ଏଥର ମନ୍ତ୍ରୀମାନଙ୍କ ସଚିବାଳୟ ଦପ୍ତର କି କ୍ବାର୍ଟର୍ସ ନବୀକରଣ ହେବ ନାହିଁ

ଭୁବନେଶ୍ବର : ଏଥର ଉଭୟ କ୍ୟାବିନେଟ୍‌ ଓ ରାଷ୍ଟ୍ରମନ୍ତ୍ରୀମାନଙ୍କ ସଚିବାଳୟର ଦପ୍ତର ହେଉ କି ସେମାନଙ୍କୁ ମିଳିବାକୁ ଥିବା କ୍ବାର୍ଟର୍ସକୁ ନବୀକରଣ କରାଯିବ ନାହିଁ। ଆବଶ୍ୟକ ସ୍ଥଳେ କେବଳ ଚୂନ ଧଉଳା କରି କାର୍ଯ୍ୟ ଉପଯୋଗୀ କରାଯିବ। ଆଜି ପୁନର୍ବାର ପୂର୍ତ୍ତ ଏବଂ ଇସ୍ପାତ ଓ ଖଣି ମନ୍ତ୍ରୀ ପଦ ପାଇଥିବା କ୍ୟାବିନେଟ୍‌ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏଭଳି ପୂର୍ତ୍ତ ବିଭାଗକୁ ଏଭଳି ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ନବୀକରଣ ଏକ ଅନାବଶ୍ୟକ କାର୍ଯ୍ୟ। ଏଥିପାଇଁ ସରକାରୀ ତହବିଲ୍‌ରୁ ଅହେତୁକ ଭାବେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ ହେଉଛି। ଏହାକୁ ଦୃଷ୍ଟିରେ ରଖି କୌଣସି ବଡ଼ ଧରଣର ନବୀକରଣ କାର୍ଯ୍ୟ ନ କରି କେବଳ ଚୂନ ବା ରଙ୍ଗ ଦେଇ ଦପ୍ତର ଉପଯୋଗୀ କରିବାକୁ ସେ ପରାମର୍ଶ ଦେଇଛନ୍ତିି। କେବଳ ତୁଚ୍ଛା ପରାମର୍ଶ ନୁହେଁ, ସେ ନି‌େଜ ନିଜ ଦପ୍ତର କି କ୍ବାର୍ଟର୍ସର ରଙ୍ଗ ବି ନ ବଦଳାଇବାକୁ ନିର୍ଦେଶ ଦେଇଛନ୍ତି। ନବୀକରଣ କାର୍ଯ୍ୟ ତ ଦୂରର କଥା।

ପୂର୍ତ୍ତ ବିଭାଗ ସୂଚନା ଅନୁଯାୟୀ ନୂଆ ମନ୍ତ୍ରିମଣ୍ଡଳ ଗଠନ ହେଲେ ମନ୍ତ୍ରୀମାନଙ୍କର ଦପ୍ତର ଓ ସେମାନଙ୍କୁ ମିଳିବାକୁ ଥିବା ସରକାରୀ ବାସଭବନ(କ୍ବାର୍ଟର୍ସ) ନବୀକରଣ କରାଯାଇଥାଏ। ଅଧିକାଂଶ ମନ୍ତ୍ରୀମାନଙ୍କ ଇଚ୍ଛାନୁସାରେ ଦପ୍ତରର ଚଟାଣ ଟାଇଲ୍‌, କାନ୍ଥ, ୱାସ୍‌ରୁମ୍‌, କପ୍‌ବୋର୍ଡ ଆଦି ବଦଳେ। ପ୍ର‌ତ୍ୟେକ ଦପ୍ତରର ନବୀକରଣ ବାବଦରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ ହୋଇଥାଏ। ସେହିପରି କ୍ବାର୍ଟର୍ସ ନବୀକରଣ ପାଇଁ ଆହୁରି ଅଧିକ ଅର୍ଥ ଖର୍ଚ କରିବାକୁ ପଡ଼େ। ବାତ୍ୟା ଫନି ପାଇଁ ନବୀକରଣ ବାବଦରେ ବିପୁଳ ଅର୍ଥ ଖର୍ଚ ନ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ବିଭାଗୀୟ ଜଣେ ବରିଷ୍ଠ ଯନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର