ଭୁବନେଶ୍ବର: ‘୫-ଟି ପାଇଁ ଆମେ ମଲୁ।’ ବିଜେଡି ବିଧାୟକ ଅରୁଣ ସାହୁଙ୍କ ଏହି ସ୍ବୀକାରୋକ୍ତିକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ବିଜେଡିର ନିର୍ବାଚନୀ ବିପର୍ଯ୍ୟୟର ବଡ଼ କାରଣ ୫-ଟି; ଏହା କାହାରିକୁ ଅଛପା ନାହିଁ। କିନ୍ତୁ ପରାଜୟର ୮ ମାସ ହେଲା କୌଣସି ଆଗଧାଡ଼ିର ନେତା ଏହି ସତ କଥା ପଦେ କହିବାକୁ ଡରୁଥିଲେ। ଅରୁଣ ଏକଥା ଖୋଲାଖୋଲି କହିଦେଲା ପରେ ଦଳର ଆଭ୍ୟନ୍ତରୀଣ ରାଜନୀତି ଜୋର୍ ଧରିଛି। ଆହୁରି ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ବିଜେଡିର କୌଣସି ନେତା ଅରୁଣଙ୍କ ଏହି ମନ୍ତବ୍ୟର ପ୍ରତିବାଦ କରିନାହାନ୍ତି। ପରୋକ୍ଷରେ ଏହି ମନ୍ତବ୍ୟଟି ଠିକ୍ ବୋଲି ବାର୍ତ୍ତା ଦେଇଛନ୍ତି। ଦୁଇ ଦିନ ତଳେ ରାଜ୍ୟର ଏକ ଟିଭି ଚ୍ୟାନେଲର କାର୍ଯ୍ୟକ୍ରମରେ ଅରୁଣ କହିଥିଲେ, ୫-ଟି ଖରାପ ଚିନ୍ତାଧାରା ନୁହେଁ। କିନ୍ତୁ ତାହାର କାର୍ଯ୍ୟକାରିତାରେ ଭୁଲ୍ ରହିଗଲା। ଯିଏ କାର୍ଯ୍ୟକାରୀ କଲା, ତାହା ଠିକ୍ ଭାବେ କଲାନି। ଆମେ ଚାଲିଗଲୁ।
ବିଜେପି ଉଦ୍ଦେଶ୍ୟରେ ଏ କଥା ବି ଅରୁଣ ଚେତାଇ ଦେଇଛନ୍ତି, ଆମେ ଯେମିତି ୫-ଟି ପାଇଁ ମଲୁ, ତୁମେ ସେମିତି ଓଡ଼ିଆ ଅସ୍ମିତା ପାଇଁ ମରିବ। କାରଣ ପୋଲାଭରମ, ମହାନଦୀ ପାଣି, ପୂର୍ବତନ ରାଜ୍ୟପାଳଙ୍କ ପୁଅର ମାଡ଼ ଘଟଣା, ଭରତପୁର ମାମଲାରେ ଓଡ଼ିଆ ଅସ୍ମିତା କୁଆଡ଼େ ଗଲା ବୋଲି ନିଶ୍ଚିତ ଭବିଷ୍ୟତରେ ପ୍ରଶ୍ନ ହେବ। ବିଜେଡିର ନିର୍ବାଚନ ପରାଜୟର କାରଣ ଏ ଯାଏ ଖୋଜାଗଲାନି। କାରଣ ଖୋଜିବା ପାଇଁ କମିଟି ଗଠନ ହେବ ବୋଲି ସବୁ ନେତା ଆରମ୍ଭରୁ କହୁଥିଲେ। କିନ୍ତୁ କମିଟି ଗଠନ ହେଲାନି କି ପରାଜୟର ସମୀକ୍ଷା