ଏବେ ସ୍କୁଲ୍‌, କଲେଜ ଖୋଲିବନି

ବିଭ୍ରାନ୍ତ କରି ମନ୍ତ୍ରୀ, ସଚିବ ହଟହଟା; ନବୀନ କ୍ଷୁବ୍ଧ, କେବେ ଖୋଲିବ, ନିଷ୍ପତ୍ତି ନେବେ ସରକାର

ଭୁବନେଶ୍ବର : ଚଳିତମାସରେ ଶିକ୍ଷାନୁଷ୍ଠାନ ଖୋଲିପାରିଲା ନାହିଁ। ହେଲେ ଖୁବ୍ ଶୀଘ୍ର ଶିକ୍ଷାନୁଷ୍ଠାନ ଖୋଲିବାକୁ ଯୋଜନା ହେଉଛି। ଅମୁକ ଶ୍ରେଣୀ ଯାଏ ପ୍ରଥମେ ଖୋଲିବ, ସମୁକ ଶ୍ରେଣୀର ପରୀକ୍ଷା ବିଳମ୍ବ ହେବ।

ନିୟମିତ ବ୍ୟବଧାନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଗଣମାଧ୍ୟମ ସାମ୍ନାରେ ଏମିତି ତାରିଖ ପରେ ତାରିଖ ଘୋଷଣା କରି ଚାଲିଛନ୍ତି। ଆଜି ବି ମନ୍ତ୍ରୀ ଜାନୁଆରିରୁ ସ୍କୁଲ ଖୋଲିବା ସଂପର୍କରେ ସୂଚନା ଦେଇଥିଲେ। କେବଳ ସେତିକି ନୁହେଁ, ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଆଉ ପାଦେ ଆଗକୁ ଯାଇ କହିଥିଲେ ଯେ ନୂଆବର୍ଷରେ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନରେ କ୍ଲାସ କରିବେ ବୋଲି ଆଶା କରୁଛୁ। ମନ୍ତ୍ରୀ ଓ ସଚିବଙ୍କ ଏଭଳି ମନ୍ତବ୍ୟ ପରେ ଆଜି ଦିନତମାମ ସ୍କୁଲ ଖୋଲିବା ଓ ପରୀକ୍ଷାକୁ ନେଇ ହଟଚମଟ ଲାଗି ରହିଥିଲା। କେବେ କଣ ହେବ, ସେ ନେଇ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ଉଦ୍‌ବିଗ୍ନ ହୋଇପଡ଼ିଥିଲେ। ସରକାର ଠୋସ୍ ତାରିଖ ଘୋଷଣା ପରିବର୍ତେ ଏଭଳି ବାରମ୍ଭାର ଦିନ ଗଡ଼ାଉଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ବି ପ୍ରକାଶ ପାଇଥିଲା। ହେଲେ ସନ୍ଧ୍ୟାରେ କିନ୍ତୁ ଦୃଶ୍ୟପଟ୍ଟ ପୂରା ବଦଳିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍କୁଲ, କଲେଜ ଖୋଲିବା ନେଇ ମନ୍ତ୍ରୀ ସଚିବଙ୍କ ବୟାନବାଜିକୁ ଗମ୍ଭୀରତାର ସହିତ ନେଇଛନ୍ତି।

କୋଭିଡ୍ ପରିଚାଳନା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଏ ନେଇ ତୀବ୍ର ଅସନ୍ତୋଷ ଝାଡ଼ିବା ସହିତ ମନ୍ତ୍ରୀ ଓ ସଚିବ ବକ୍ତବ୍ୟକୁ ନାପସନ୍ଦ କରିଛନ୍ତି।

ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସ୍କୁଲ ଖୋଲିବା ନେଇ ବିଭିନ୍ନ ବିଭାଗର ମନ୍ତ୍ରୀ ଏବଂ ସଚିବ ଯେଭଳି ମତ ମନ୍ତବ୍ୟ ଦେଉଛନ୍ତି, ସେ ନେଇ ଶ୍ରୀ ପଟ୍ଟନାୟକ ଭୀଷଣ ବିରକ୍ତି ପ୍ରକାଶ କରିଥିଲେ। ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସରକାରୀ ଭାବେ କହିଦିଆଯାଇଛି ଯେ ସ୍କୁଲ କଲେଜ ଖୋଲିବା ନେଇ ବିଭିନ୍ନ ବିଭାଗର ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀ ନାପସନ୍ଦ କରିଛନ୍ତି। ସମସ୍ତ ଦୃଷ୍ଟିକୋଣରୁ ବିଚାର କରି କେବେ ସ୍କୁଲ, କଲେଜ ଖୋଲିବ ସେ ନେଇ ସରକାର ଠିକ୍ ସମୟରେ ନିଷ୍ପତ୍ତି ନେବେ।

ଫଳରେ ସ୍କୁଲ ଖୋଲିବା ନେଇ ଉଭୟ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ଯେଉଁ ନାଟକ ଚଳାଇଥିଲେ, ସେଥିରେ ଆପାତତଃ ପୂର୍ଣ୍ଣଛେଦ ପଡ଼ିଛି। ଉଭୟ ମନ୍ତ୍ରୀ ଓ ସଚିବ ଆଜି ସମସ୍ତଙ୍କ ସାମ୍ନାରେ ହଟହଟା ହୋଇଛନ୍ତି। ସ୍କୁଲ ଖୋଲିବାକୁ ନେଇ ଗତମାସରୁ ଏଭଳି ବାରମ୍ବାର ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରଥମେ ଏସ୍‌ଆର୍‌ସି ନିର୍ଦେଶନାମା ଜାରି କଲେ, କିଛି ସମୟ ପରେ ଗଣଶିକ୍ଷା ମନ୍ତ୍ରୀ ଏହାକୁ ଟାଳିଦେଲେ। ବିଭିନ୍ନ ଶିକ୍ଷକ ସଂଗଠନ ସହିତ ଆଲୋଚନା ହେଲା ଓ ତାରିଖ ଘୋଷଣା ଟଳିଗଲା। ଏବେ କିଛି ଦିନ ପରେ ପୁଣି ଅନୁରୂପ ପରିସ୍ଥିତି ସୃଷ୍ଟି େହାଇଛି, ଯାହାକୁ ନେଇ ଛାତ୍ରଛାତ୍ରୀ ପୁଣି ଦ୍ବନ୍ଦ୍ବରେ ପଡ଼ିଯାଇଛନ୍ତି।

ଉଲ୍ଲେଖଥାଉକି, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଗଣମାଧ୍ୟମକୁ କହିଥିଲେ ଯେ ଡିସେମ୍ବରରେ ସ୍କୁଲ ଖୋଲିବାକୁ ଯୋଜନା କରିଥିଲୁ। ହେଲେ କରୋନା ସଂକ୍ରମଣ ଏପର୍ଯ୍ୟନ୍ତ କମିନି। ଚଳିତ ମାସରେ ବିଦ୍ୟାଳୟ ଖୋଲିବା ସମ୍ଭବପର ନୁହେଁ। ତେଣୁ ଜାନୁଆରି ମାସରେ ସ୍କୁଲ ଖୋଲିବାକୁ ଆମେ ଚିନ୍ତା କରୁଛୁ। ମୁଖ୍ୟତଃ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ବିଦ୍ୟାଳୟ ଖୋଲିବ। ସ୍କୁଲ ଖୋଲିବା ପରେ ଶହେ ଦିନ ପାଠପଢ଼ା କରାଯିବ। ତା’ ପରେ ଯାଇ ପରୀକ୍ଷା କରିବା ଦିଗରେ ପଦକ୍ଷେପ ନିଆଯିବ। ଛୁଟି ସମୟରେ ବି ପାଠପଢ଼ା ଚାଲିବ। ପାଠ୍ୟକ୍ରମ ଶେଷ କରିବାକୁ ଶନିବାର ଓ ରବିବାର ଛୁଟି ଦିନରେ ବି କ୍ଲାସ ହେବ। ଏଥର ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଓ ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ୨ ପରୀକ୍ଷା ଦେବେ। ତାହାକୁ ଦୃଷ୍ଟି‌ରେ ରଖି ରାଜ୍ୟ ସରକାର ଷ୍ଟଡି ମ୍ୟାଟେରିଆଲ୍‌ ପ୍ରସ୍ତୁତ କରୁଛନ୍ତି। ଆସନ୍ତା କିଛି ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉନ୍ମୋଚନ କରିବେ। ଫଳରେ ଛାତ୍ରଛାତ୍ରୀ ପରୀକ୍ଷା ସମୟରେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଶିକ୍ଷକ ଶିକ୍ଷୟିତ୍ରୀ କ୍ଲାସରୁମ୍‌କୁ ଆସି ପିଲାଙ୍କୁ ପଢ଼ାଇବେ। ପାଠପଢ଼ା ଶେଷ ହେବା ପରେ ଏପ୍ରିଲ କିମ୍ବା ମେ’ ମାସରେ ପରୀକ୍ଷା କରାଯିବ ସେନେଇ ନିଷ୍ପତ୍ତି ନିଆଯିବ।

