ପଞ୍ଚାୟତିରାଜ ବିଭାଗ କରିବ ଶିକ୍ଷା ଓ ସ୍ବାସ୍ଥ୍ୟ ଅନୁଷ୍ଠାନ ବିକାଶ, ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ସୂଚନା ଦେଲେ

ଅନ୍ୟ ଯୋଜନା ସହ ଅର୍ଥ ଆୟୋଗ ମିଶି ଖର୍ଚ୍ଚ ହେବ, ପ୍ରତି ପଞ୍ଚାୟତରେ ଗୋଟିଏ ଉଚ୍ଚ ବିଦ୍ୟାଳୟ ହେବ ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ବର: ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ, ପ୍ରାଥମିକ ତଥା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକ ଏଣିକି ପଞ୍ଚାୟତ ସମିତି ମାଧ୍ୟମରେ ମରାମତି ବା ରକ୍ଷଣାବେକ୍ଷଣ ତଥା ଉନ୍ନତୀକରଣ କରାଯିବ। କେବଳ ସେତିକି ନୁହେଁ, ପ୍ରତି ପଞ୍ଚାୟତରେ ଅନ୍ତତଃ ଗୋଟିଏ ଉଚ୍ଚ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟ ଭାବରେ ଗଢି ତୋଳିବା ସହିତ ଏଥିରେ ସମସ୍ତ ପ୍ରକାର ଆଧୁନିକୀକରଣ ବ୍ୟବସ୍ଥା କରାଯିବ।

ଅର୍ଥ ଆୟୋଗ ଅନୁଦାନ ବିନିଯୋଗ ସଂପର୍କରେ ବିଧାନସଭାରେ ସୂଚନା ଦେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଆଜି ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ପଞ୍ଚାୟତ ସମିତିସ୍ତରରେ ସ୍ମାର୍ଟ କ୍ଲାସ୍ ରୁମ୍, ଶୌଚାଳୟ, ପାନୀୟ ଜଳ, ସ୍କୁଲ ଉଦ୍ୟାନ, ଖେଳ ପଡିଆ, ପ୍ରାଚୀର ଓ ସବୁଜ ବଳୟ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ସହ ବିଦ୍ୟାଳୟର ସୌନ୍ଦର୍ଯୀକରଣ କାର୍ଯ୍ୟ ଏଣିକି ଅର୍ଥ ଆୟୋଗ ଟଙ୍କାରେ କରାଯିବ। ସେହିପରି ରୋଗୀ ପ୍ରତୀକ୍ଷାଳୟ, ଶୌଚାଳୟ, ପରିମଳ ବ୍ୟବସ୍ଥା, ବାହ୍ୟ ଆଲୋକୀକରଣ, ପ୍ରାଚୀର ସହିତ ସବୁଜ ବଳୟ ଆଦି ବାବଦରେ ମଧ୍ୟ ଅର୍ଥ ଆୟୋଗ ସହିତ ମନରେଗା, ଏମଏଲଏ ଓ ଏମ୍‌ପି ଲାଡ୍, ମୋ ବିଦ୍ୟାଳୟ, ଆବଶ୍ୟକସ୍ଥଳେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ, କେବିକେ ପାଣ୍ଠିର ଏକାଭିମୁଖୀକରଣ କରାଯିବ।

ଗ୍ରାମପଞ୍ଚାୟତ ସ୍ତରରେ ନିଆଯିବାକୁ ଥିବା ପ୍ରକଳ୍ପ ସଂପର୍କରେ ସୂଚନା ଦେଇ ମନ୍ତ୍ରୀ କହିଥିଲେ ଯେ ସମସ୍ତ ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ଏଲଆଇ ସେଣ୍ଟର, ଏଏନ୍‌ଏମ୍‌ କେନ୍ଦ୍ର ଇତ୍ୟାଦିର ମରାମତି ଅର୍ଥ ଆୟୋଗ ପାଣ୍ଠିରେ ହେବ। ସେହିଭଳି ଶୌଚାଳୟ, ପାନୀୟ ଜଳ, ଖେଳପଡିଆ, ଶିଶୁ ଉଦ୍ୟାନ କ୍ଷେତ୍ରରେ ମଧ୍ୟ ଏହି ପାଣ୍ଠି ସହିତ ମନରେଗା ମିଶି ଖର୍ଚ୍ଚ ହେବ। ଗ୍ରାମାଞ୍ଚଳରେ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇବା ପାଇଁ ଅନ୍ୟ ଯୋଜନା ସହିତ ଅର୍ଥ ଆୟୋଗଙ୍କ ଅନୁଦାନରୁ ବାର୍ଷିକ ୩୦ ପ୍ରତିଶତ ଖର୍ଚ୍ଚ ହେବ। ଗ୍ରାମାଞ୍ଚଳର ସମସ୍ତ ଘରକୁ ପାଇପ୍ ଦ୍ବାରା ପାନୀୟ ଜଳ ଯୋଗାଣ ନିମନ୍ତେ ଅର୍ଥ ଆୟୋଗ ଅନୁଦାନର ଅଂଶଧନ ୧୦ଲକ୍ଷ ଟଙ୍କାକୁ ରାଜ୍ୟ ସରକାରଙ୍କ ବସୁଧା ଓ କେନ୍ଦ୍ରର ଜଳ ଜୀବନ ମିସନ ଟଙ୍କା ସହିତ ମିଶାଇ ବିନିଯୋଗ କରାଯିବ। ଜିଲ୍ଲା ପରିଷଦସ୍ତରରେ ଅର୍ଥ ଖର୍ଚ୍ଚ ସଂପର୍କରେ ସୂଚନା ଦେଇ ମନ୍ତ୍ରୀ କହିଥିଲେ ଯେ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ ଦୁଇ ବିଦ୍ୟାଳୟ), ସଦର ମହକୁମା ଓ ଉପଖଣ୍ଡ ଚିକିତ୍ସାଳୟର ମରାମତି ଏବଂ ରକ୍ଷଣାବେକ୍ଷଣ ଆଦିରେ ଅର୍ଥ ଆୟୋଗ ପାଣ୍ଠି ବିନିଯୋଗ ହେବ। ଗ୍ରାମାଞ୍ଚଳରେ ଶିକ୍ଷା ଓ ସ୍ବାସ୍ଥ୍ୟ ଅନୁଷ୍ଠାନକୁ ସବୁଦିନିଆ ରାସ୍ତା ସଂଯୋଗୀକରଣକୁ ପ୍ରାଥମିକତା ଦିଆଯିବ।

ସମ୍ବନ୍ଧିତ ଖବର