ହେଲାନି। ତେବେ ଏହା ସ୍ପଷ୍ଟ ଯେ ଅନେକ ପ୍ରସଙ୍ଗ ମଧ୍ୟରୁ ନିର୍ବାଚନ ହାରିବାର ସବୁଠାରୁ ବଡ଼ କାରଣ ଥିଲା ‘ଓଡ଼ିଆ ଅସ୍ମିତା’। ବିଜେଡିରେ ନବୀନଙ୍କ ପରେ ଦଳର ମୁଖ୍ୟ ଚେହେରା ହୋଇଥିଲେ ତତ୍କାଳୀନ ଦ୍ବିତୀୟ କ୍ଷମତାକେନ୍ଦ୍ର ଭି କେ ପାଣ୍ଡିଆନ। ଆଉ ତାଙ୍କୁ ଟାର୍ଗେଟ୍ କରି ବିଜେପି ‘ଓଡ଼ିଆ ଅସ୍ମିତା’ କାର୍ଡ ଖେଳିଲା। ଏପରି ଭାବେ ବିଜେଡିକୁ ଆକ୍ରମଣ କରାଗଲା ଯେ ଦଳ ଚିତ୍ପଟାଙ୍ଗ ମାରିଲା। କିନ୍ତୁ ଏହି ସତ୍ୟଟିକୁ ବିଜେଡିର କୌଣସି ନେତା ଖୋଲାଖୋଲି କହିବାକୁ ସାହସ ଜୁଟାଇପାରୁ ନାହାନ୍ତି।
ଗତ ସରକାର ସମୟରେ ୫-ଟି ଏକ ବିଚିତ୍ର ବ୍ୟବସ୍ଥା ଥିଲା। କେବଳ ଜଣେ ବ୍ୟକ୍ତି ଭି କେ ପାଣ୍ଡିଆନଙ୍କୁ ଲକ୍ଷ୍ୟରେ ରଖି ଏହି ବ୍ୟବସ୍ଥା ସୃଷ୍ଟି କରାଯାଇଥିଲା। ୫-ଟି ପରି ଅସ୍ତିତ୍ବ ନଥିବା ଏକ ବିଭାଗର ସଚିବ ଭାବେ ତାଙ୍କୁ ଅବସ୍ଥାପିତ କରାଯାଇ ତାଙ୍କୁ ଅତ୍ୟନ୍ତ କ୍ଷମତାଶାଳୀ କରାଗଲା। ସବୁ ବିଭାଗକୁ ୫-ଟି ଅଧୀନକୁ ଆଣି ପାଣ୍ଡିଆନ୍ ନିଜକୁ ସର୍ବେସର୍ବା କରିଦେଲେ। ଏହା ପରେ ରାଜ୍ୟରେ ଏକ ଅଲୋଡ଼ା ରାଜନୈତିକ ଓ ପ୍ରଶାସନିକ ବ୍ୟବସ୍ଥା ସୃଷ୍ଟି ହେଲା। ବିଧିବଦ୍ଧ ଭାବେ ନବୀନଙ୍କ ପରେ ଭି କେ ପାଣ୍ଡିଆନ୍ ହିଁ ସର୍ବଶକ୍ତିମାନ ହେଲେ। ପୂରା ଶାସନ ଓ ପ୍ରଶାସନରେ ତାଙ୍କର ହାକିମାତି ଚାଲିଲା। କ୍ଷମତାର ଅପପ୍ରୟୋଗ ପାଣ୍ଡିଆନ୍ ଏତେ କଠୋର ଓ ଚତୁରତାର ସହ କରୁଥିଲେ ଯେ ବ୍ୟବସ୍ଥାରେ କେହି ପାଟି ଫିଟାଉ ନଥିଲେ। ୫-ଟି ମାଧ୍ୟମରେ ପ୍ରଶାସନକୁ କବଳିତ କରିବା ସହ ପରଦା ପଛରେ ରହି ବିଜେଡି ରାଜନୀତିକୁ ବି ପାଣ୍ଡିଆନ୍ ନିୟନ୍ତ୍ରଣ କରୁଥିଲେ। ବିଜେଡିରେ କିଏ କେଉଁ ପଦବିରେ ରହିବେ ଓ ଦଳର ରଣନୀତି କ’ଣ ହେବ, ସବୁ ନିଷ୍ପତ୍ତି ସେ ନେଉଥିଲେ। ସରକାରୀ ଚାକିରିରେ ଥିଲେ ବି ଦଳୀୟ ବ୍ୟାପାର ବୁଝୁଥିଲେ। ଯେତେବେଳେ ସେ ପ୍ରଶାସନକୁ ନିଜ ନିୟନ୍ତ୍ରଣକୁ ଆଣିଲେ, ତାହା ପରେ ସେ ବାହାରକୁ ଗୋଡ଼ କାଢ଼ିଲେ। ବିଭିନ୍ନ ସ୍ଥାନରେ ବ୍ୟୟବହୁଳ ସଭାସମିତି ଆୟୋଜନ କରି ଭାଷଣ ଦେଲେ। ଲୋକଙ୍କର ସେଠାରେ ଯାହା ଡିମାଣ୍ଡ ହେଲା ତାହା ପୂରଣ ହେବ ବୋଲି ଘୋଷଣା କଲେ। ବିଧାୟକ ଓ ସାଂସଦମାନେ ପୂରା ଅସହାୟ ହୋଇପଡ଼ିଥିଲେ।
ଏହା ପରେ ସେ ଚାକିରି ଛାଡ଼ି ୨୦୨୩ ନଭେମ୍ବରରେ ବିଜେଡିରେ ଯୋଗ ଦେଇଥିଲେ। ରାଜନୀତିକୁ ଆସିଲା ପରେ ପ୍ରଶାସନରେ ୫-ଟି ସଚିବ ପଦବି ଆଉ ରହିଲାନି। ଖାସ୍ ପାଣ୍ଡିଆନଙ୍କ ପାଇଁ ୫-ଟି ଅଧ୍ୟକ୍ଷ ନାମରେ ଆଉ ଏକ ପଦବି ସୃଷ୍ଟି କରାଯାଇ ତାଙ୍କୁ ଅଭିଷିକ୍ତ କରାଗଲା। ୫ଟି ବ୍ୟବସ୍ଥା ଯେ କେବଳ ଜଣଙ୍କ ଭାବମୂର୍ତ୍ତି ବଢ଼ାଇବା ପାଇଁ ଉଦ୍ଦିଷ୍ଟ ଥିଲା, ତାହା କାହାରିକୁ ଅଛପା ରହିଲା ନାହିଁ। କିନ୍ତୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଏପରି ଭାବେ ପାଣ୍ଡିଆନଙ୍କ ଉପରେ ନିର୍ଭରଶୀଳ ଥିଲେ ଯେ ନେତାମାନେ ପାଟି ଚୁପ୍ କରିବାକୁ ବାଧ୍ୟ ହେଉଥିଲେ। ବରଂ ପାଣ୍ଡିଆନଙ୍କ ଘନିଷ୍ଠ ହେବାକୁ ପ୍ରତିଦ୍ବନ୍ଦ୍ବିତା ଚାଲୁଥିଲା। ବିଧାନସଭା ଭିତରେ ଓ ବାହାରେ ୫-ଟି ସପକ୍ଷରେ ଯୁକ୍ତି ବାଢ଼ୁଥିଲେ। କେବଳ ସେତିକି ନୁହେଁ, ୫-ଟି ବିପକ୍ଷରେ ଯିଏ କହିଲା ସେ ବିଜେଡି ନେତାଙ୍କ ରୋଷର ଶୀକାର ହେଲା। ସମ୍ଭବତଃ ସେହି ସମୟରେ ବାସ୍ତବତାକୁ ବିଜେଡି ନେତାମାନେ ବୁଝିପାରିଥିଲେ, ନିର୍ବାଚନ ଫଳାଫଳ ଭିନ୍ନ ହୋଇଥା’ନ୍ତା ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।