ଏମସିଆଇ ନିୟମାବଳୀକୁ ଖାତିର ନାହିଁ, କାର୍ଡିଓଥୋରାସିକ୍ ବିଭାଗରୁ ବଦଳି ହୋଇଗଲେ ୨ ଡାକ୍ତର

ଦୁଇ ଡାକ୍ତରରେ ଚାଲିଛି ଓପନ୍‌ ହାର୍ଟ ସର୍ଜରି, ଅସ୍ତ୍ରୋପଚାର ଅପେକ୍ଷାରେ ୱାର୍ଡରେ ୨୫ ରୋଗୀ

କଟକ ଏସ୍‌ସିବିରେ ବନ୍ଦ ହେବା ସ୍ଥିତିରେ ପହଞ୍ଚିଛି ଓପନ୍‌ ହାର୍ଟ ସର୍ଜରି। ଅପେକ୍ଷା କରିଥିବା ରୋଗୀଙ୍କ ଅସ୍ତ୍ରୋପଚାର କରୁଛନ୍ତି ୨ ଜଣ ଡାକ୍ତର। କିନ୍ତୁ ଏହା ଏମସିଆଇ ନିୟମାବଳୀର ଖୋଲା ଉଲ୍ଲଂଘନ କରୁଥିବାବେଳେ ଏ ବ୍ୟବସ୍ଥା କେତେ ଦିନ ଚାଲିବ, ତାହାକୁ ନେଇ ପ୍ରଶ୍ନ ଉଠୁଛି। ବିଭାଗରେ ୪ ଜଣ ଡାକ୍ତର ଥିଲେ। କିନ୍ତୁ ୨ ଜଣଙ୍କ ବଦଳି ପରେ ଏବେ ୨ଜଣଙ୍କୁ ନେଇ ଚାଲିଛି ହୃଦ୍‌ବକ୍ଷଶଲ୍ୟ ବିଭାଗ। ଯେହେତୁ ରୋଗୀ ଆସୁଛନ୍ତି, ସେଥିପାଇଁ ୨ ଜଣ ବିଶେଷଜ୍ଞଙ୍କୁ ନେଇ ଚାଲିଛି ବିଭାଗ ଓ ଓପନ୍‌ ହାର୍ଟ ସର୍ଜରି। ସରକାରୀ ବ୍ୟବସ୍ଥାରେ ରାଜ୍ୟର କେବଳ ଏସ୍‌ସିବି ମେଡିକାଲ କଲେଜରେ ‘ଓପନ୍‌ହାର୍ଟ ସର୍ଜରି’ ଅସ୍ତ୍ରୋପଚାର ହୋଇପାରୁଥିବାରୁ ଅନେକ ଗରିବ ରୋଗୀଙ୍କ ଆଶା ଭରସା ରହିଛି ଏହି ବିଭାଗ ଉପରେ। ଅନ୍ୟପଟେ ଏବେ ସ୍ଥିତି ଏମିତି ଯେ, ପାଖାପାଖି ୱାର୍ଡରେ ଅସ୍ତ୍ରୋପଚାର ପାଇଁ ୨୫ରୋଗୀ ଅପେକ୍ଷାରେ କରିଛନ୍ତି। କେବେ ପାଳି ପଡିବ, ସେମାନେ ଜାଣିନାହାନ୍ତି।

