ସମ୍ବାଦ ପ୍ରଭାବ: ଏବେ ବିଭାଗୀୟ କାର୍ଯ୍ୟରେ ସିକ୍ୟୁରିଟି ବ୍ୟବସ୍ଥା ରଦ୍ଦ

୪ ବର୍ଷରେ କୋଟି କୋଟି ଟଙ୍କା ରାଜସ୍ବ ହଡ଼ପ, ଅଧିକାରୀମାନଙ୍କଠାରୁ ଅର୍ଥ ଆଦାୟ ହେବ କି?

ଯାଜପୁର: ଏଣିକି ବିଭାଗୀୟ କାର୍ଯ୍ୟ ଉପରେ ସିକ୍ୟୁରିଟି ଅର୍ଥ ବ୍ୟବସ୍ଥା ରହିବ ନାହିଁ। ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ପକ୍ଷରୁ ଏ ସଂପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି। ଗତ ୪ ବର୍ଷ ହେଲା ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ସମଗ୍ର ରାଜ୍ୟରେ ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କ ନାମରେ କାର୍ଯ୍ୟାଦେଶ ଦିଆଯାଇ ଶହଶହ କୋଟି ଟଙ୍କାର ନିର୍ମାଣ କାମ କରାଯାଉଛି। ସରକାରୀ କର୍ମଚାରୀ ଠିକାଦାର ସାଜି କାମ କରୁଥିଲେ। ଠିକା କାମ ବାବଦରେ ଜମା ହୋଇଥିବା ସୁକ୍ୟୁରିଟି ଅର୍ଥକୁ ଅଧିକାରୀମାନେ ନିଜ ପକେଟରେ ପୂରାଉଥିଲେ। ଏଭଳି ହରିଲୁଟ କାରବାର ସମଗ୍ର ରାଜ୍ୟରେ ଚାଲିଆସିଛି। ଏ ସମ୍ପର୍କରେ ‘ସମ୍ବାଦ’ରେ ଗତ ମାସ ୨୯ତାରିଖରେ ଖବର ପ୍ରକାଶ ପାଇବା ସହିତ ରାଜ୍ୟର ୩୧୪ବ୍ଲକ୍‌ରେ ଏହି ସମ୍ପର୍କିତ ତଥ୍ୟ ‘ସମ୍ବାଦ’ ସୂଚନା ଅଧିକାର ସେଲ ପକ୍ଷରୁ ମଗାଯିବା ପରେ ଅଧିକାରୀଙ୍କ ଚେତା ପଶିଛି। ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକ ଗଣେଶ ଚନ୍ଦ୍ର ପାତ୍ର(ଆଇଏଏସ) ଗତ ୧୨ତାରିଖରେ ଚିଠି ନମ୍ବର ୧୨୮୦୯ରେ ବିଭାଗୀୟ କର୍ମଚାରୀଙ୍କ ନାମରେ କାର୍ଯ୍ୟାଦେଶ ଦିଆଯାଉଥିବା ପ୍ରକଳ୍ପରେ ସିକ୍ୟୁରିଟି ଜମା ନକରିବା ପାଇଁ ସମସ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦ ସଭାପତି, ବିଡିଓ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଜିଲ୍ଲା ପଞ୍ଚାୟତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶଥାଉକି, ଗ୍ରାମାଞ୍ଚଳରେ ପଲ୍ଲୀସଭା ବିବାଦ ଯୋଗୁଁ ନିର୍ମାଣ କାମ ଆଗେଇ ନପାରିବା ଯୋଗୁଁ ୨୦୧୮ଜୁଲାଇ ୧୩ ତାରିଖରେ ଚିଠି ନମ୍ବର ୧୩୨୨୦ରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡି କେ ସିଂହ ବିଜ୍ଞପ୍ତି ଜାରି କରି ବ୍ଲକ୍‌ ଓ ପଞ୍ଚାୟତର କର୍ମଚାରୀଙ୍କ ନାମରେ କାର୍ଯ୍ୟାଦେଶ ପ୍ରଦାନ କରି ନିର୍ମାଣ କାମକୁ ତ୍ବରାନ୍ବିତ କରାଯାଇଥିଲା। ଦୃଷ୍ଟାନ୍ତ ସ୍ବରୂପ ଯାଜପୁର ଜିଲ୍ଲାରେ ବିଂଝାରପୁର ବ୍ଲକ୍‌ରେ ଗତ ୪ବର୍ଷରେ ୬୦କୋଟିରୁ ଅଧିକ ଟଙ୍କା ବ୍ୟୟ ହୋଇଛି। ଏହାକୁ ତୁଳନା କଲେ ରାଜ୍ୟର ପ୍ରତ୍ୟେକ ବ୍ଲକ୍‌ରେ ହାରାହାରି ୪୦ରୁ୫୦କୋଟି ଟଙ୍କାର ଅନୁଦାନ ବ୍ୟୟ ହୋଇଛି। ପ୍ରତ୍ୟେକ କାମ ଉପରେ ୨ରୁ ୩ ପ୍ରତିଶତ ସିକ୍ୟୁରିଟି ବାବଦରେ ଜମା କରାଯାଇଥାଏ। ଅଡିଟ୍ ପରେ ସମ୍ପୃକ୍ତ କାର୍ଯ୍ୟ ତଦାରଖ କରୁଥିବା ସରକାରୀ କର୍ମଚାରୀ ଓ ଅଧିକାରୀ ଏହି ଅର୍ଥକୁ ଉଠାଇ ନିଅନ୍ତି। ରାଜ୍ୟର ୩୧୪ ବ୍ଲକ୍‌ରେ ଏହି ବାବଦକୁ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଠିକାଦାର ସାଜିଥିବା ଅଧିକାରୀମାନେ ମୁନାଫା କରିଛନ୍ତି। ସରକାରୀ ତହବିଲରୁ ଏହି ବ୍ୟାପକ ଅର୍ଥ ହଡ଼ପ ପାଇଁ ଦାୟୀ କିଏ? ଏହି ବେଆଇନ କାରବାରକୁ କାହିଁକି ବିଭାଗୀୟ ଅଧିକାରୀ ସ୍ବୀକୃତି ଦେଇ ଚାଲିଥିଲେ ବୋଲି ପ୍ରଶ୍ନ ଉଠୁଛି। ଏହି କାରବାର କେବଳ ପଞ୍ଚାୟତିରା‌ଜ ବିଭାଗରେ ଚାଲିନାହିଁ। ନଗର ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ସହରାଞ୍ଚଳରେ ମଧ୍ୟ ଜାରି ରହିଛି। ହରିଲୁଟ ହୋଇଥିବା ଅର୍ଥ ସମ୍ପୃକ୍ତ କର୍ମଚାରୀ ଓ ଅଧିକାରୀଙ୍କ ଠାରୁ ସରକାର ଆଦାୟ କରିବେ କି ବୋଲି ପ୍ରଶ୍ନ ହେଉଛି।

ସମ୍ବନ୍ଧିତ ଖବର