛନ୍ତି। ଏହି ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ଗାଁକୁ ଓଭର୍ହେଡ୍ ଟ୍ୟାଙ୍କ ଜରିଆରେ ପାଇପ୍ ପାଣି ଯୋଗାଣ କରାଯିବ। ପ୍ରତ୍ୟେକ ଘରକୁ ଗୋଟିଏ ଲେଖାଏଁ ଷ୍ଟାଣ୍ଡ୍ପୋଷ୍ଟ ଦିଆଯିବ। ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିସନ୍ କାର୍ଯ୍ୟକାରୀ ହୋଇଥିଲା। ଏହି ଯୋଜନାରେ ମଧ୍ୟ ପ୍ରତ୍ୟେକ ଘରକୁ ପାଇପ୍ ପାଣି ଯୋଗାଣ ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ୨୦୨୪ ମାର୍ଚ୍ଚ ସୁଦ୍ଧା ପ୍ରକଳ୍ପ କାମ ସମାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟଙ୍କା ଖର୍ଚ୍ଚ କରୁଛନ୍ତି। ବ୍ରହ୍ମପୁର ଆର୍ଡବ୍ଲୁଏସ୍ଏସ୍ ଅଧୀନରେ ଖଲ୍ଲିକୋଟ, ଗଞ୍ଜାମ, ଛତ୍ରପୁର, ରଂଗେଇଲୁଣ୍ଡା, ପାତ୍ରପୁର, ଚିକିଟି, ଦିଗପହଣ୍ଡି, ସାନଖେମୁଣ୍ଡି, କୁକୁଡ଼ାଖଣ୍ଡି, ଶେରଗଡ଼ ଓ ହିଂଜିଳିକାଟୁ ବ୍ଲକ୍ ରହିଛି।
ଗଞ୍ଜାମର ୧୧ ବ୍ଲକ୍ର ୧୩୯୧ରୁ ୭ଶହ ଗାଁକୁ ସରିଛି ଜଳଯୋଗାଣ
୨୦୨୪ ମାର୍ଚ୍ଚ ସୁଦ୍ଧା ବାକି ପ୍ରକଳ୍ପ ସରିବ: ଆର୍ଡବ୍ଲୁଏସ୍ଏସ୍
ଏହି ସମସ୍ତ ବ୍ଲକ୍ର ମୋଟ ୧୩୯୧ ଗାଁରେ ଏହି ଦୁଇଟି ଯୋଜନା କାର୍ଯ୍ୟକାରୀ କରାଯାଇଛି ବୋଲି ଅଧୀକ୍ଷଣ ଯନ୍ତ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। କିଛି ନିର୍ଦ୍ଦିଷ୍ଟ ଗାଁରେ କେବଳ ବସୁଧା ଯୋଜନାରେ ଜଳ ଯୋଗାଣ କରାଯାଇଛି। ଆଉ କେତେକ ଗାଁରେ ଉଭୟ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଗାଁ ନିକଟରେ ଥିବା ନଦୀରୁ ପାଣି ସଂଗ୍ରହ କରି ଓଭର୍ହେଡ୍ ଟ୍ୟାଙ୍କରେ ତାହା ସଂରକ୍ଷିତ କରି ପାଇପ୍ ଯୋଗେ ଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଛି। ସେହିପରି ନଦୀ ନଥିବା ଗାଁକୁ ଗଭୀର ନଳକୂପରୁ ଜଳ ସଂଗ୍ରହ କରି ଯୋଗାଣ ପାଇଁ ପ୍ରକଳ୍ପ ମଞ୍ଜୁର ହୋଇଛି।
ଅନ୍ୟପଟେ ଛୋଟ ଛୋଟ ଗାଁକୁ ସୋଲାର୍ ପ୍ରକଳ୍ପ ଦ୍ବାରା ନଳକୂପରୁ ପମ୍ପ ଯୋଗେ ପାଣି ଉଠାଣ କରାଯାଇ ଯୋଗାଣ କରାଯାଉଛି। ବ୍ରହ୍ମପୁର ଆର୍ଡବ୍ଲୁଏସ୍ଏସ୍ ଅଧୀନରେ ଏଭଳି ପ୍ରାୟ ୨୩୩ଟି ଗାଁ ରହିଛି। ସେହିପରି ଲୋକଙ୍କ ଆବଶ୍ୟକତା ଅନୁସାରେ ଗାଁରେ ହ୍ୟାଣ୍ଡପମ୍ପ୍ ବସାଯାଉଛି ବୋଲି ଅଧୀକ୍ଷଣ ଯନ୍ତ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।