ଭୁବନେଶ୍ବର: ଏଣିକି ଓଡ଼ିଆ ଭାଷାରେ ହେବ ଓଡ଼ିଶାର ଶାସନ। ଓଡ଼ିଆ ଭାଷାରେ ସବୁ ସରକାରୀ କାର୍ଯ୍ୟ ହେବ। ସରକାରୀସ୍ତରରେ ଓଡ଼ିଆ ଭାଷାର ବ୍ୟବହାରକୁ ବ୍ୟାପକ କରିବାକୁ ଆବଶ୍ୟକ ପଡ଼ିଲେ ସରକାରୀ ଭାଷା ଆଇନରେ ସଂଶୋଧନ କରାଯିବ। ଲୋକସେବା ଭବନରୁ କାର୍ଯ୍ୟ ଆରମ୍ଭ କଲା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏହି ଘୋଷଣା କରିଛନ୍ତି। ଏହା ସହ ତାଙ୍କ ପାଖରେ ଉପସ୍ଥାପିତ ହେବାକୁ ଥିବା ସମସ୍ତ ନଥି ଓଡ଼ିଆରେ କରି ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ‘ଓଡ଼ିଆ ଅସ୍ମିତା’କୁ ପ୍ରସଙ୍ଗ କରି ବିଜେପି କ୍ଷମତାକୁ ଆସିଲା ପରେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ବେଶ୍ ଗୁରୁତ୍ବ ବହନ କରୁଛି। ବିଭିନ୍ନ ମହଲରେ ମଧ୍ୟ ଏହାକୁ ସ୍ବାଗତ କରାଯାଇଛି। ଜୁନ୍ ୧୨ ତାରିଖରେ ଶ୍ରୀ ମାଝୀ ଶପଥ ନେବା ପରେ ସେହିଦିନ ସନ୍ଧ୍ୟାରେ ଲୋକସେବା ଭବନ ଆସି ଦାୟିତ୍ବ ଗ୍ରହଣ କରିଥିଲେ। ତାହା ପରଠାରୁ ରାଜ୍ୟ ଅତିଥି ଭବନର ଅସ୍ଥାୟୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ। ଆଜି ବିଧିବଦ୍ଧ ଭାବେ ତୃତୀୟ ମହଲାସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସରକାରୀ କାର୍ଯ୍ୟ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ସକାଳ ୯ଟା ୩୦ରେ ଆସିବାକୁ ସମୟ ସ୍ଥିର ହୋଇଥିଲା। ଏଥିପାଇଁ ଲୋକସେବା ଭବନରେ ବେଶ୍ ସାଜସଜ୍ଜା କରାଯାଇଥିଲା। ଆଗରୁ ଦୁଇ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ପୋର୍ଟିକୋ ନିକଟରେ ପହଞ୍ଚି ଅପେକ୍ଷା କରିଥିଲେ।
ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ପହଞ୍ଚିଲା ପରେ ସମସ୍ତେ ତାଙ୍କୁ ସ୍ବାଗତ କରି ପାଛୋଟି ନେଇଥିଲେ। ଶ୍ରୀ ମାଝୀ ମୁଣ୍ଡିଆ ମାରି ଭିତରକୁ ପଶିଥିଲେ। ତୃତୀୟ ମହଲାରେ ବ୍ରାହ୍ମଣମାନଙ୍କ ମନ୍ତ୍ରଧ୍ବନି ଭିତରେ ଶ୍ରୀ ମାଝୀ ନିଜ ପ୍ରକୋଷ୍ଠରେ ପ୍ରବେଶ କରିଥିଲେ। ସେଠାରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଓସ୍ବାସ ଜରିଆରେ ଫାଇଲ୍ କାମ କରିଥିଲେ। ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶାର ଭୌତିକ ପ୍ରଗତି ସହ ସାଂସ୍କୃତିକ ପ୍ରଗତିକୁ ପ୍ରାଥମିକତା ଦିଆଯିବ। ଓଡ଼ିଆ ଅସ୍ମିତାର ପ୍ରତିଷ୍ଠା, ଅଭିବୃଦ୍ଧି, ସଂରକ୍ଷଣ ଓ ପ୍ରସାରକୁ ଗୁରୁତ୍ୱ ଦିଆଯିବ। ତିନିଟି ଏକାଡେମୀ ତଥା ସାହିତ୍ୟ, ସଙ୍ଗୀତ, ନାଟକ ଓ ଲଳିତ କଳା ଏକାଡେମୀର ପୁନର୍ଗଠନ ଓ କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ। ଓଡ଼ିଶୀ ଗବେଷଣା କେନ୍ଦ୍ରକୁ କ୍ରିୟାଶୀଳ କରାଯିବ।
ଶ୍ରୀ ମାଝୀ କହିଥିଲେ ଯେ ଓଡ଼ିଆ ଅସ୍ମିତା ଉପରେ ଗୁଣାତ୍ମକ ଗବେଷଣାକୁ ପ୍ରୋତ୍ସାହିତ କରାଯିବ। ଓଡ଼ିଶାରେ ପଠନ ଅଭ୍ୟାସ ବୃଦ୍ଧି ଓ ଲାଇବ୍ରେରି ଆନ୍ଦୋଳନକୁ ବ୍ୟାପକ ଓ ବ୍ୟବସ୍ଥିତ କରାଯିବ। ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରସାର ପାଇଁ ଅନୁବାଦ ଏକାଡେମୀ ପ୍ରତିଷ୍ଠା ହେବ। ଭାଷା ପାଇଁ ଆଧୁନିକ, ସରଳ ଓ ସୁଗମ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ପାଇଁ ବ୍ୟବସ୍ଥା ହେବ। ଓଡ଼ିଆ ଭାଷା ଭବନ ଓ ଅସ୍ମିତା ଭବନ ନିର୍ମାଣ କରାଯିବ। ଭାଷା କମିସନ ଗଠିତ ହେବ। ଓଡ଼ିଆ ଭାଷା ପ୍ରତିଷ୍ଠାନର ପୁନର୍ଗଠନ କରାଯିବ। ପ୍ରତ୍ୟେକ ଜିଲ୍ଲାରେ ସମନ୍ୱିତ ସଂସ୍କୃତି ଭବନ ନିର୍ମାଣ ସହ ଜିଲ୍ଲାର କଳା ସଂସ୍କୃତିକୁ ପ୍ରୋତ୍ସାହିତ କରାଯିବ। ଉଚ୍ଚ ବିଦ୍ୟାଳୟ ସ୍ତରରେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ପାଇଁ ବିଚାର କରାଯିବ। ବରୁଣେଇଠାରେ ପାଇକ ଏକାଡେମୀ ଓ ସ୍ମାରକୀ ନିର୍ମାଣ ତ୍ୱରାନ୍ୱିତ ହେବ। ରାଜ୍ୟର ବିଭିନ୍ନ ଐତିହ୍ୟ ପୀଠର ବିକାଶକୁ ଗୁରୁତ୍ୱ ଦେବାକୁ ସରକାର ସଂକଳ୍ପବଦ୍ଧ। ସବୁ କାର୍ଯ୍ୟ ଲୋକମାନଙ୍କ ସହଯୋଗ, ସହଭାଗିତା ଓ ପରାମର୍ଶରେ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।