ଏବେ ଆଇଆଇଟିକୁ ଫେରିବେନି ବାହାର ପିଲା, ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ପଦକ୍ଷେପ

କ୍ୟାମ୍ପସ କରୋନାମୁକ୍ତ, କ୍ୱାରାଣ୍ଟିନ୍‌ରେ ଥିବା ପିଲା କରୋନା: ଆଇଆଇଟି

ଭୁବନେଶ୍ୱର : ଆଇଆଇଟି ଭୁବନେଶ୍ୱରରୁ ୧୦ଜଣ ଛାତ୍ର କରୋନା ଆକ୍ରାନ୍ତ ଚିହ୍ନଟ ପରେ କର୍ତ୍ତୃପକ୍ଷ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ବାହାରେ ଥିବା ଛାତ୍ରଛାତ୍ରୀଙ୍କୁ ଏବେ କ୍ୟାମ୍ପସକୁ ନ ଆଣିବାକୁ ସ୍ଥିର ହୋଇଛି। ଏଥିସହ ଯେଉଁମାନେ ଆକ୍ରାନ୍ତ ହୋଇଛନ୍ତି, ସେମାନଙ୍କୁ ସଙ୍ଗରୋଧରେ ରଖାଯାଇ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଛି।

ଆଇଆଇଟି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଶିକ୍ଷାନୁଷ୍ଠାନରେ ନିୟମିତ ଶିକ୍ଷାଦାନ ଅନଲାଇନ୍ ପ୍ରକ୍ରିୟା ଦେଇ ଗତି କରୁଥିବା ବେଳେ ଅନୁଷ୍ଠାନ ଛାତ୍ରମାନଙ୍କୁ ପର୍ଯ୍ୟାୟକ୍ରମେ କ୍ୟାମ୍ପସକୁ ଅଣାଯାଉଛି। ଏବେ ସୁଦ୍ଧା ପ୍ରାୟ ୫୦% ସ୍ନାତକୋତ୍ତର ଓ ୧୦୦% ଗବେଷଣାରତ ଛାତ୍ରଛାତ୍ରୀ କ୍ୟାମ୍ପସରେ ଅଛନ୍ତି। ୨୦୨୦ ସେପ୍ଟେମ୍ବରରେ ୫ଜଣ ଛାତ୍ରଛାତ୍ରୀ କ୍ୟାମ୍ପସରେ କରୋନା ଆକ୍ରାନ୍ତ ହୋଇଥିଲେ। ତା’ ପରଠାରୁ କ୍ୟାମ୍ପସ୍ କୋଭିଡ୍‌ମୁକ୍ତ ହୋଇଛି। ଏବେ କିଛି ଛାତ୍ର କ୍ୱାରାଣ୍ଟିନ୍‌ କେନ୍ଦ୍ରରେ ଅଛନ୍ତି। ଦେଶରୁ ଆସୁଥିବା କିଛି ଛାତ୍ରଙ୍କଠାରେ କୋଭିଡ୍‌ ମାମଲା ଦେଖିବାକୁ ମିଳିବ ବୋଲି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଆଶଙ୍କା ପ୍ରକାଶ କରିଥିଲେ। ତେଣୁ ଯେଉଁମାନେ ଆସୁଥିଲେ, ସେମାନଙ୍କର ଆର୍‌ଟି-ପିସିଆର୍‌ ଟେଷ୍ଟ ଏବଂ ୧୫ଦିନ ବାଧ୍ୟତାମୂଳକ କ୍ୱାରାଣ୍ଟିନ୍‌ କରାଯାଇଛି। କ୍ୱାରାଣ୍ଟିନ୍‌ ଅବଧି ମଧ୍ୟରେ ଛାତ୍ରଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯିବା ସହ ଛାତ୍ରଙ୍କୁ ଏକ ପୃଥକ୍‌ କୋଠରିରେ ଖାଦ୍ୟ ବିତରଣ କରାଯାଉଥିଲା। ପ୍ରଥମ ତିନୋଟି ପର୍ଯ୍ୟାୟରେ ଫେରିଥିବା ଛାତ୍ରଙ୍କ ମଧ୍ୟରୁ ଗୋଟିଏ ହେଲେ ମଧ୍ୟ କୋଭିଡ୍‌ ମାମଲା ରିପୋର୍ଟ ହୋଇନଥିଲା। ତେବେ ଚତୁର୍ଥ ପର୍ଯ୍ୟାୟରେ ଗତ ୨୦ରୁ ୨୨ତାରିଖ ମଧ୍ୟରେ ଶିକ୍ଷାନୁଷ୍ଠାନକୁ ଆସିଥିବା ତିନି ଛାତ୍ରଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିବା ପରେ ପଦକ୍ଷେପ ଗ୍ରହଣ କରାଯାଇଥିଲା। କ୍ୱାରାଣ୍ଟିନ୍‌ କେନ୍ଦ୍ରର ସମସ୍ତଙ୍କ ପରୀକ୍ଷା କରାଯିବା ପରେ ଆଉ ୭ଜଣ ଛାତ୍ରଙ୍କଠାରେ କରୋନା ଚିହ୍ନଟ ହୋଇଛି। ସେମାନେ ପ୍ରଥମ ତିନିଜଣଙ୍କ ସହ ଯୋଗାଯୋଗ ହେତୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସମସ୍ତ ୧୦ ଆକ୍ରାନ୍ତ ଛାତ୍ର ବର୍ତ୍ତମାନ ଅନୁଷ୍ଠାନର କ୍ୱାରାଣ୍ଟିନ୍‌ କେନ୍ଦ୍ରରେ ଅଛନ୍ତି ଏବଂ ସେମାନଙ୍କ ଯତ୍ନ ନିଆଯାଉଛି। ଏଭଳି ଘଟଣାକୁ ଦୃଷ୍ଟିରେ ରଖି ଏପ୍ରିଲ୍ ୨୧ରେ ଧାର୍ଯ୍ୟ ହୋଇଥିବା ପରବର୍ତ୍ତୀ ବ୍ୟାଚ୍ ଛାତ୍ରଙ୍କ ଆଗମନକୁ ସ୍ଥଗିତ ରଖାଯାଇଛି।

ସମ୍ବନ୍ଧିତ ଖବର