ଏବେ ଦୁର୍ନୀତି ବିରୋଧରେ ଯୁଦ୍ଧ: ଲୋକେ ଜାଣିବେ ନେତା, ବାବୁ ଓ କର୍ମଚାରୀଙ୍କ ସଂପତ୍ତି

ବିଜେଡି ରାଜ୍ୟ ପରିଷଦ ବୈଠକରେ ନବୀନଙ୍କ ବଡ଼ ଘୋଷଣା

ଭୁବନେଶ୍ବର: ସରପଞ୍ଚଠାରୁ ଆରମ୍ଭ କରି ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ବିଧାୟକ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ସେମାନଙ୍କର ସଂପତ୍ତି ତାଲିକା ଦେବେ। ଜନସାଧାରଣଙ୍କ ସୂଚନା ନିମନ୍ତେ ଏହାକୁ ୱେବ୍‌ ସାଇଟ୍‌ରେ ରଖାଯିବ। ଦୁର୍ନୀତି ବିରୋଧରେ ସାଲିସ୍ ବିହୀନ ଲଢ଼େଇକୁ ଆହୁରି ଶାଣିତ କରିବା ଲାଗି ଆଜି ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ବିଜେଡି ରାଜ୍ୟ ପରିଷଦ ବୈଠକ ଶେଷରେ ଦଳୀୟ କର୍ମକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଇ ନବୀନ କହିଛନ୍ତି ଯେ କେବଳ ନେତା, ମନ୍ତ୍ରୀ ନୁହେଁ, ମୁଖ୍ୟସଚିବଙ୍କ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କର ସବୁ କର୍ମଚାରୀ ପ୍ରତିବର୍ଷ ସେମାନଙ୍କର ସଂପତ୍ତି ତାଲିକା ଦେବାକୁ ବାଧ୍ୟ। ଏହାକୁ ମଧ୍ୟ ସରକାରୀ େଵବ୍ ସାଇଟ୍‌ରେ ରଖାଯିବ। ସବୁ ସଂପତ୍ତି ତାଲିକା ଲୋକାୟୁକ୍ତଙ୍କ ପାଖକୁ ପଠାଯିବ। ସେହିଭଳି ବିଜେଡି ସାଂସଦମାନେ ସ୍ବେଚ୍ଛାକୃତ ଭାବେ ସେମାନଙ୍କର ସଂପତ୍ତି ତାଲିକା ଦେବେ ଓ ସାରା ଭାରତବର୍ଷରେ ଏହା ଉଦାହରଣ ହୋଇ ରହିବ। ଦୁର୍ନୀତି ରୋକିବା ପାଇଁ କଡ଼ା ପଦକ୍ଷେପ ନେବାରେ ମଧ୍ୟ ଓଡ଼ିଶା ଭାରତବର୍ଷରେ ପ୍ରଥମ ରାଜ୍ୟ ହେବ ଓ ଅନ୍ୟ ରାଜ୍ୟମାନଙ୍କୁ ଏ ଦିଗରେ ବାଟ ଦେଖାଇବ।

ମୁଖ୍ୟମନ୍ତ୍ରୀ ସମେତ ସବୁ ଲୋକ ପ୍ରତିନିଧି ସଂପତ୍ତି ତାଲିକା ଦେବାକୁ ବାଧ୍ୟ
ମୁଖ୍ୟସଚିବଠୁ ନେଇ ତଳିଆ କର୍ମଚାରୀ ବି ସଂପତ୍ତି ତାଲିକା ଦେବେ
ସବୁ ସଂପତ୍ତି ତାଲିକା ଲୋକାୟୁକ୍ତଙ୍କ ପାଖକୁ ପଠାଯିବ

ରବିବାର ରାଜ୍ୟ କାର୍ଯ୍ୟକାରିଣୀ ପରେ ଆଜି ବିଜେଡି ରାଜ୍ୟ ପରିଷଦ ବୈଠକ ଥିଲା। ପୂର୍ବାହ୍ନରେ ନବୀନ ସମସ୍ତଙ୍କୁ ଦଳ ଓ ସରକାରର କାର୍ଯ୍ୟଧାରା ସଂପର୍କରେ ଗୋଟାଏ ଲେଖାଏଁ ପ୍ରସ୍ତାବ ଦେବାକୁ କହିଥିଲେ। ଏକଥା ବି ଜଣାଇଥିଲେ ଯେ ସେ ନିେଜ ଏହି ପ୍ରସ୍ତାବ ସବୁକୁ ଅନୁଧ୍ୟାନ କରିବେ ଓ ଗଠନମୂଳକ ପ୍ରସ୍ତାବଗୁଡିକ ଯଥାଶୀଘ୍ର କାର୍ଯ୍ୟକାରୀ କରାଯିବ। ଅପରାହ୍ନରେ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ନବୀନ ସନ୍ତୋଷ ବ୍ୟକ୍ତି କରି କହିଥିଲେ ଯେ ଦଳର ନେତାମାନେ ବହୁତ ଭଲ ପ୍ରସ୍ତାବ ଦେଇଛନ୍ତି। ସବୁ ପ୍ରସ୍ତାବକୁ ସେ ଅନୁମୋଦନ ଦେଉଛନ୍ତି। ବିଶେଷକରି ସେ ଖୁସି ଏଇଥିପାଇଁ; କାରଣ ସରକାରୀ ସ୍କୁଲରେ ପାଠ ପଢ଼ୁଥିବା ପିଲାଙ୍କ ଲାଗି ମେଡ଼ିକାଲ କଲେଜ ଓ ଇଂଜିନିୟରିଂ କଲେଜରେ ସ୍ଥାନ ସଂରକ୍ଷଣ ପ୍ରସ୍ତାବ ଆସିଛି। ସେହିଭଳି ପଛୁଆ ବର୍ଗ ସର୍ଭେ ସଂପର୍କରେ ମଧ୍ୟ କିଛି ଭଲ ପ୍ରସ୍ତାବ ଆସିଛି, ଯାହା ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ଏହା ଏକ ମାଇଲଖୁଣ୍ଟ ହେବ।

