ରା.ଉଦୟଗିରି: ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନୁଗୁରୁ ପଞ୍ଚାୟତ ଅନ୍ତର୍ଗତ ଉଆମା ଗ୍ରାମ ନିକଟ ଜଙ୍ଗଲରେ ବୁଲୁଛି ମହାରାଷ୍ଟ୍ରର ମହାବଳ ବାଘ। ଗତକାଲି ରାତିରେ ଉଆମା ଗ୍ରାମରେ ପଶି ଏକ ବଳଦକୁ ମାରି ଖାଇଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ପରେ ମହାବଳ ଢେପିରିଗୁଡ଼ି ଜଙ୍ଗଲ ଆଡକୁ ଯାଇଥିବା ମଧ୍ୟ ଅନୁମାନ କରାଯାଉଛି। ଏନେଇ ଖବର ଦିଆଯିବା ପରେ ରା.ଉଦୟଗିରି ରେଞ୍ଜ, ଦେବଗିରି ରେଞ୍ଜ ଓ ମହେନ୍ଦ୍ରଗିରି ରେଞ୍ଜ ବନ କର୍ମଚାରୀ ଉଆମା ଗ୍ରାମକୁ ଯାଇ ବାଘ ଉପସ୍ଥିତିର ସତ୍ୟତା ଯାଞ୍ଚ କରିଥିଲେ।

Advertisment

ମଧ୍ୟାହ୍ନ ୧୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବାଘ ପାଦଚିହ୍ନ ସମେତ ବିଭିନ୍ନ ସୂତ୍ରକୁ ଯାଞ୍ଚ କରିବା ପରେ ମହାବଳ ଏହି ସ୍ଥାନରେ ଘୂରି ବୁଲୁଥିବା ସ୍ପଷ୍ଟ କରିଥିଲେ। ଗତକାଲି ରାତିରେ ଗ୍ରାମକୁ ବାଘ ଆସିବା ସତ ବୋଲି ଡିଏଫ୍‌ଓ ଏସ.ଆନନ୍ଦ କହିଛନ୍ତି। ମହାବାଳଟି ଏବେ ଜିଲ୍ଲାର ରାୟଗଡ଼, ନୂଆଗଡ଼ ଏବଂ ଗୁମ୍ମା ବ୍ଲକ୍‌ ଜଙ୍ଗଲରେ ଘୂରି ବୁଲୁଛି। ତିନିଦିନ ତଳେ ରାୟଗଡ଼ ବ୍ଲକ୍‌ ଦେବଗିରି ବନାଞ୍ଚଳରେ ଥିଲା। ଗତ ୨୦ ତାରିଖରେ କୁମୁଲୁସିଂ ପଞ୍ଚାୟତର ଅଁଳାବର ଗ୍ରାମର ରୁଷାନ ଶବରଙ୍କ ଗାଈକୁ ମାରି ଖାଇବା ସହିତ ଆଖପାଖରେ ବୁଲୁଥିଲା। ତା’ ପର ଦିନ ବାଘ ଗତିବିଧି ଜଣାପଡ଼ିନଥିଲା। ଗତକାଲି ସେ ପୁଣି ଏକ ବଳଦ ଶିକାର କରିଥିଲା।