ସମ୍ବଲପୁର: ମହାନଦୀ ଓ ଏହାର ଉପନଦୀ ଗୁଡ଼ିକ ଉପରେ ଛତିଶଗଡ଼ର ଅବିଚାରିତ ବନ୍ଧ, ବ୍ୟାରେଜ୍ ନିର୍ମାଣ କାରଣରୁ ବିଗତ ପ୍ରାୟ ଏକ ଦଶନ୍ଧି ହେଲା ଅଣମୌସୁମୀ ସମୟରେ ମହାନଦୀର ଜଳପ୍ରବାହ କ୍ଷୀଣ ହୋଇଛି। ତେବେ ସେହି ବନ୍ଧ ଗୁଡ଼ିକ କାର୍ଯ୍ୟକାରୀ ହୋଇ ସାରିଥିବାରୁ ମହାନଦୀର ପରିବର୍ତ୍ତିତ ସ୍ଥିତି ଯାହା ତାକୁ ଗ୍ରହଣ କରି ହିଁ ଓଡ଼ିଶାକୁ ଏବେ ନିଜର ରଣନୀତି କରିବାକୁ ହେବ। ଅଣମୌସୁମୀ ଋତୁରେ ହୀରାକୁଦରୁ ହିଁ ଓଡ଼ିଶା ପାଇଁ ମହାନଦୀର ଆରମ୍ଭ ଏହାକୁ ଗ୍ରହଣ କରି ସେହି ଅନୁଯାୟୀ ଯୋଜନା କରିବାକୁ ହେବ ବୋଲି ବିଶେଷଜ୍ଞ ମାନେ ମତ ଦିଅନ୍ତି।

Advertisment

ଓଡ଼ିଶା ସରକାର ବିଳମ୍ବରେ ହେଲେ ବି ଏ ଦିଗରେ ପ‌ଦକ୍ଷେପ ନେବା ଆରମ୍ଭ କରିଛନ୍ତି। ମହାନଦୀ ସମେତ ଓଡ଼ିଶାର ସବୁ ପ୍ରମୁଖ ନଦୀ ଓ ଏହାର ଉପନଦୀ ଓ ଶାଖା ନଦୀ ଗୁଡ଼ିକରେ ଛୋଟବଡ଼ ବ୍ୟାରେଜ୍, ଚେକ୍‌ ‌ଡ୍ୟାମ୍ ଆଦି ନିର୍ମାଣ କରି ନଦୀଶଯ୍ୟାରେ ହିଁ ପାଣିକୁ ସଂରକ୍ଷିତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଗତ ବର୍ଷରୁ ୮ଟି ଏଭଳି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ସାରିଥିଲାବେଳେ ଚଳିତ ବର୍ଷ ପ୍ରାୟ ୩୦ଟି ପ୍ରକଳ୍ପ ଆରମ୍ଭ କରିବାର ଯୋଜନା ରହିଛି। ଏହି କାମ ଗୁଡ଼ିକ ଯୁଦ୍ଧକାଳୀନ ଭିତ୍ତିରେ କରି ୨ ବର୍ଷରୁ ୫ ବ‌ର୍ଷ ମଧ୍ୟରେ ଶେଷ କରିବାକୁ ‌ସରକାର ଯୋଜନା ରଖିଛନ୍ତି।

ଏସବୁ କାର୍ଯ୍ୟକାରୀ ହେଲା ପରେ ତଥା ‌ବର୍ଷା ଋତୁରେ ସମୁଦ୍ରକୁ ବୋହି ଯାଉଥିବା ଜଳ ସଂରକ୍ଷଣ ପାଇଁ ବିଭିନ୍ନ ପଦକ୍ଷେପ ନେଲା ପରେ ହୁଏତ ଓଡ଼ିଶାର ଜଳ ସଂକଟ ଅନେକ ମାତ୍ରାରେ ହ୍ରାସ ପାଇବ। କିନ୍ତୁ ବର୍ତ୍ତମାନ ସାରା ରାଜ୍ୟ ତତଲା କଢ଼େଇରେ ଭାଜି ହେଉଥିଲାବେଳେ ଓଡ଼ିଶା ପାଖରେ ରାଜ୍ୟର ଆବଶ୍ୟକତା ଅନୁଯାୟୀ ଯେ ଯଥେଷ୍ଟ ପରିମାଣର ପାଣି ଅଛି ତାହା କେହି ଜୋର ଦେଇ କହିପାରିବେ ନାହିଁ।

ମହାନଦୀକୁ ଜଳ ପ୍ରବାହ ସଂପର୍କରେ ‌ହୀରାକୁଦ ମୁଖ୍ୟ ବନ୍ଧ ଓ ଉପର ବେସିନ୍ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁଙ୍କ କହିବା ହେଲା ଅଣମୌସୁମୀ ସମୟରେ ହୀରାକୁଦକୁ ଜଳପ୍ରବାହ ମୁଖ୍ୟତଃ ଉପର ମୁଣ୍ଡର ଅଦିନିଆ ବର୍ଷା ଉପରେ ନିର୍ଭର କରେ। ଚଳିତ ବର୍ଷ ମାର୍ଚ୍ଚ, ଏପ୍ରିଲ୍‌ରେ ପ୍ରାୟତଃ ବର୍ଷା ହୋଇ ନଥିବାରୁ ହୀରାକୁଦକୁ ଜଳପ୍ରବାହ ସାମାନ୍ୟ କମିଛି। କିନ୍ତୁ ଜଳପ୍ରବାହ କମ୍, ବେଶୀ ହେଲେ ବି ସଂପୂର୍ଣ୍ଣ ବନ୍ଦ ହୋଇ ନଥାଏ। ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ଜଳସ୍ତର ସନ୍ତୋଷଜନକ ରହିଛି ଓ ଯୋଜନା ଅନୁଯାୟୀ ଜଳବ୍ୟୟ କରାଯାଉଛି।

