୮ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ: ଏବେ ଆଇଏଏସ୍‌ ଭଳି ଓଏଏସ୍‌ ପରୀକ୍ଷା

ଭୁବନେଶ୍ବର : ସର୍ବଭାରତୀୟସ୍ତରରେ ହେଉଥିବା ସିଭିଲ୍‌ ସର୍ଭିସ ପରୀକ୍ଷା ଓ ଓପିଏସ୍‌ସି ଦ୍ବାରା ପରିଚାଳିତ ସିଭିଲ୍‌ ସର୍ଭିସ୍ ପରୀକ୍ଷାର ପାଠ୍ୟକ୍ରମ ଓ ଢାଞ୍ଚା ଭିନ୍ନ ଭିନ୍ନ ଥିଲା। ଉଭୟ ପରୀକ୍ଷା ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ପୃଥକ୍ ଭାବେ ପ୍ରସ୍ତୁତ ହେବାକୁ ପଡ଼ୁଥିଲା। ଫଳରେ ଚାପରେ ରହୁଥିଲେ ପ୍ରାର୍ଥୀ। ଏକକାଳୀନ ଦୁଇଟି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରୁନଥିଲେ। ଏହାକୁ ନଜରରେ ରଖି ରାଜ୍ୟ ସରକାର ଓଡ଼ିଶା ବେସାମରିକ ସେବା(ମିଳିତ ପ୍ରତିଯୋଗିତା ପରୀକ୍ଷା) ନିୟମାବଳୀ ୧୯୯୧ରେ ସଂଶୋଧନ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା, ଏଣିକି ଓପିଏସ୍‌ସି ଏ ସଂକ୍ରାନ୍ତ ପରୀକ୍ଷାରେ ଗୋଟିଏ ଅପ୍‌ସନାଲ ବିଷୟ ରଖିବ। ଆଜି କ୍ୟାବିନେଟ୍‌ ଏଥିରେ ମୋହର ମାରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୋଟ୍ ୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ନିଷ୍ପତ୍ତି ଅନୁସାରେ, ଓଡ଼ିଶା ବେସାମରିକ ସେବା ପରୀକ୍ଷା ପାଇଁ ପୂର୍ବରୁ ଲିଖିତ ପରୀକ୍ଷା ଓ ସାକ୍ଷାତକାରକୁ ମିଶାଇ ସମୁଦାୟ ୨୨୫୦ ନମ୍ବରର ପରୀକ୍ଷା ହେଉଥିଲା। ସଂଶୋଧିତ ବ୍ୟବସ୍ଥା ଅନୁସାରେ, ଏବେ ୨ହଜାର ମାର୍କର ପରୀକ୍ଷା ହେବ। ପୂର୍ବରୁ ଇଂରାଜି ରଚନା ବାଧ୍ୟତାମୂଳକ ରହିଥିଲା, ମାତ୍ର ଏବେ ଗୋଟିଏ ରଚନା ପରୀକ୍ଷା ହେବ। ଯାହାକୁ ଇଂରାଜି କିମ୍ବା ଓଡ଼ିଆ ଭାଷାରେ ଛାତ୍ରଛାତ୍ରୀମାନେ ଲେଖିପାରିବେ। ସେହିଭଳି ଛାତ୍ରଛାତ୍ରୀ ଚାହିଁଲେ ଇଂରାଜି ବା ଓଡ଼ିଆରେ ସାକ୍ଷାତକାର ଦେଇପାରିବେ। ତେବେ ଏ ନେଇ ସେମାନେ ଆବେଦନ ସମୟରେ ଇଚ୍ଛାଧିକାର ବ୍ୟକ୍ତ କରିବାକୁ ହେବ।

ଗୋଟିଏ ଅପ୍‌ସନାଲ ବିଷୟ ରହିବ
ଅସଂରକ୍ଷିତ ବର୍ଗର ପ୍ରାର୍ଥୀ ୬ ଥର ପରୀକ୍ଷା ଦେଇପାରିବେ
ଏସ୍‌ଇବିସିଙ୍କ ପାଇଁ ୯ଥର; ଏସ୍‌ସି ଓ ଏସ୍‌ଟିଙ୍କ ପାଇଁ ସୀମା ଧାର୍ଯ୍ୟ ନାହିଁ

ସେହିଭଳି ଯୋଗ୍ୟତା ପର୍ଯ୍ୟାୟ ଭାଗ-୧ରେ ଓଡ଼ିଆ ଭାଷା ଓ ଇଂରାଜି ପାଇଁ ୨୫୦ ନମ୍ବର ଲେଖାଏ ରହିଛି। ଯୋଗ୍ୟତା ବିବେଚିତ ହୋଇଥିବା ପ୍ରାର୍ଥୀ ଭାଗ-୨ ପାଇଁ ରଚନା ୨୫୦, ସାଧାରଣ ଅଧ୍ୟୟନ ୧,୨, ୩ ଓ ୪ ପାଇଁ ୨୫୦ ଲେଖାଏ, ବୈକଳ୍ପିକ ବିଷୟ(ଅପସନାଲ)୧-୨କୁ ୨୫୦କୁ ମିଶାଇ ସମୁଦାୟ ଲିଖିତ ପରୀକ୍ଷା ୧୭୫୦ ନମ୍ବରର ଦେବେ। ବ୍ୟକ୍ତିତ୍ବ ପରୀକ୍ଷା ୨୫୦କୁ ମିଶାଇ ମୋଟ ୨ହଜାର ନମ୍ବର କରାଯାଇଛି।

ସେହିଭଳି ପୂର୍ବରୁ ଅସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ୪ଥର, ଏସସି ଓ ଏସ୍‌ଟିଙ୍କ ପାଇଁ କୌଣସି ସୀମା ଧାର୍ଯ୍ୟ ନ ଥିବା ବେଳେ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ(ଏସ୍‌ଇବିସି)ର ପ୍ରାର୍ଥୀମାନେ ପାଇଁ ୭ଥର ପରୀକ୍ଷା ଦେବାର ପ୍ରୟାସ ରହିଥିଲା। ଏବେ ଅସଂରକ୍ଷିତ ବର୍ଗର ପ୍ରାର୍ଥୀମାନେ ୬ଥର, ଏସ୍‌ସି ଓ ଏସ୍‌ଟିଙ୍କ ପାଇଁ କୌଣସି ସୀମା ଧାର୍ଯ୍ୟ ନ ଥିବା ବେଳେ ଏସ୍‌ଇବିସି ବର୍ଗର ପ୍ରାର୍ଥୀମାନେ ୯ଥର ପରୀକ୍ଷା ଦେଇପାରିବେ।

ସମ୍ବନ୍ଧିତ ଖବର