ଏବେ ସୀମା ସୁରକ୍ଷା କଡ଼ାକଡ଼ି, ପଶ୍ଚିମବଙ୍ଗ ସୀମାରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜି

ସାମୁଦ୍ରିକ ଥାନାକୁ ଆଲର୍ଟ

ବାଲେଶ୍ୱର/ବାରିପଦା/ଜଳେଶ୍ବର: ଦୁଇଦିନରେ ରାଜ୍ୟରେ ୧୮ କରୋନା ପଜିଟିଭ। ମଙ୍ଗଳବାର ସୁଦ୍ଧା ଓଡ଼ିଶାର ୭୪ ସଂକ୍ରମିତଙ୍କ ମଧ୍ୟରୁ ୨୪ ଜଣଙ୍କର ରହିଛି ପଶ୍ଚିମବଙ୍ଗ ଲିଙ୍କ୍‌। ଯେଉଁମାନେ କି ଲକ୍‌ଡାଉନ୍ କଟକଣା ମଧ୍ୟରେ ଓଡ଼ିଶା-ପଶ୍ଚିମବଙ୍ଗ ଅନ୍ତଃରାଜ୍ୟ ସୀମା ବାଟ ଦେଇ ଖସି ପଳାଇ ଆସିଛନ୍ତି। ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହ ନେବା ପରେ ଆଜି ପୁଲିସ ଡିଜି ଅଭୟ ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ସୀମା ସୁରକ୍ଷା ସ୍ଥିତି ନିରୀକ୍ଷଣ କରିଛନ୍ତି। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ଡିଜି ଶ୍ରୀ ଅଭୟ ଓ ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲିକପ୍ଟର ଯୋଗେ ଆସି ବାଲେଶ୍ବର ରିଜର୍ଭ ପୁଲିସ୍‌ ପଡ଼ିଆରେ ପହଞ୍ଚିବା ପରେ ପୁଲିସ ବାରାକ୍‌, ଟାଉନ ଥାନା, ସଦର ଥାନା, ସହଦେବଖୁଣ୍ଟା ଥାନା ପରିଦର୍ଶନ କରି କ‌ରୋନା ମୁକାବିଲା ପାଇଁ ନିୟୋଜିତ ହୋଇଥିବା ପୁଲିସ କର୍ମଚାରୀଙ୍କ ସହ କଥା ହୋଇଥିଲେ। ପରେ ସେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଲକ୍ଷ୍ମଣନାଥଠାରେ ଥିବା ଅନ୍ତଃରାଜ୍ୟ ଚେକ୍‌ପୋଷ୍ଟ ପରିଦର୍ଶନ କରି ସୀମା ସ୍ଥିତି ନିରୀକ୍ଷଣ କରିଥିଲେ। ଲକ୍ଷ୍ମଣନାଥରେ ପାଖାପାଖି ୧୫ ମିନିଟ ରହିବା ଅବସରରେ ପୁଲିସ ଡିଜି ସୀମାନ୍ତ ସୁରକ୍ଷା ଉପରେ ଗୁରୁତ୍ବାରୋପ କରିଥିଲେ।

ପୁଲିସ ସତର୍କତାର ସହ ନିଜ ଦାୟିତ୍ୱ ନିର୍ବାହ କରିବା ସହ ପଶ୍ଚିମବଙ୍ଗରୁ ଓଡ଼ିଶା ଭିତରକୁ ଆସୁଥିବା ଲୋକଙ୍କୁ କୌଣସି ପରିସ୍ଥିତିରେ ନ ଛାଡିବା ଲାଗି ଉପସ୍ଥିତ ପଦାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ସେ ମୟୂରଭଞ୍ଜ ଗସ୍ତରେ ଯାଇ ବାରିପଦା ରିଜର୍ଭ ପରିସରରେ ଥିବା ବାରାକ୍‌ ପରିଦର୍ଶନ କରିଥିଲେ। ସେଠାରୁ ଶୁଳିଆପଦା ବ୍ଳକର ଚକଶୁଳିଆପଦାକୁ ଯାଇ ଓଡ଼ିଶା-ପଶ୍ଚିମବଙ୍ଗ ଅନ୍ତଃରାଜ୍ୟ ସୀମା ବୁଲି ଦେଖିବା ସହ ପୁଲିସ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ସେଠାରୁ ଫେରି ରଙ୍ଗାମାଟିଆସ୍ଥିତ ପଞ୍ଚମ ବାଟାଲିୟନ‌ରେ ଯବାନମାନଙ୍କ ସହ ଆଲୋଚନା କରିବା ସହ କରୋନା ପରିପ୍ରେକ୍ଷୀରେ ସାମାଜିକ ଦୂରତା ବଜାୟ ରଖିବା ଓ ସୁରକ୍ଷା ସଂପର୍କିତ ନିୟମ ଅନୁପାଳନ କରିବାକୁ ପରାମର୍ଶ ଦେଇଥିଲେ। ପରେ ସେ ବାରିପଦା ସଦର ଥାନା ଓ ଟାଉନ ଥାନା ପରିଦର୍ଶନ କରିବା ସହ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ଅପରାହ୍ନରେ ହେଲିକପ୍ଟର ଯୋଗେ ଫେରି ଯାଇଥିଲେ। ଏହି ଅବସରରେ ଡିଜି ଶ୍ରୀ ଅଭୟ ମୟୂରଭଞ୍ଜ ଏସ୍‌ପି ସ୍ମିଥ୍‌.ପି.ପରମାର, ବାଲେଶ୍ବର ଏସ୍‌ପି ବି. ଯୁଗଳକିଶୋର, କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ ସାମଲ, ପୂର୍ବାଞ୍ଚଳ ପୁଲିସ ଆଇଜି ଦୀପ୍ତେଶ ପଟ୍ଟନାୟକ, ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସହିତ ଦୁଇ ଜିଲ୍ଲାରେ କରୋନା ସ୍ଥିତି ଓ ସୀମା ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଥିଲେ।

