୪୫ ମିନିଟ୍ ନୁହେଁ, ଏଣିକି ଦେଢ଼ ଘଣ୍ଟିଆ କ୍ଲାସ୍

ଭୁବନେଶ୍ବର: ଏଣିକି ବିଜ୍ଞାନ, ଗଣିତ ଓ ଇଂରାଜୀ ବିଷୟ ୪୫ ମିନିଟ୍ ନୁହେଁ ଦେଢ଼ ଘଣ୍ଟା ପଢ଼ାଯିବ। ଏହି ୩ଟି ବିଷୟରେ ଛାତ୍ରଛାତ୍ରୀମାନେ ଦୁର୍ବଳ ରହୁଥିବାରୁ ଏଥିପାଇଁ ଅଧିକ ୪୫ ମିନିଟ୍‌ ପଢ଼ାଯିବା ନେଇ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଷଷ୍ଠରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଏହି ନିୟମ ଲାଗୁ ହେବ। ଚଳିତ ଶିକ୍ଷାବର୍ଷରୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦେଶ ଦିଆଯାଇଛି ବୋଲି ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି, ଶିକ୍ଷା ବିଭାଗରେ ଅନେକ ସଂସ୍କାରମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳକୁ ସମୀକ୍ଷା କରାଯିବା ଦ୍ବାରା ଅଧିକାଂଶ ପିଲା ଇଂରାଜୀ, ବିଜ୍ଞାନ ଓ ଗଣିତରେ ଖରାପ ଫଳାଫଳ କରୁଥିବା ଦେଖିବାକୁ ମିଳିଥଲା। ତେଣୁ ଏହି ୩ଟି ବିଷୟକୁ ଅଧିକ ଗୁରୁତ୍ବ ଦେବା ପାଇଁ ଦେଢ଼ ଘଣ୍ଟା ପଢ଼ାଇବା ପାଇଁ ରାଜ୍ୟର ସମସ୍ତ ଶିକ୍ଷକମାନଙ୍କୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ତେବେ ଅନ୍ୟ ବିଷୟଗୁଡ଼ିକୁ ନିର୍ଧାରିତ ସମୟ ତଥା ୪୫ ମିନିଟ୍ ପଢ଼ାଯିବା ପାଇଁ କୁହାଯାଇଛି। ସେହିପରି ପ୍ରାଥିମକ ସ୍ତରରୁ ଇଂରାଜୀ ଶିକ୍ଷାକୁ ଗୁରୁତ୍ବ ଦିଆଯିବା ସହ ପିଲାମାନେ କିଭଳି ଭଲ ନମ୍ବର ରଖିବେ ତାହା ଉପରେ ଦୃଷ୍ଟି ଦିଆଯାଇଛି। ପାଇଲଟ୍ ପ୍ରକଳ୍ପ ଜରିଆରେ ଜିଲ୍ଲାସ୍ତରରେ ଏବେ ଗୋଟିଏ ସ୍କୁଲକୁ ବଛାଯିବ।‌ ସେଠାରେ ସ୍ବତନ୍ତ୍ର ଇଂରାଜୀ ଶିକ୍ଷା ଦିଆଯିବ। ଆଗାମୀ ଦିନରେ ବ୍ଲକ୍‌ସ୍ତରରେ ସ୍ବତନ୍ତ୍ର ଇଂରାଜୀ ଶିକ୍ଷା ଦିଆଯିବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି। ଉଲ୍ଲେଖ ଯେ, ଚଳିତ ମାଟ୍ରିକ୍ ପରୀକ୍ଷାରେ ପାସ୍ ହାର ନୈରାଶ୍ୟଜନକ ଥିବା ବେଳେ ଏହି ୩ଟି ବିଷୟରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଖରାପ ରହିଥିଲା। ଯାହାକି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଚିନ୍ତା ବଢ଼ାଇଥିଲା। ଚାରିଆଡ଼ୁ ସମାଲୋଚନାର ଶିକାର ହେବା ପରେ ଏହି ସମସ୍ୟାର କିଭଳି ମୁକାବିଲା କରାଯିବ ସେଥିପାଇଁ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର