ଭୁବନେଶ୍ବର/କଟକ: ଭାରତରେ ସବୁଠାରୁ ଲୋକପ୍ରିୟ ଖେଳ କ୍ରିକେଟ୍‌ର ବିକାଶ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି। ବାରବାଟୀ ଷ୍ଟାଡିୟମ୍‌ର ନବକଳେବରଠାରୁ ଆରମ୍ଭ ହୋଇଛି ଏହାର ଅଭିଯାନ। ଐତିହ୍ୟସମ୍ପନ୍ନ ବାରବାଟୀ ଷ୍ଟାଡିୟମ୍‌ର ରୂପଭେକକୁ ବଦଳାଇ ଦେବା ସହ ସିଟ୍‌ ସଂଖ୍ୟାକୁ ୬୦,୦୦୦ ବିଶିଷ୍ଟ କରିବା ଲକ୍ଷ୍ୟରେ ପ୍ରସ୍ତୁତ ପୁନଃବିକାଶ ପ୍ରକଳ୍ପକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଦେଇଛନ୍ତି। ଏହାକୁ ବିଶ୍ବସ୍ତରୀୟ କ୍ରୀଡ଼ା କଂପ୍ଲେକ୍ସରେ ପରିଣତ କରାଯିବ, କିନ୍ତୁ ଖ୍ୟାତିସମ୍ପନ୍ନ କ୍ଲକ୍ ଟାୱାର୍‌ ଷ୍ଟ୍ରକ୍ଚରକୁ କୌଣସି ଭାବେ ଭଙ୍ଗାଯିବ ନାହିଁ ବୋଲି ସ୍ପଷ୍ଟ କରିଦିଆଯାଇଛି। ବିସିସିଆଇ, ଓସିଏ ଓ କର୍ପୋରେଟ୍‌ ସଂସ୍ଥାଗୁଡ଼ିକ ସହଯୋଗରେ ବାରବାଟୀକୁ ବିଶ୍ବସ୍ତରୀୟ କରାଯିବ ବୋଲି ଘୋଷଣା କରାଯାଇଛି। ଏଥିସହିତ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ (ଭିଏସ୍‌ଏସ୍‌) କ୍ରିକେଟ୍ ଷ୍ଟାଡିୟମ୍‌ର ପୁନଃବିକାଶ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ।

Advertisment

ମୁଖ୍ୟମନ୍ତ୍ରୀ ମଧ୍ୟ ବ୍ରହ୍ମପୁର ସ୍ପୋର୍ଟସ କଂପ୍ଲେକ୍ସ, ପୁରୀର ଶ୍ରୀଜଗନ୍ନାଥ କ୍ରିକେଟ୍ ଷ୍ଟାଡିୟମ୍‌, ଯାଜପୁର ସ୍ପୋର୍ଟସ କଂପ୍ଲେକ୍ସ, ପୁରୀରେ ମହିଳା କ୍ରିକେଟ୍ ଏକାଡେମି, ଝାରସୁଗୁଡ଼ାରେ କ୍ରିକେଟ୍‌ ଗ୍ରାଉଣ୍ଡ୍‌ ସହିତ ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ଦ୍ବାରା ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିର୍ମିତ ୪୧ଟି କ୍ରିକେଟ୍ ଏକାଡେମିକୁ ଉଦ୍‌ଘାଟନ କରିଛନ୍ତି। ବାରବାଟୀ ଷ୍ଟାଡିୟମର ପୁନଃବିକାଶ ପାଇଁ ସହଯୋଗର ପ୍ରତିଶ୍ରୁତି ଦେଇଥିବା କର୍ପୋରେଟ ସଂସ୍ଥାଗୁଡିକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି। ସ୍ବାଧୀନତା ସଂଗ୍ରାମ ଆନ୍ଦୋଳନ ସମୟରେ ବାପୁଜୀ ବ୍ରହ୍ମପୁର ଆସିଥିବାରୁ ବ୍ରହ୍ମପୁର କ୍ରିକେଟ୍‌ ଷ୍ଟାଡିୟମ୍‌କୁ ମହାତ୍ମା ଗାନ୍ଧୀଙ୍କ ନାମରେ ନାମିତ କରାଯାଇଛି। ବ୍ରହ୍ମପୁରର ଶୀତଳାପଲ୍ଲୀରେ ଏକ ସମନ୍ବିତ କ୍ରୀଡ଼ା କଂପ୍ଲେକ୍ସ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଠାରେ ଆଥ୍‌ଲେଟିକ୍ସ, ଫୁଟ୍‌ବଲ୍‌, କ୍ରିକେଟ୍‌, ଇନ୍‌ଡୋର୍‌ ଷ୍ଟାଡିୟମ୍‌ ଆଦିର ସୁବିଧା ସୁଯୋଗ ରହିବ। ସମ୍ପୃକ୍ତ ଅଞ୍ଚଳର ଖେଳାଳିଙ୍କ ପାଇଁ ଏହା ଅପୂର୍ବ ସୁଯୋଗ ଆଣିବା ସହ ଦୀର୍ଘଦିନର ଆବଶ୍ୟକତାକୁ ପୂର୍ଣ୍ଣ କରିପାରିବ। ଭାରୋତ୍ତୋଳନ ପାଇଁ ସ୍ବତନ୍ତ୍ର ପରିଚୟ ରଖିଥିବା ଗଞ୍ଜାମରେ ମଧ୍ୟ ଦେଶର ସର୍ବବୃହତ ତାଲିମ ସୁବିଧା ବିଶିଷ୍ଟ ଗଞ୍ଜାମ ‌ଭାରୋତ୍ତୋଳନ ଏକା‌ଡେମିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉନ୍ମୋଚିତ କରିଛନ୍ତି। ଏଠାରେ ଭାରୋତ୍ତୋଳନ ପାଇଁ ୨୦୦ ସିଟ୍‌ର କ୍ରୀଡ଼ାଛାତ୍ରାବାସ ରହିଛି। ଏହି ଜିଲ୍ଲାରୁ ବିଜୟ ଶତପଥୀ, ରବି କୁମାରଙ୍କ ଭଳି ଅର୍ଜୁନ ପୁରସ୍କାର ବିଜେତା ବାହାରିଥିଲେ।
ଯାଜପୁରରେ ମଧ୍ୟ ଏକାଧିକ କ୍ରୀଡ଼ା ଭିତ୍ତିଭୂମି ଆତ୍ମପ୍ରକାଶ କରିଛି ମୁଖ୍ୟମନ୍ତ୍ରୀଙ୍କ କରକମଳରେ। ଯାଜପୁର ଟାଉନ୍‌ରେ ଥିବା କୁସୁମା କଂପ୍ଲେକ୍ସ ସୁଇମିଂ ପୁଲ୍‌, ହକି ଟ୍ରେନିଂ ସେଣ୍ଟର, ବହୁମୁଖୀ ଇନଡୋର୍‌ ଷ୍ଟାଡିୟମ୍‌, ଆଥ୍‌ଲେଟିକ୍ ଟ୍ରାକ୍‌, ଫୁଟ୍‌ବଲ୍ ଗ୍ରାଉଣ୍ଡ୍‌ ଉଦ୍‌ଘାଟିତ ହୋଇଛି। ଛାତ୍ରାବାସ ସୁବିଧା ସହ ରଗ୍‌ବି ଓ କ୍ରିକେଟ୍ ପଡ଼ିଆ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ପଡ଼ିଛି। ବରଗଡ଼ ଓ ଢେଙ୍କାନାଳରେ ମଧ୍ୟ ସମନ୍ବିତ କ୍ରୀଡ଼ା କଂପ୍ଲେକ୍ସ ପାଇଁ ଭିତ୍ତି ପଡ଼ିଛି। ଏଠାରେ ଆଥ୍‌ଲେଟିକ୍ ଟ୍ରାକ୍‌, ସୁଇମିଂ ପୁଲ୍‌, ଫୁଟ୍‌ବଲ୍‌ ପଡ଼ିଆ ଓ କ୍ରିକେଟ୍ ପଡ଼ିଆ ରହିବ।
ମଙ୍ଗଳବାର ଏହି ମେଗା ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ସରକାର ଏବେ କ୍ରିକେଟ୍‌କୁ ଫୋକସରେ ରଖିଛନ୍ତି। ଓସିଏ ସହଯୋଗରେ ରାଜ୍ୟରେ ଭଲ ପାରିବେଶିକ ବ୍ୟବସ୍ଥାର ଉଦୟ ସହ ଆଗାମୀ ଦିନରେ ଚାମ୍ପିଅନ୍‌ ଖେଳାଳି ସୃଷ୍ଟି କରାଯିବ। ସରକାର କ୍ରୀଡ଼ାକୁ ପ୍ରାଧାନ୍ୟ ଦେବା ଫଳରେ ଯୁବ ଶସକ୍ତୀକରଣ ସହ ଦେଶରେ ଖେଳ ପାଇଁ ଓଡ଼ିଶା ସ୍ବୀକୃତି ପାଇଛି। ଏତେ ସବୁ କ୍ରୀଡ଼ା ଭିତ୍ତିଭୂମି ଓ ତାଲିମ କେନ୍ଦ୍ର ଖେଳ ପ୍ରତି ଅଧିକରୁ ଅଧିକ ପିଲାଙ୍କୁ ଆକର୍ଷିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଥିଲେ।

‘୫ ବର୍ଷରେ ଭାରତୀୟ ଦଳରୁ ଖେଳ‌ିବେ ଓଡ଼ିଆ’: ଇର୍‌ଫାନ ପଠାନ
ମଙ୍ଗଳବାର ଅପରାହ୍ଣରେ ଆଭାସୀ କାର୍ଯ୍ୟକ୍ରମ ଜରିଆରେ ହୋଇଥିବା ସମସ୍ତ ଉଦ୍‌ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌ ପରିଚାଳନା କରିବା ସହିତ ରାଜ୍ୟରେ କ୍ରୀଡା ଭିତ୍ତିଭୂମିର ବିକାଶ କରାଯାଉଛି ଏବଂ ଏକ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ପ୍ରତିବଦ୍ଧ ବୋଲି କହିଥିଲେ। କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ ‘ଏବେ ସମଗ୍ର ରାଜ୍ୟରେ କ୍ରୀଡା ଭିତ୍ତିଭୂମିର ବିକାଶ କରାଯାଉଛି। ହକି, ଫୁଟ୍‌ବଲ ପରେ ଏବେ ରାଜ୍ୟରେ କ୍ରିକେଟ୍‌ର ବିକାଶ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶା ଏବେ କ୍ରୀଡା ହବ୍‌ ହୋଇପାରିଛି। ପୂର୍ବତନ ‌ଅନ୍ତର୍ଜାତୀୟ କ୍ରିକେଟର୍ ଇରଫାନ ପଠାନ୍‌ କହିଥିଲେ, ଓଡ଼ିଶାର ସମସ୍ତ ଜିଲ୍ଲାରେ ୪୧ଟି ଏକାଡେମି ପ୍ରତିଷ୍ଠା କରିବା ଏକ ବିରାଟ ପଦକ୍ଷେପ। ଆସନ୍ତା ୫ ବର୍ଷ ଭିତରେ ଓଡ଼ିଶା ଖେଳାଳି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ସୁଯୋଗ ପାଇବେ। ‌ସେତେବେଳେ ସମସ୍ତଙ୍କୁ ଏହା ଖୁସି ଦେବ ବୋଲି ସେ କହିଥିଲେ। ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ଅଧ୍ୟକ୍ଷ ଅରୁଣ ସିଂହ ଧମାଲ ଓଡ଼ିଶା ସରକାରଙ୍କ କ୍ରୀଡା ଭିତ୍ତିଭୂମି ବିକାଶ କାର୍ଯ୍ୟର ପ୍ରଶଂସା କରିଥିଲେ। ଅନ୍ୟ ରାଜ୍ୟ ଓଡ଼ିଶାକୁ ଏ କ୍ଷେତ୍ରରେ ଅନୁକରଣ କରିବା ଉଚିତ୍ ବୋଲି ସେ କିହଥିଲେ। ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ ବାରବାଟୀ ନବୀକରଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବାରୁ ଧନ୍ୟବାଦ ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ସେ କରିଥିବା ଅନୁ‌ରୋଧ ରକ୍ଷା କରିଥିବାରୁ ସେ କୃତଜ୍ଞ। ଓସିଏ ସଂପାଦକ ସଂଜୟ ବେହେରାଙ୍କ ଭିଜିନ୍‌ ୨୦୨୪ରେ ଏବେ ରାଜ୍ୟରେ କ୍ରିକେଟ ବିକାଶ ପାଇଁ ୪୧ଟି ଏକାଡେମି ପ୍ରତିଷ୍ଠା ସମର୍ପିତ ବୋଲି ପ୍ରକାଶ କରିଥିଲେ। ରାଜ୍ୟରେ କ୍ରିକେଟ୍ ବିକାଶ ପାଇଁ ବିସିସିଆଇ ସଂପାଦକ ଜୟ ଶାହା ପ୍ରତିଶ୍ରୁତି ଦେଇଥିବା ସମ୍ପର୍କରେ ଓସିଏ ସଭାପତି ଶ୍ରୀ ଦାସ ସୂଚନା ଦେଇଥିଲେ।

ଏହି ଆଭାସୀ କାର୍ଯ୍ୟକ୍ରମ‌ରେ କ୍ରୀଡା ସଚିବ ଭିନିଲ କ୍ରୀଷ୍ଣା, ଫାଓ ସଂପାଦକ ଆଶୀର୍ବାଦ ବେହେରା, ଓସିଏ ସଂପାଦକ ସଂଜୟ ବେହେରା, ଉପସଭାପତି ପଙ୍କଜ ଲୋଚନ ମହାନ୍ତି, ଓଡ଼ିଶା ଅଲମ୍ପିକ୍‌ ସଂଘ ସଂପାଦକ ଅଭିଜିତ୍ ପାଲ ପ୍ରମୁଖ ‌ଉପସ୍ଥିତ ଥିଲେ। ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳାଳି ପ୍ରଜ୍ଞାନ ଓଝା, ଦେବାଶିଷ ମହାନ୍ତି, ଶିବ ସୁନ୍ଦର ଦାସ, କୋଚ୍‌ ଦୀନେଶ ମୋଙ୍ଗିଆ, ମହିଳା କ୍ରିକେଟର୍‌ ରୁମେଲି ଧର, ସ୍ବାଗତିକା ରଥ, ମାଧୁରୀ ମେହେଟ୍ଟ‌ା, ରୋସନାରା ପରବିନ, ଟେକ୍ନିକାଲ କୋଚ୍‌ ଭେଙ୍କଟରମନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲ‌ା। ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେ‌ହେରାଙ୍କୁ ‘କିମ୍ବଦନ୍ତୀ କ୍ରୀଡା ପ୍ରଶାସକ’ଭ‌‌ାବେ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି ଅଧିପ ଦାସଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଦେବାଶିଷ ସାମନ୍ତରାୟ,‌ ଚୌଦ୍ବାର କଟକ ବିଧ‌ାୟକ ସୌଭିକ୍ ବିଶ୍ବାଳ, ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ, କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା ଓ ମେୟର ସୁବାସ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ସନ୍ଧ୍ୟାରେ ବଲିଉଡର ଲୋକପ୍ରିୟ ଗାୟିକା ନେହା କକଡ଼ ଓ ତାଙ୍କ ଟିମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।