ବରଗଡ଼: ଆଉ ୧୦ ଦିନ ଅର୍ଥାତ ୨୭ ତାରିଖରୁ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆରମ୍ଭ ହେବ। ମଥୁରାନଗରୀ ଏବଂ ଗୋପପୁରରେ ଏନେଇ ବ୍ୟାପକ ପ୍ରସ୍ତୁତି ଚାଲିଛି। ମହାରାଜ କଂସଙ୍କ ଦରବାର ମଧ୍ୟ ମୁଣ୍ଡ ଟେକିବାକୁ ଲାଗିଛି। ୭୫ତମ ଧନୁଯାତ୍ରା ପାଳନ ପାଇଁ ପ୍ରଶାସନିକ କ୍ଷେତ୍ରରେ ଉତ୍ସାହ ରହିଛି। ଏଣେ ବେପାରୀମାନେ ମଧ୍ୟ ଆଶାନୁରୂପକ ବେପାର କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏଥର ନିଲାମି ଯେଉଁ ଢଙ୍ଗରେ ଉପରକୁ ଉଠିଛି, ସମସ୍ତଙ୍କୁ ତାଜୁବ କରି ଦେଇଛି। ତେବେ ଏହାର ବୋଝ ସାଧାରଣ ଜନତା ଉପରେ ପଡ଼ିବ ବୋଲି କୁହାଯାଉଛି। ମୋଟାମୋଟି ଭାବେ କହିବାକୁ ଗଲେ, ଏଥର ଧନୁଯାତ୍ରା ବ୍ୟବସାୟରେ ରେକର୍ଡ ଭାଂଗିବ। ଧାର୍ମିକ ଭାବନା ସହ ଯୋଡ଼ି ହୋଇଥିବା ଏହି ଯାତ୍ରା ବ୍ୟବସାୟିକ କ୍ଷେତ୍ରରେ କ୍ରମଶଃ ଉପରକୁ ଉଠୁଛି।