ଅନ୍ୟପକ୍ଷରେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଖୋଲିବା ଲାଗି ବି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ‌ଯୋଜନା ପ୍ରସ୍ତୁତ ହେଉଥିବା ସଂକ୍ରାନ୍ତରେ ସୂଚନା ମିଳିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ପିଏଚ୍‌ଡି, ଏମ୍‌ଫିଲ୍‌ ଓ ପିଜିର ଗବେଷଣାରତ ଛାତ୍ରଛାତ୍ରୀଙ୍କ ଲାଗି ଲାବରେଟୋରି ଖୋଲିବା ଲାଗି ଗତ ସପ୍ତାହରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନ କର୍ତୃପକ୍ଷଙ୍କୁ ଚିଠି ଲେଖାଯାଇଥିଲା। କିଛି ଶିକ୍ଷାନୁଷ୍ଠାନରେ ବି ଲାବରେଟୋରି ଖୋଲାଯାଇଛି। ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଆଜି କହିଥିଲେ ନୂଆବର୍ଷରେ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନରେ ପାଠ ପଢ଼ିବେ କରିବେ ବୋଲି ଆଶା କରୁଛୁ। ତେବେ ଏନେଇ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ୭୦ରୁ ୮୦ ଦିନ ଧରି କ୍ଲାସ ରୁମ୍‌ ପାଠପଢ଼ା ହେବା ପରେ ପରୀକ୍ଷା କରାଯିବ। ୟୁଜି ଓ ପିଜି ସେମିଷ୍ଟର ପରୀକ୍ଷା ଘୁଞ୍ଚିବ। ଯଦି ଶିକ୍ଷାନୁଷ୍ଠାନ ଖୋଲିବାରେ ବିଳମ୍ବ ହେବ ତେବେ ସିଲାବସ କମାଇବା କଥା ଚିନ୍ତା କରାଯାଇପାରେ। ହେଲେ ଅନ୍‌ଲାଇନ୍‌ରେ ପାଠପଢ଼ା କରି ପରୀକ୍ଷା କରା‌ଗଲେ ଛାତ୍ରଛାତ୍ରୀଙ୍କ ଫେଲ ପ୍ରତିଶତ ବଢ଼ିବାର ସମ୍ଭାବନା ରହିଛି।

ମନ୍ତ୍ରୀ ଓ ସଚିବଙ୍କ ଏଭଳି ବକ୍ତବ୍ୟ ପରେ ଜାନୁଆରିରେ ଶିକ୍ଷାନୁଷ୍ଠାନ ଖୋଲିପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା।

ସମ୍ବନ୍ଧିତ ଖବର