ଭୁବନେଶ୍ବର : କେବଳ ଦିନ ନୁହେଁ ରାତିରେ ମଧ୍ୟ ‘ଆହାର’ରେ ଖାଇବା ମିଳିବ। ଆଜିଠାରୁ ‘ଆହାର’ରେ ରାତି ଭୋଜନର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାପିଟାଲ ହସ୍ପିଟାଲରେ ଥିବା ‘ଆହାର’ କେନ୍ଦ୍ରରୁ ଏହାର ଶୁଭାରମ୍ଭ କରିଛନ୍ତି। ଏହାସହ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ ପରିସରରେ ଖୋଲୁଥିବା ନୂଆ ‘ଆହାର’ କେନ୍ଦ୍ରର ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି। ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ଆତ୍ମୀୟ ଓ ଜନସାଧାରଣ ରାତିରେ ଖାଇବା ନେଇ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ରାତି ୭ଟାରୁ ୯ଟା ମଧ୍ୟରେ ‘ଆହାର’ କେନ୍ଦ୍ରରେ ଲୋକମାନେ ଭାତ, ଡାଲମା ଓ ଖଟା ମିଳିବ। ରାଜ୍ୟର ୫୬ଟି ଆହାର କେନ୍ଦ୍ରରେ ଏହି ସୁବିଧା ମିଳିବ। ୧୫ହଜାର ଲୋକ ଏହି ସୁବିଧା ପାଇପାରିବେ ବୋଲି ଜଣାପଡ଼ିଛି।
କ୍ୟାପିଟାଲ ହସ୍ପିଟାଲକୁ ବାଦ୍ ଦେଲେ କଳିଙ୍ଗ ହସ୍ପିଟାଲ ଓ ସମ୍ ହସ୍ପିଟାଲ ନିକଟରେ ଥିବା ‘ଆହାର’ କେନ୍ଦ୍ରରେ ଆଜିଠାରୁ ଏହି ସୁବିଧା ଆରମ୍ଭ ହୋଇଛି। କ୍ୟାପିଟାଲ ହସ୍ପିଟାଲରେ ଥିବା ଏହି କେନ୍ଦ୍ରରେ ରାତିରେ ୫ଶହ ଲୋକଙ୍କୁ ଖାଇବା ମିଳିବ। ପୂର୍ବରୁ ଏହି କେନ୍ଦ୍ରରେ ଦିନରେ ହଜାର ଲୋକଙ୍କୁ ଖାଇବା ଦିଆଯାଉଛି। ହସ୍ପିଟାଲରେ ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କୁ ମିଶାଇ କେତେଜଣ ଲୋକଙ୍କ ପାଇଁ ରାତି ଭୋଜନର ବ୍ୟବସ୍ଥା କରାଯିବ ଏଥିପାଇଁ ଗତ ୩ଦିନ ଧରି କସରତ ଚାଲିଥିଲା। ଶେଷରେ ୫ଶହ ଲୋକଙ୍କ ପାଇଁ ସ୍ଥିର ହୋଇଥିଲା। ସେହିପରି କଳିଙ୍ଗ ହସ୍ପିଟାଲ ଓ ସମ୍ ହସ୍ପିଟାଲ ନିକଟରେ ଥିବା ଆହାର କେନ୍ଦ୍ରରେ ୨୫୦ଜଣ ଲୋକଙ୍କୁ ରାତିରେ ଏହି ସୁବିଧା ମିଳିବ। ଆସନ୍ତା କିଛି ଦିନ ଭିତରେ ଏମ୍ସ ନିକଟରେ ଥିବା କେନ୍ଦ୍ରରେ ରାତି ଭୋଜନର ସୁବିଧା ଆରମ୍ଭ ହେବ। ‘ଆହାର’ କେନ୍ଦ୍ରରେ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତାର ଯାଞ୍ଚ ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅକ୍ଷୟପାତ୍ର ଫାଉଣ୍ଡେସନ୍ ପକ୍ଷରୁ ଖାଇବା ଯୋଗାଇ ଦିଆଯାଉଥିବା ବେଳେ ସଂସ୍ଥା ମଧ୍ୟ ନିଜର ଗୁଣବତ୍ତା ଯାଞ୍ଚ କରୁଛି। ଏହାସହ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ବାଦ୍ ଏକ ତୃତୀୟ ସଂସ୍ଥା ଖାଦ୍ୟର ମାନ ଯାଞ୍ଚ କରି ଗୋପନୀୟ ରିପୋର୍ଟ ପ୍ରଦାନ କରୁଛି।
ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଜନସାଧାରଣଙ୍କୁ ସାମିଲ କରିବା ପାଇଁ ‘ଆହାର’ କେନ୍ଦ୍ରରେ ଅନଲାଇନ ଦାନ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ ହେବ। ଜନସାଧାରଣ ଚାହିଁଲେ ନିଜ ପ୍ରିୟଜନଙ୍କ ଜନ୍ମଦିନ, ବିବାହ, ବିବାହ ବାର୍ଷିକୀ ଓ ଶ୍ରାଦ୍ଧ ଦିବସରେ ଲୋକମାନଙ୍କୁ ଖାଇବାକୁ ଦେଇ ପାରିବେ। ଏଥିପାଇଁ କେବଳ ଅନଲାଇନ୍ରେ ଦାନ ଗ୍ରହଣ କରାଯିବ ଓ ଏଥିପାଇଁ ଶତ ପ୍ରତିଶତ ଆୟକର ରିହାତି ମିଳିବ। ରାଜ୍ୟରେ ଏବେ ୭୬ଟି ପୌରାଞ୍ଚଳରେ ଆହାର କେନ୍ଦ୍ର ଥିବା ବେଳେ ଆସନ୍ତା ସାଧାରଣତନ୍ତ୍ର ଦିବସରୁ ଅବଶିଷ୍ଟ ୩୨ଟି ପୌରାଞ୍ଚଳରେ ଏହି କେନ୍ଦ୍ର ଉପଲବ୍ଧ ହେବ। ଏହି କେନ୍ଦ୍ର ଖୋଲିବା ପରେ ରାଜ୍ୟରେ ଦିନକୁ ୧ଲକ୍ଷ ଲୋକଙ୍କୁ ରିହାତି ଦରରେ ଖାଦ୍ୟ ମିଳିପାରିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
କ୍ୟାପିଟାଲ ହସ୍ପିଟାଲର ଉଦ୍ଘାଟନ କାର୍ଯ୍ୟକ୍ରମରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା, ବିଭାଗୀୟ ସଚିବ ଜି.ମାଥିଭାତନମ୍ ଓ ବିଭିନ୍ନ ୱାର୍ଡର କର୍ପୋରେଟରମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/ahara-kendra-cm.jpg)