Advertisment

ଏଥର ଠେଲା ବାବଦକୁ ୭,୮୧,୭୮୬ଟଙ୍କା, ଛୋଟ ଦୋକାନ ପାଇଁ ୨୫ଲକ୍ଷ ୬୪୬ଟଙ୍କା, ମୀନାବଜାର ପାଇଁ ୨୬ଲକ୍ଷ ଟଙ୍କା, ଫୁଟ୍‌ପାଥ୍‌ ଦୋକାନ ପାଇଁ ୫.୪୨ଲକ୍ଷ ଟଙ୍କା, ଝୁଲା(୧) ୨୬ଲକ୍ଷ ୫୩୨ଟଙ୍କା, ଝୁଲା(୨) ପାଇଁ ୨୧.୭୧ଟଙ୍କା, ଟ୍ରେଡ୍‌ ଫେୟାର ପାଇଁ ୩୭.୫୧ଲକ୍ଷ ଟଙ୍କା, ଫୁଡ୍‌ ଫେଷ୍ଟ ସକାଶେ ୧୭.୫୨ ଟଙ୍କା, ପାର୍କିଂ ବାବଦକୁ ୨୫,୪୩୭ ଟଙ୍କା ନିଲାମି ଛୁଇଁଛି। କ‌ରୋନା ପାଇଁ ଗତ ଦୁଇବର୍ଷ ଧନୁଯାତ୍ରା ବନ୍ଦ ଥିଲା। ତେଣୁ ଏଥର ଲୋକଙ୍କ ଉତ୍ସାହ ଚରମ ସୀମାରେ ଥିବାରୁ ଏହାର ପ୍ରଭାବ ବ୍ୟବସାୟ ଉପରେ ବି ପଡ଼ିବ। ଲୋକଙ୍କୁ କୌଣସି ସାମଗ୍ରୀ ଖରିଦ୍‌ କରିବାକୁ ହେଲେ କିମ୍ବା ଖାଦ୍ୟ ଚାଖିବାକୁ ହେଲେ ଅଧିକ ଟଙ୍କା ଗଣିବାକୁ ପଡ଼ିବ। ପାର୍କିଂ ଫି' ବାଇକ୍‌ ପାଇଁ ଶହେ ଟଙ୍କା ଉପରେ ବି ଗଣିବାକୁ ପଡ଼ୁଥିବା ବିଗତ ଦିନରେ ନଜିର ରହିଛି। ଏଥର ବି ଲୋକେ ଟଙ୍କା ଗଣି ହଇରାଣ ହେବା ନିଶ୍ଚିତ ଜଣାପଡ଼ୁଛି। ପ୍ରତିବର୍ଷ ବେଆଇନ୍‌ ପାର୍କିଂ ଫି' ନେଇ ଲୋକେ ଅସ‌ନ୍ତୋଷ ଜାହିର କରିଥାନ୍ତି। କିନ୍ତୁ ଏହା ଉପରେ କିଛି ବି କଟକଣା ଲାଗିପାରୁନାହିଁ। ସେହିପରି ମୀନାବଜାରରେ ଝୁଲା ଦର ମଧ୍ୟ ସାଧାରଣ ଲୋକଙ୍କ ପକେଟ୍‌କୁ ସୁହାଉ ନାହିଁ। ଏଥର ମୀନାବଜାରରେ ବି ଦର ଆହୁରି ବଢ଼ିବ ବୋଲି ଶୁଣିବାକୁ ମିଳୁଛି। ପୂର୍ବରୁ ଧନୁଯାତ୍ରାର ମୁଖ୍ୟ ଆକର୍ଷଣ କେବଳ ଅଭିନୟ ରହିଥିଲା। ଯୁଗ ବଦଳିବା ସାଂଗକୁ ଧନୁଯାତ୍ରାର ପରିପାଟ୍ଟୀରେ ପରିବର୍ତନ ହୋଇଛି। ବ୍ୟବସାୟକୁ ଗୁରୁତ୍ବ ମିଳିଛି। ଖାସ୍‌ ଏଥିପାଇଁ ପ୍ରତିବର୍ଷ ଧନୁଯାତ୍ରା ପାଇଁ ବିଭିନ୍ନ ନିଲାମି ଦର ବଢ଼ି ଚାଲିଛି। ବର୍ତମାନ ଏହା ଦେଢ଼ କୋଟି ଉପରକୁ ଟପିଛି।

ଏଥର ଜୀରା କୂଳରେ ପଲ୍ଲିଶ୍ରୀ ମେଳା

ବରଗଡ଼: ଧନୁଯାତ୍ରାରେ ଭିଡ଼ ନିୟନ୍ତ୍ରଣ ସକାଶେ କମିଟି ଏବଂ ପ୍ରଶାସନ ପକ୍ଷରୁ ନୂଆ ପଦକ୍ଷେପ ହୋଇଛି। ଜିରା ନଦୀ କୂଳରେ ପଲ୍ଲିଶ୍ରୀ ମେଳା ସହ ଏକ୍‌ସପୋ ମେଳା ଲାଗିବା ଚୂଡ଼ାନ୍ତ ହୋଇଛି। ନଦୀ କୂଳରେ ଏଥିପାଇଁ ପୌର ପ୍ରଶାସନ ୩ଏକର ଜମି ଚିହ୍ନଟ କରିଛି।

ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ସହ ଅନ୍ୟ କର୍ମକର୍ତା ଶୁକ୍ରବାର କ୍ଷେତ୍ର ପରିଦର୍ଶନ କରି ଏହାକୁ ଚୂଡ଼ାନ୍ତ କରିଛନ୍ତି। ସେଠାରେ ୪ଶହରୁ ଅଧିକ ଷ୍ଟଲ୍‌ ଲାଗିବାକୁ ଯୋଜନା କରାଯାଇଛି।