ମହିଳାମାନଙ୍କ ସଶକ୍ତୀକରଣ ମୋର ସବୁଠାରୁ ପ୍ରିୟ ବିଷୟ ବୋଲି ସୂଚନା ନେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ସଂପର୍କରେ ଆସିଥିବା ପ୍ରସ୍ତାବକୁ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟକାରୀ କରିବାପାଇଁ ଚେଷ୍ଟା କରାଯିବ। ଆଜିର ବୈଠକରେ ଯେଉଁ ସବୁ ପ୍ରସ୍ତାବ ପାରିତ ହେବ, ତାହାକୁ ସରକାରୀସ୍ତରରେ କାର୍ଯ୍ୟକାରୀ ପାଇଁ ସଂପୃକ୍ତ ମନ୍ତ୍ରୀମାନଙ୍କ ପାଖକୁ ପଠାଯିବ। ସଂଗଠନ ସଂପାଦକ ଏ ଦିଗରେ ଆବଶ୍ୟକ ସମନ୍ବୟ ରଖିବେ। ବୈଠକରେ ମୁଖ୍ୟମନ୍ତ୍ରୀ ଦୁର୍ନୀତି ପ୍ରସଙ୍ଗରେ ନିଜର ସ୍ପଷ୍ଟ ଆଭିମୁଖ୍ୟ ରଖିଥିଲେ। ସେ କହିଥିଲେ, ତାଙ୍କ ସରକାର ଆରମ୍ଭରୁ ଦୁର୍ନୀତି ବିରୋଧରେ ଲଢ଼େଇ କରି ଆସିଛି। ଦୁର୍ନୀତି ହିଁ ବିକାଶର ସବୁଠାରୁ ବଡ଼ ଶତ୍ରୁ। ସରକାର ଏବେ ଗରିବୀ, ରୋଗ, ଆଞ୍ଚଳିକ ଅସମାନତା, ପ୍ରାକୃତିକ ବିପର୍ଯ୍ୟୟ, ଅନ୍ୟାୟ ଏବେ ଅପରାଗତା ବିରୋଧରେ ଲଢ଼େଇ କରୁଛି। ଯଦି ସ୍ବଚ୍ଛତା ଉପରେ ଗୁରୁତ୍ବ ନ ଦିଆଯିବ, ଦୁର୍ନୀତିର ମୂଳୋତ୍ପାଟନ ନ ହେବ, ତେବେ ଏସବୁ ଲଢେଇ ମୂଲ୍ୟହୀନ ହୋଇଯିବ।

ଦୁର୍ନୀତି ବିରୋଧରେ ସାଲିସବିହୀନ ଲଢ଼େଇ ଭାରତବର୍ଷରେ ସୁନାମ ଆଣିଛି ବୋଲି ମତ ରଖି ନବୀନ ଆହୁରି କହିଥିଲେ ଯେ ଦୁର୍ନୀତି ମାମଲା ବିଚାର ପାଇଁ ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା ହେଉ କି ଦୁର୍ନୀତିରେ ଲିପ୍ତ ବ୍ୟକ୍ତିଙ୍କ ସଂପତ୍ତି ବାଜ୍ୟାପ୍ତି କାରଣରୁ ଓଡ଼ିଶା ଦେଶରେ ଆଗରେ ରହିଛି। ଓଡ଼ିଶାରେ ଶକ୍ତିଶାଳୀ ଲୋକାୟୁକ୍ତ ବ୍ୟବସ୍ଥା ରହିଛି। ଦୁର୍ନୀତି କରୁଥିବା କର୍ମଚାରୀ ଯେତେ ଉଚ୍ଚପଦରେ ଥାନ୍ତୁ ନା କାହିଁକି ସେମାନଙ୍କ ବିରୋଧରେ ସରକାର ସବୁବେଳେ ଦୃଢ଼ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଅନେକ କ୍ଷେତ୍ରରେ ସେମାନଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ଗତବର୍ଷକ ମଧ୍ୟରେ ପ୍ରାୟ ୯୧ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିିରିରୁ ବିଦା କରାଯାଇଛି ଓ ସେମାନଙ୍କ ପେନସନ୍ ବନ୍ଦ ରହିଛି। ଆଗକୁ ଏ ଲଢ଼େଇ ଜୋରଦାର କରାଯିବ। ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ ସାଧାରଣ ଲୋକଙ୍କ ମୁହଁରେ ହସ ଓ ମନରେ ବିଶ୍ବାସ ସୃଷ୍ଟି କରିବା ଗୋଟିଏ ରାଜନୈତିକ ଦଳର ସବୁଠାରୁ ବଡ଼ ସଂପତ୍ତି। ଏଣୁ ତାକୁ ବଜାୟ ରଖିବା ପାଇଁ କାର୍ଯ୍ୟ କରିବା ଲାଗି ସେ ଦଳୀୟ ନେତାଙ୍କୁ ଆହ୍ବାନ ଦେଇଥିଲେ।

ସମ୍ବନ୍ଧିତ ଖବର