ମୌସୁମୀ ଆସିବା ପର୍ଯ୍ୟନ୍ତ କେଉଁ କାମ ପାଣି ହୀରାକୁଦରୁ କେତେ ପାଣି ଛଡ଼ାଯିବ ସେନେଇ ସାରଣୀ ପ୍ରସ୍ତୁତ କରାଯାଇଛି ଓ ସେହି ଅନୁଯାୟୀ ପାଣି ଛଡ଼ା ଯାଉଛି। ତେଣୁ କୌଣସି ସମସ୍ୟା ଉପୁଜିବା ଆଶଂକା ନାହିଁ। ମେ’ ୫ରେ ଏକ ଲଘୁଚାପ ଆସିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଯଦି ସେହି ଲଘୁଚାପରୁ ହୀରାକୁଦକୁ କିଛି ପାଣି ମିଳେ ତା’ହେଲେ ଜଳ ପରିଚାଳନା ଆହୁରି ସହଜ ହୋଇଯିବ ବୋଲି ଶ୍ରୀ ସାହୁ କହିଛନ୍ତି।

ହୀରାକୁଦ ଜଳଭଣ୍ଡାରରୁ ଛଡ଼ା ଯାଉଥିବା କେନାଲ୍ ପାଣିରେ ହୀରାକୁଦ କ୍ୟାଚ୍‌ମେଣ୍ଟ ଅଞ୍ଚଳରେ ଥିବା ବରଗଡ଼, ସୋନପୁର ଓ ସମ୍ବଲପୁର ଜିଲ୍ଲାର ୧ ଲକ୍ଷ ୫୯ ହଜାର ହେକ୍ଟର ଜମିରେ ରବି ଚାଷ ହୋଇଥାଏ। ଖରିଫ୍ ଚାଷ ପାଇଁ ହୀରାକୁଦ କ୍ୟାଚ୍‌ମେଣ୍ଟ ପରିସର ଅଧିକ ହୋଇଥିଲାବେଳେ ରବି ପାଇଁ ଏହା ସେହି ୧.୬ ଲକ୍ଷ ହେକ୍ଟରରେ ସୀମିତ। ସାଧାରଣତଃ ଖରିଫ୍ ପାଇଁ ଏପ୍ରିଲ୍ ୩୦ ଯାଏ କେନାଲ୍‌ରେ ପାଣି ଛଡ଼ା ଯାଇଥାଏ। କିନ୍ତୁ ଚାଷୀଙ୍କ ଅନୁରୋଧ କାରଣରୁ ଏଥର ଆଉ ୫ରୁ ୧୦ ଦିନ ଅଧିକ କେନାଲ୍‌ରେ ପାଣି ଛଡ଼ାଯିବ।

ବର୍ତ୍ତମାନ ଖରାଦିନେ ବିଦ୍ୟୁତ୍‌ ଚାହିଦା ବୃଦ୍ଧି ଓ କୋଇଲା ସଂକଟକୁ ଆଖିରେ ରଖି ରାଜ୍ୟ ସରକାର ଜଳବିଦ୍ୟୁତ୍ ଉତ୍ପାଦନ ବୃଦ୍ଧି ଉପରେ ଯୋର ଦେଉଛନ୍ତି। ହୀରାକୁଦ ବନ୍ଧର ପାଣିରେ ଦୁଇଟି ଜଳ ବିଦ୍ୟୁତ୍ କେନ୍ଦ୍ର ବୁର୍ଲା ଓ ଚିପିଲିମା ପରିଚାଳିତ ହେଉଥିଲାବେଳେ ଅଣମୌସୁମୀ ସମୟରେ ପ୍ରାୟତଃ ୪୦%ରୁ ୫୦% କ୍ଷମତାରେ ବିଦ୍ୟୁତ୍‌ ଉତ୍ପାଦନ ହୋଇଥାଏ। କେନାଲ୍ ବନ୍ଦ ହେଲା ପରେ ସେହି ଜଳକୁ ଜଳବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହାର କରାଯାଇ ପାରିବ ଜଳ ବିଦ୍ୟୁତ୍ ଉତ୍ପାଦନ ଅବ୍ୟାହତ ରହିବ ବୋଲି ଶ୍ରୀ ସାହୁ ଆଶାବ୍ୟକ୍ତ କରିଛନ୍ତି। ସେହିପରି ଅନେକ ସମୟରେ ମୌସୁମୀ ଆସିବାରେ ବିଳମ୍ବ ହେଉଥିବାରୁ ତଳି ପକାଇବା ପାଇଁ ବି ହୀରାକୁଦ କ୍ୟାଚ୍‌ମେଣ୍ଟର ଚାଷୀ କେନାଲ୍ ପାଣି ଉପରେ ନିର୍ଭର କରିଥାଆନ୍ତି। ସେଥି ପାଇଁ ବି ପାରି ସଂରକ୍ଷିତ ରହିବ ବୋଲି ଶ୍ରୀ ସାହୁ କହିଛନ୍ତି।