ବିପଦବେଳେ ବଦଳିଲା ବୃତ୍ତି: ପୋଷାକ ତିଆରି କରୁଥିଲେ, ଏବେ ମାସ୍କ

କେନ୍ଦୁଝର: ମାସ୍କ କଣ ସେମାନେ ଜାଣିନଥିଲେ। କେବେ ତିଆରି ମଧ୍ୟ କରିନଥିଲେ। ପୋଷାକ ସିଲେଇ କରି ଅଙ୍ଗନବାଡ଼ି କେନ୍ଦ୍ରର ଛୋଟଛୋଟ ପିଲାଙ୍କୁ ଯୋଗାଉଥିଲେ। କିନ୍ତୁ କରୋନା ମହାମାରୀ ସେମାନଙ୍କ ବୃତ୍ତିକୁ ଟିକେ ଭିନ୍ନ କରିଦେଇଛି। କେନ୍ଦୁଝର ସହର ଉପକଣ୍ଠ ନରଣପୁରସ୍ଥିତ ପ୍ରଗତି ଉତ୍ପାଦକ ସଂଘର ମହିଳାମାନେ ମାସ୍କ ତିଆରି କରି ବିପଦବେଳର ବନ୍ଧୁ ପାଲଟି ଯାଇଛନ୍ତି।

ପ୍ରଗତି ଉତ୍ପାଦକ ସଂଘରେ ୨୭ ଜଣ ମହିଳା ସଦସ୍ୟା ଅଛନ୍ତି। ଏମାନେ ବର୍ଷ ସାରା ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରର ଶିଶୁଙ୍କ ପାଇଁ ପୋଷାକ ତିଆରି କରୁଥିଲେ। କେବେକେବେ ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ପୋଷାକ ସିଲେଇ କରୁଥିଲେ। କିନ୍ତୁ କରୋନା କଟକଣା ଲାଗୁ ହେବାଠାରୁ ସମସ୍ତେ ଘରେ ରହୁଥିଲେ। ହାତରେ କାମ ନଥିଲା। କଣ କରିବେ ବୋଲି ଚିନ୍ତା କରୁଥିଲେ। ବଜାରରେ ମାସ୍କ ନିଅଣ୍ଟ ହେବାରୁ ଏହି ମହିଳାମାନେ ମାସ୍କ ତିଆରି ପାଇଁ ଅଣ୍ଟା ଭିଡ଼ିଥିଲେ। ମାର୍ଚ୍ଚ ୩୧ ତାରିଖରୁ ମାସ୍କ ତିଆରି ଆରମ୍ଭ କରିଥିଲେ। ନରଣପୁରଠାରେ ଥିବା ଏକ ଘରୋଇ ଅନୁଷ୍ଠାନର ଟେଲରିଂ ସେଣ୍ଟରରେ ମାସ୍କ ତିଆରି ଆରମ୍ଭ ହେବା ପରଠାରୁ ଆଉ ଏମାନଙ୍କୁ ଫୁରସତ୍‌ ନାହିଁ। କେନ୍ଦୁଝର ଜିଲ୍ଲା ପ୍ରଶାସନ ଏବଂ ଓରମାସ୍‌ ସହାୟତାରେ ମାସ୍କ ତିଆରି କରାଯାଉଛି। ଏଥିପାଇଁ ଡିଏମ୍‌ଏଫ୍‌ରୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଅନ୍ୟ ମାସ୍କ ଅପେକ୍ଷା ପ୍ରଗତି ଉତ୍ପାଦକ ସଂଘ ସଦସ୍ୟାଙ୍କ ଦ୍ବାରା ପ୍ରସ୍ତୁତ ମାସ୍କ‌ର ସ୍ବତନ୍ତ୍ରତା ରହିଛି। ସଂଘ ସଂପାଦିକା ନଳିନୀ ମହାନ୍ତଙ୍କ କହିବା ଅନୁସାରେ, ସେମାନଙ୍କ ଦ୍ବାରା ପ୍ରସ୍ତୁତ ଏହି ମାସ୍କ ସଂପୂର୍ଣ୍ଣ ସୁରକ୍ଷିତ। ଏହା ଦୁଇ ପରସ୍ତ ବିଶିଷ୍ଟ ହୋଇଥିବା ବେଳେ ଶତ ପ୍ରତିଶତ ସୂତା କପଡ଼ାରେ ତିଆରି। ଦୁଇଜଣ କପଡ଼ା କାଟିବା କାମରେ ନିୟୋଜିତ ଥିବା ବେଳେ ଅନ୍ୟ ୨୩ ଜଣ ମାସ୍କ ସିଲାଇ କରିଥାନ୍ତି। ଦୁଇଜଣ ମହିଳା ଏହାକୁ ସାନିଟାଇଜ୍‌ କରିବା ସହ ପ୍ୟାକେଟ୍‌ କରିଥାନ୍ତି। ସବୁଠୁ ବଡ଼ କଥା ହେଉଛି ଏହି ମାସ୍କ ତିଆରି ୟୁନିଟ୍‌ରେ ରହିଛି ୟୁଭି ଷ୍ଟେରିଲାଇଜିଂ ମେସିନ। ଯାହାଦ୍ବାରା ଏଠାରେ ପ୍ରସ୍ତୁତ ମାସ୍କ ସଂପୂର୍ଣ୍ଣ ସୁରକ୍ଷିତ ଏବଂ ଭୂତାଣୁ ରୋକିବାରେ ସକ୍ଷମ। ଏହି ମାସ୍କକୁ ଜିଲ୍ଲାର ହଜାର ହଜାର ପୁଲିସ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଯୋଗାଇ ଦିଆଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି, ମାସ୍କ ପ୍ରସ୍ତୁତ ବେଳେ ଆମେ ବିଭିନ୍ନ ପ୍ରକାର ସୁରକ୍ଷା ଓ ସତର୍କତାମୂଳକ ପଦକ୍ଷେପ ନେଉଛୁ। ଆମେ ନିଜେ ମାସ୍କ ବ୍ୟବହାର କରିବା ସହ ପ୍ରସ୍ତୁତ ହେଉଥିବା ମାସ୍କକୁ ଷ୍ଟେରିଲାଇଜ୍‌ କରିବା ପର୍ଯ୍ୟନ୍ତ ବିଭିନ୍ନ ପଦକ୍ଷେପ ନେଉଛୁ ବୋଲି ନଳିନୀ କହିଛନ୍ତି। ସଂଘର ରତ୍ନମଣି ମହାନ୍ତ, ଲୀଳାବତୀ ମହାନ୍ତ ଓ ସୁରେଖା ମହାନ୍ତ ନିଜ ଛୋଟ ଛୁଆଙ୍କୁ ଘରେ ଛାଡ଼ି ମାସ୍କ ପ୍ରସ୍ତୁତ କରୁଛନ୍ତି। ବିପଦ ବେଳେ ନିଜ ପିଲାଛୁଆ ଓ ପରିବାର ଛାଡ଼ି ମାସ୍କ ତିଆରିରେ ନିୟୋଜିତ ହୋଇଥିବା ଏହି ମହିଳାମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

ସଂପାଦିକା ନଳିନୀ ମହାନ୍ତଙ୍କ ସୂଚନା ଅନୁସ‌ାରେ, ଏଠାରେ ଦୈନିକ ୨ ହଜାରରୁ ୨୫୦୦ ପର୍ଯ୍ୟନ୍ତ ମାସ୍କ ପ୍ରସ୍ତୁତ‌ ହେଉଛି। ଜଣେ ମହିଳା ଦିନକୁ ୧୦୦ରୁ ୧୫୦ଟି ମାସ୍କ ତିଆରି କରି ୩୦୦ରୁ ୪୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିବାରେ ସମର୍ଥ ହେଉଛନ୍ତି। ଏହି ମାସ୍କର ମୂଲ୍ୟ ୧୦ ଟଙ୍କା ରହିଛି। ଖୋଦ୍‌ ଜିଲ୍ଲାପାଳ ଆଶିଷ ଠାକ୍‌ରେ ଏହି ମାସ୍କକୁ ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ପ୍ରଦାନ କରିଥିଲେ। ପରେ ଏହାକୁ ଜିଲ୍ଲା ପୁଲିସ ଅଧିକାରୀ ଓ କର୍ମଚାରୀମାନେ ବହୁଳଭାବେ ବ୍ୟବହାର କରୁଛନ୍ତି।

ସମ୍ବନ୍ଧିତ ଖବର