ଭୁବନେଶ୍ବର: ସମୁଦ୍ର ପଥ ଦେଇ ଅନ୍ୟ ରାଜ୍ୟରୁ ଓଡ଼ିଶା ସୀମାକୁ କେହି ଯେପରି ପ୍ରବେଶ ନ କରନ୍ତି ତାକୁ ନେଇ ସାମୁଦ୍ରିକ ଥାନାକୁ ଆଲର୍ଟ କରାଯାଇଛି। ସମୁଦ୍ର ପଥରେ ପାଟ୍ରୋଲିଂ କରିବା ଲାଗି ତଟ ସୁରକ୍ଷା ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଚେନ୍ନାଇରୁ ମତ୍ସଜୀବୀ ସମୁଦ୍ର ପଥ ଦେଇ ଡଙ୍ଗାରେ ଆସୁଥିବା ବେଳେ ଆନ୍ଧ୍ରପ୍ରଦେଶରେ ଧରାପଡ଼ିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଏହି ଘଟଣା ସାମ୍ନାକୁ ଆସିଥିଲେ ବି ପୂର୍ବରୁ ସମୁଦ୍ର ପଥ ଦେଇ କେତେ ଲୋକ ଆସିଛନ୍ତି ସେ ତଥ୍ୟ ଜଣାପଡ଼ି ନାହିଁ। ମିଳିଥିବା ସୂଚନା ଅନୁସାରେ ଚେନ୍ନାଇରେ ମତ୍ସ୍ୟଜୀବୀ ଭାବେ ପେଟ ପୋଷୁଥିବା କିଛି ଯୁବକ ଘରକୁ ଫେରୁଥିଲେ। ଚେନ୍ନାଇରୁ ଏକ ଡଙ୍ଗା କିଣି ଆନ୍ଧ୍ରପ୍ରଦେଶର ୧୭ ଜଣ, ଗଞ୍ଜାମର ୯ ଜଣ ଓ ପୁରୀ କୃଷ୍ଣପ୍ରସାଦର ଜଣେ ଯୁବକ ସମୁଦ୍ର ପଥ ଦେଇ ଘରକୁ ଫେରିବା ସମୟରେ ଓଡ଼ିଶା ସୀମାରୁ ମାତ୍ର ଅଳ୍ପ ଦୂର ଆନ୍ଧ୍ରପ୍ରଦେଶ ସୀମାରେ ଧରା ପଡ଼ିଥିଲେ। ସେଠାରେ ପ୍ରଶାସନ ସେମାନଙ୍କୁ ଉଦ୍ଧାର କରି କ୍ବାରେଣ୍ଟିନରେ ଭର୍ତ୍ତି କରିଥିଲା। ଏହି ଘଟଣା ପରେ ସମୁଦ୍ର ପଥ ଦେଇ ଯାତାୟାତ ଚାଲୁ ରହିଥିବା ସନ୍ଦେହ ପ୍ରକାଶ ପାଇଥିଲା। ଆଗକୁ ଯେମିତି ସମୁଦ୍ର ପଥ ଦେଇ ଓଡ଼ିଶା ସୀମାକୁ କୌଣସି ଡଙ୍ଗା, ବୋଟ୍ ଯାତାୟାତ ନ ହେବ ସେଥିଲାଗି ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଏଡିଜି ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ଯଦି କୌଣସି ସନ୍ଦିଗ୍ଧ ଧରାପଡନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର