ଭୁବନେଶ୍ବର: ଏବେ ବଦଳିବନି ସରକାରୀ ବିଦ୍ୟାଳୟଗୁଡ଼ିକର ନାମଫଳକ। ୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପୂର୍ବ ନିଷ୍ପତ୍ତିକୁ ସ୍ଥଗିତ ରଖିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ନାମଫଳକ ପରିବର୍ତନ କରାଯିବା ଦ୍ବାରା ନିର୍ବାଚନ ସମୟରେ ଆଇନଗତ ସମସ୍ୟା ଉପୁଜିବାର ଆଶଙ୍କା ରହିଛି। ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଗଣଶିକ୍ଷା ସଚିବକୁ ଚିଠି ପଠାଯିବା ପରେ ନିର୍ବାଚନ ପର୍ଯ୍ୟନ୍ତ ନାମଫଳକ ପରିବର୍ତନକୁ ସ୍ଥଗିତ ରଖିବା ପାଇଁ ନିର୍ଦେଶ ଦିଆଯାଇଛି। ୨୦୧୯ରେ ମାର୍ଚ୍ଚ ମାସ ବେଳକୁ ସାରା ଦେଶରେ ସାଧାରଣ ନିର୍ବାଚନ ହେବ। ହାତରେ ଆଉ ମାତ୍ର ୩ ମାସ ବାକିଥିବା ବେଳେ ନିର୍ବାଚନ ଆୟୋଗଙ୍କ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଛି। ଏଥର ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାରେ ୩୭ ହଜାର ୬୦୬ଟି ପୁଲିଂ ବୁଥ୍ କରାଯିବ। ସେଥିରେ ସରକାରୀ ବିଦ୍ୟାଳୟ ସଂଖ୍ୟା ଅଧିକ। ପୁଲିଂ ବୁଥ୍ଗୁଡ଼ିକ ସମ୍ପର୍କରେ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଯାଇଛି। ଏଭଳି ସମୟରେ ଯଦି ସ୍କୁଲର ନାମଫଳକ ପରିବର୍ତନ କରାଯାଏ, ତେବେ ନିର୍ବାଚନ ସମୟରେ ଆଇନଗତ ସମସ୍ୟା ଦୃଷ୍ଟି ହେବ। ଯଦି ବି ପରିବର୍ତନ କରାଯାଉଛି, ତେବେ ଏନେଇ ନିର୍ବାଚନ ଆୟୋଗଙ୍କ ସମେତ ସମସ୍ତ ରାଜନୈତିକ ଦଳ, ସାଧାରଣ ଭୋଟର୍ଙ୍କୁ ଜଣାଇବାକୁ ପଡ଼ିବ। ତାହାକୁ ଦୃଷ୍ଟିରେ ରଖି ନିଷ୍ପତ୍ତିକୁ ନିର୍ବାଚନ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଗତ ୧୪ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ନିକଟକୁ ଚିଠି ଲେଖିଥିଲେ।
ଗଣଶିକ୍ଷା ବିଭାଗ ସଚିବ ଶ୍ରୀ ମହାପାତ୍ର ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ, ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ, ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ ଓ ଓପେପା ନିର୍ଦେଶକଙ୍କୁ କହିଛନ୍ତି ଯେ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ ସରିବା ପର୍ଯ୍ୟନ୍ତ ନାମଫଳକ ପରିବର୍ତନ ନିଷ୍ପତ୍ତିକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ଗୃହ ଓ ନଗର ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ, ପଞ୍ଚାୟତିରାଜ ବିଭାଗ, ପାନୀୟ ଜଳ ଓ ଗ୍ରାମାଞ୍ଚଳ ଉନ୍ନୟନ ବିଭାଗ ନିର୍ବାଚନ ସରିବା ପର୍ଯ୍ୟନ୍ତ ପୁଲିଂ ବୁଥ୍ ପାଇଁ ଚିହ୍ନଟ ହୋଇଥିବା ସ୍କୁଲଗୃହଗୁଡ଼ିକର ରକ୍ଷଣାବେକ୍ଷଣ କରିବେ। ଗତ ଅଗଷ୍ଟ ମାସରେ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ସମସ୍ତ ସରକାରୀ ବିଦ୍ୟାଳୟର ନାମଫଳକ ଓଡ଼ିଆ ଭାଷାରେ ଲେଖା ହେବ। ଏହାର ରଙ୍ଗ ଗୋଟିଏ ପ୍ରକାର ଓ ବଡ଼ ଅକ୍ଷରରେ ଲେଖାଯିବ। ଓଡ଼ିଆରେ ଲେଖାଯିବା ପରେ ତଳ ଧାଡ଼ିରେ ଇଂରାଜୀ କିମ୍ବା ଅନ୍ୟ କୌଣସି ଭାଷାରେ ବିଦ୍ୟାଳୟ ନାମ ତୁଳନାତ୍ମକ ଭାବେ ଛୋଟ ଅକ୍ଷରରେ ଲେଖାଯାଇପାରେ। ଲେଖାର ପ୍ରଚ୍ଛଦପଟ୍ଟ ଟେରାକୋଟା ରଙ୍ଗର ହେବା ସହ ଅକ୍ଷରଗୁଡ଼ିକ ଧଳା ରଙ୍ଗରେ ଲେଖାଯିବ। ନାମଫଳକ ବିଦ୍ୟାଳୟ ଗୃହର ସମ୍ମୁଖ ଭାଗରେ ରହିବ। ନାମଫଳକରେ ସରକାରୀ ବିଦ୍ୟାଳୟର ନାମ ଲେଖିବା ସହ କେତୋଟି ଶ୍ରେଣୀରେ ଶିକ୍ଷାଦାନ କରାଯାଉଛି, ବିଦ୍ୟାଳୟଟି କେବେ ପ୍ରତିଷ୍ଠା ହୋଇଛି, ସେ ସମ୍ପର୍କରେ ଉଲ୍ଲେଖ ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/maxresdefault-9.jpg)