ଗଜପତିର ପ୍ରସିଦ୍ଧ ଖଜୁରୀ ଗୁଡ଼କୁ ଜିଆଇ ମାନ୍ୟତା ପାଇଁ ଓଡ଼ିଶାର ଆବେଦନ

ଭୁବନେଶ୍ୱର : ଗତ ବର୍ଷ ଓଡ଼ିଶାର ପ୍ରସିଦ୍ଧ ମିଠା ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ପରେ ରାଜ୍ୟ ସରକାର ଗଜପତିର ଖଜୁରୀ ଗୁଡ଼କୁ ଜିଆଇ ମାନ୍ୟତା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।

ଗଜପତି ଖଜୁରୀ ଗୁଡ଼କୁ ଜିଆଇ ମାନ୍ୟତା ଲାଗି ରାଜ୍ୟ ତାଳଗୁଡ଼ ସମବାୟ ସଂଘ ଲିଃ ପକ୍ଷରୁ କେନ୍ଦ୍ର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରାଳୟର ଆଇପିଆର ବିଶେଷଜ୍ଞ ଡ.ପି. କାର୍ତ୍ତିକେୟନଙ୍କ ମାଧ୍ୟମରେ ଆବେଦନ କରାଯାଇଛି ।

ଏହି ଅବସରରେ ଡ. କାର୍ତ୍ତିକେୟନ କହିଛନ୍ତି ଯେ ଖଜୁରୀ ଗଛର ନୀରରୁ ଏହି ଗୁଡ଼ ପ୍ରସ୍ତୁତ କରାଯାଇଥାଏ । ଗଜପତି ଜିଲ୍ଲାରେ ପାରମ୍ପରିକ ପଦ୍ଧତିରେ ଏହି ଗୁଡ଼ ପ୍ରସ୍ତୁତ କରାଯାଇଥାଏ, ଯେଉଁଥିରେ କି କୌଣସି କୃତ୍ରିମ ରସାୟନ ବା ରଙ୍ଗର ବ୍ୟବହାର କରାଯାଇନଥାଏ । ଏଣୁ ଏହାର ଏକ ସ୍ୱତନ୍ତ୍ର ସ୍ୱାଦ ଓ ରଙ୍ଗ ରହିଛି । କେନ୍ଦ୍ର ସରକାରଙ୍କ ପରୀକ୍ଷାଗାରରେ ମଧ୍ୟ ଏହାର ସ୍ୱତନ୍ତ୍ରତା ପ୍ରମାଣିତ ହୋଇଛି । ଏହାର ମଧ୍ୟ ଅନେକ ଔଷଧିୟ ଗୁଣ ରହିଥିବାରୁ ଏହାକୁ ଆୟୁର୍ବେଦ ଔଷଧରେ ବ୍ୟବହାର କରାଯାଇଥାଏ । ଏଥିରେ ମଧ୍ୟ ବିଭିନ୍ନ ପ୍ରକାରର ଭିଟାମିନ ରହିଛି । ଆଖୁ ରସର ପ୍ରସ୍ତୁତ ଗୁଡ଼ ତୁଳନାରେ ଏଥିରେ କମ ଶର୍କରା ଥିବାରୁ ଏହା ମଧୁମେହ ରୋଗୀମାନେ ସେବନ କରିଥାନ୍ତି ।
ଆବେଦନ କରାଯିବା ପରେ ଜିଆଇ ଟ୍ୟାଗ ମିଳିବାକୁ ପ୍ରାୟ ଏକ ବର୍ଷ ସମୟ ଲାଗିଥାଏ ।

ସମ୍ବନ୍ଧିତ ଖବର