କଟକ : ପୂର୍ବରୁ ପୀଡ଼ିତା ନାବାଳିକା ଥାନାରେ ଏତଲା ନଦେଲେ ଡାକ୍ତରୀ ପରୀକ୍ଷା ସମ୍ଭବ ହେଉ ନଥିଲା । କିନ୍ତୁ ଏବେ ପୀଡ଼ିତା ଜଣକ ମେଡିକାଲ୍ରେ ଡାକ୍ତରଙ୍କୁ ପ୍ରଥମେ ଅବଗତ କରି ଡାକ୍ତରୀ ପରୀକ୍ଷା କରାଇପାରିବେ । ଥାନା ପୁଲିସର ବିନା ଚିଠିରେ ପରୀକ୍ଷା କରାଯିବା ସମ୍ପର୍କରେ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ରହିଛି । କିନ୍ତୁ ଅନେକ ସମୟରେ ହସ୍ପିଟାଲ୍ କର୍ତ୍ତୃପକ୍ଷ ଏହାର ଖିଲାପ କରୁଛନ୍ତି। ରାଜ୍ୟରେ ନାବାଳିକା ଦୁଷ୍କର୍ମ ଘଟଣା ଲଜ୍ଜାଜନକ ସ୍ଥିତି ସୃଷ୍ଟି କରିଥିବା ବେଳେ ରାଜ୍ୟ କ୍ରାଇମ୍ବ୍ରାଞ୍ଚ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏ ପ୍ରକାର ଏସ୍ଓପି(ସ୍ପେଶାଲ ଅପରେସନ୍ ପ୍ରୋସିଜିଓର) ଜାରି କରିଛି । ପୀଡ଼ିତା ନାବାଳିକାଙ୍କ ଡାକ୍ତରୀ ପରୀକ୍ଷା ଏବଂ ପ୍ରମାଣ ସଂଗ୍ରହ କିପରି କରାଯିବ, ସେ ସମ୍ପର୍କରେ ଏସ୍ଓପିରେ ଉଲ୍ଲେଖ କରାଯାଇଛି।
ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସାରା ଦେଶର ଡାକ୍ତରଙ୍କ ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ (ଚିଠି ନଂ ୭୦୬୩୫)ଜାରି କରିଥିଲା । ସେହି ଆଧାରରେ ରାଜ୍ୟ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ (ଚିଠି ନଂ ୨୦୦୮୧/ସିଆଇଡି-ସିବି) ରାଜ୍ୟରେ ସମସ୍ତ ଜିଲ୍ଲା ସିଡିଏମ୍ଓ/ଏସ୍ଡିଏମ୍ଓ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ ଉଦ୍ଦେଶ୍ୟରେ ଏସ୍ଓପି ଜାରି କରାଯାଇଛି ।
ସୂଚନା ଅନୁସାରେ, ପୀଡ଼ିତା ନାବାଳିକା ପ୍ରଥମେ ମେଡିକାଲରେ ପହଞ୍ଚିଲା ପରେ ଡାକ୍ତର କିଭଳି ଚିକିତ୍ସା ଏବଂ ପରୀକ୍ଷା କରିବେ, ସେ ସମ୍ପର୍କରେ ସିଆର୍ପିସି, ଦି ପ୍ରୋଭିଜନ୍ ଅଫ୍ ପ୍ରୋଟେକ୍ସନ ଅଫ୍ ଚିଲ୍ଡ୍ରେନ୍ ଫ୍ରମ୍ ସେକ୍ସୁଆଲ୍ ଅଫେନ୍ସ ଆକ୍ଟ ଏବଂ ଦି କ୍ରିମିନାଲ୍ ଲ’ ଆମେଣ୍ଡମେଣ୍ଟ ଆକ୍ଟରେ ଦର୍ଶାଯାଇଥିବା ବେଳେ ସେହି ଆଧାରରେ ଏସ୍ଓପି ପ୍ରସ୍ତୁତ କରାଯାଇଛି । ଏସ୍ଓପିରେ ଦର୍ଶାଯାଇଛି କି ସିଆର୍ପିସିର ଧାରା ୧୬୪ ଏ’ ଅନୁଯାୟୀ, ପ୍ରଥମେ ପୀଡ଼ିତା ମେଡିକାଲ୍ରେ ପହଞ୍ଚିବା ପରେ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ସହିତ ଠିକ୍ ଢଂଗରେ ଡାକ୍ତରୀ ପରୀକ୍ଷା କରି ତଥ୍ୟ ପ୍ରମାଣ ଡାକ୍ତର ସଂଗ୍ରହ କରିବେ।
କେବଳ ସ୍ତ୍ରୀ ରୋଗ ଡାକ୍ତର ଡାକ୍ତରୀ ପରୀକ୍ଷା କରିପାରିବେ ନାହିଁ । ଯେ କୌଣସି ପଞ୍ଜିକୃତ ଡାକ୍ତର ଏହି ପରୀକ୍ଷା କରିପାରିବେ। ମହିଳା ଡାକ୍ତର ନଥିଲେ ପୁରୁଷ ଡାକ୍ତର ପୀଡିତାଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ପରୀକ୍ଷା କରିପାରିବେ। ଯଦି ପୀଡ଼ିତାଙ୍କ ଅଭିଭାବକ କିମ୍ବା ସମ୍ପର୍କୀୟ ନଥାନ୍ତି, ତେବେ ମେଡିକାଲ୍ ପକ୍ଷରୁ ସ୍ୱତନ୍ତ୍ର ଭାବେ ନିୟୋଜିତ ଜଣେ ମହିଳାଙ୍କ ଉପସ୍ଥିତିରେ ଡାକ୍ତରୀ ପରୀକ୍ଷା କରାଯିବ। ପ୍ରମାଣ ନଷ୍ଟ ହେବାର ଆଶଙ୍କା ଥିବାରୁ ଡାକ୍ତରୀ ପରୀକ୍ଷା କରିବାକୁ ଡାକ୍ତରୀ ଟିମ୍ କୌଣସି ପରିସ୍ଥିତିରେ ଯେପରି ବିଳମ୍ବ କରିବେ ନାହିଁ, ସେଥିପ୍ରତି ଧ୍ୟାନ ଦିଆଯିବ। କୌଣସି ଆଇନଗତ ସହାୟତା ପାଇଁ ଡାକ୍ତର ଆଇନ ବିଶେଷଜ୍ଞଙ୍କ ପରାମର୍ଶ ନେଇପାରିବେ। ପୀଡ଼ିତାଙ୍କୁ ଥଇଥାନ କ୍ଷେତ୍ରରେ ସହାୟତା ପାଇଁ ଶିଶୁ ସୁରକ୍ଷା ଅନୁଷ୍ଠାନକୁ ଯୋଗାଯୋଗ କରିପାରିବେ। ନାବାଳିକାଙ୍କ ପରୀକ୍ଷା ସମ୍ପୂର୍ଣ୍ଣ ଗୋପନୀୟ ଅଞ୍ଚଳରେ କରାଯିବ । ସେଠାରେ ପର୍ଯ୍ୟାପ୍ତ ଆଲୋକୀରଣର ବ୍ୟବସ୍ଥା ସହିତ ଅଭିଭାବକ ଏବଂ ସମ୍ପର୍କୀୟଙ୍କ ବସିବାର ସମସ୍ତ ବ୍ୟବସ୍ଥା ରହିବା ଆବଶ୍ୟକ । ସିଆର୍ପିସିର ଧାରା ୩୯ ଅନୁଯାୟୀ, ନାବାଳିକା ଜଣକ ଦୁଷ୍କର୍ମର ଶିକାର ହେବା ପରେ ମେଡିକାଲକୁ କେବଳ ଚିକିତ୍ସା ହେବାକୁ ଆସିପାରିବ। ଏ ସମ୍ପର୍କରେ ଡାକ୍ତର ପୁଲିସକୁ ଅବଗତ କରିବା ବାଧ୍ୟତାମୂଳକ। କୋର୍ଟ କିମ୍ବା ପୁଲିସ ଡାକ୍ତରୀ ପରୀକ୍ଷା ପାଇଁ ପୀଡ଼ିତାଙ୍କ ଉପର କୌଣସି ପରିସ୍ଥିତିରେ ଚାପ ପ୍ରୟୋଗ କରିପାରିବେ ନାହିଁ ।
ପୀଡ଼ିତା ଜଣକ ୧୨ ବର୍ଷରୁ ଅଧିକ ହୋଇଥିଲେ ପ୍ରମାଣ ସଂଗ୍ରହ ପାଇଁ ଡାକ୍ତରୀ ପରୀକ୍ଷା ବେଳେ ତାଙ୍କ ଅନୁମତି ନେବାକୁ ପଡ଼ିବ। ୧୨ ବର୍ଷରୁ କମ୍ କିମ୍ବା କୌଣସି ଦିବ୍ୟାଙ୍ଗ ହୋଇଥିଲେ ଅଭିଭାବକଙ୍କ ନିକଟରୁ ଅନୁମତି ନେବା ବାଧ୍ୟତାମୂଳକ। ଅନୁମତିପତ୍ରରେ ପୀଡ଼ିତାଙ୍କ ସମେତ ପ୍ରତ୍ୟେକ୍ଷଦର୍ଶୀ ଏବଂ ଡାକ୍ତରଙ୍କ ସ୍ୱାକ୍ଷର ରହିବା ଜରୁରି। ପ୍ରତ୍ୟକ୍ଷଦର୍ଶୀ ଜଣକ ନର୍ସ କିମ୍ବା ହସ୍ପିଟାଲ୍ର କୌଣସି କର୍ମଚାରୀ ହୋଇଥିବା ଆବଶ୍ୟକ । କିନ୍ତୁ ପୁଲିସ କିମ୍ବା ପୀଡ଼ିତାଙ୍କ ସମ୍ପର୍କୀୟ ପ୍ରତ୍ୟକ୍ଷଦର୍ଶୀ ଭାବେ ସ୍ୱାକ୍ଷର କରିପାରିବେ ନାହିଁ। ପୀଡ଼ିତାଙ୍କ ଏତଲା ସର୍ବନିମ୍ନ ଏସ୍ଆଇ ପାହ୍ୟାର ପୁଲିସ ଅଫିସର ପଞ୍ଜିକରଣ କରିପାରିବେ। ଏ ସମ୍ପର୍କରେ ସେ ମେଡିକାଲ୍ ଅଫିସରଙ୍କୁ ଡାକ୍ତରୀ ପରୀକ୍ଷା ସମ୍ପର୍କରେ ସିଧାସଳଖ ଚିଠି ଦେଇ ଅବଗତ କରିବାକୁ ଏସ୍ଓପିରେ ଉଲ୍ଲେଖ କରାଯାଇଛି ।