ସୂଚନା ଅନୁସାରେ, ଏସ୍‌ସିବି ରାଣୀହାଟ ଗେଟ୍ ପାଖରେ ହୃଦ୍‌ରୋଗ ବିଭାଗ ଉପର ମହଲାରେ ରହିଛି ହୃଦ୍‌ବକ୍ଷଶଲ୍ୟ ବିଭାଗ। ବିଭାଗରେ ରହିବା କଥା ୮ ଜଣ ବିଶେଷଜ୍ଞ । କିନ୍ତୁ ପ୍ରଥମରୁ ୪ଜଣ ବିଶେଷଜ୍ଞଙ୍କୁ ନେଇ ଚାଲିଥିଲା ବିଭାଗ। ହେଲେ ଏବେ ୪ ବଦଳରେ ୨ଜଣଙ୍କୁ ନେଇ ଚାଲୁଛି ବିଭାଗ। ଏମ୍‌ସିଆଇ ଗାଇଡ୍‌ଲାଇନ୍‌ କହୁଛି ୨ଜଣ ବିଶେଷଜ୍ଞରେ ଓପନ୍‌ ହାର୍ଟ ସର୍ଜରି କରାଯାଇପାରିବ ନାହିଁ। ଏଥିପାଇଁ ଡାକ୍ତରୀ ଟିମ୍‌ ଦରକାର। ହେଳେ ବିଭାଗର ଡାକ୍ତର ସମସ୍ୟା, ଷ୍ଟନାଲ୍‌ ସ’, ହୃଦ୍‌ବକ୍ଷ ଶଲ୍ୟ ବିଭାଗ ପକ୍ଷରୁ ଟ୍ରାନ୍ସ ଇସୋଫାଜିଆଲ ଇକୋ କାଡିଓଗ୍ରାମ୍‌ ମେସିନ୍‌ ଯୋଗାଇ ଦେବା, ଆବଶ୍ୟକ କର୍ମଚାରୀ ଯୋଗାଇ ଦେବା ପାଇଁ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକ ମଧ୍ୟ ସ୍ବାସ୍ଥ୍ୟ ସଚିବ, ଏସ୍‌ସିବି ମେଡିକାଲ କଲେଜ ଅଧ୍ୟକ୍ଷ, ଅଧୀକ୍ଷକଙ୍କୁ ଚିଠି ଲେଖିଥିବା ଜଣାପଡିଛି। ଅନ୍ୟପଟେ, ରାଜ୍ୟରେ ୭ଟି ମେଡିକାଲ କଲେଜ ମଧ୍ୟରୁ କଟକ ବଡମେଡିକାଲ ଓ ବ୍ରହ୍ମପୁର ଏମ୍‌କେସିଜିରେ ହୃଦ୍‌ବକ୍ଷଶଲ୍ୟ ବିଭାଗ (କାର୍ଡିଓଥୋରାସିସ୍‌) ରହିଛି। ବ୍ରହ୍ମପୁରରେ ଓପନ୍‌ହାର୍ଟ ସର୍ଜରି ହୋଇପାରୁନଥିବା ବେଳେ ସେଠାରେ ମଧ୍ୟ ଡାକ୍ତର ନାହାନ୍ତି। ତେଣୁ ବ୍ରହ୍ମପୁରରେ ଖାଲି ଥିବା ଡାକ୍ତର ପଦ ପୂରଣ ପାଇଁ ଏସ୍‌ସିବିରେ ସିନିୟର ରେସିଡେଣ୍ଟ ଥିବା ଡାକ୍ତରଙ୍କୁ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ପଦୋନ୍ନୋତି ଦିଆଯାଇ ନିଯୁକ୍ତି ଦିଆଯାଇଛି। କିନ୍ତୁ ବ୍ରହ୍ମପୁରରେ ଓପନ୍‌ ହାର୍ଟ ସର୍ଜରି ହୋଇପାରୁନି କି ଏବେ ଜଣେ ଡାକ୍ତର ଗଲାପରେ ମଧ୍ୟ ଓପନ୍‌ ହାର୍ଟ ସର୍ଜରି ହୋଇପାରିବ ନାହିଁ। ତେଣୁ ଓପନ୍‌ ହାର୍ଟ ସର୍ଜରି ପାଇଁ ଏସ୍‌ସିବି ହିଁ କେବଳ ରୋଗୀଙ୍କ ଭରସା। ବାହାରେ ଅସ୍ତ୍ରୋପଚାର କଲେ ୨ରୁ ୫ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏସ୍‌ସିବିରେ କିନ୍ତୁ ମାଗଣାରେ ହେଉଛି ଅସ୍ତ୍ରୋପଚାର। ଫଳରେ ପ୍ରତି ଓପିଡିରେ ଅନେକ ରୋଗୀ ଆସୁଥିବା ବେଳେ ସ୍ଥାନ ଅଭାବ, ଡାକ୍ତର ସମସ୍ୟା ଯୋଗୁଁ ପ୍ରତି ଓପିଡିରେ ୨୫ରୁ ୩୦ଜଣ ରୋଗୀ ଫେରୁଛନ୍ତି।

ସମ୍ବନ୍ଧିତ ଖବର