ଏବେ ଦୈନିକ ସାଢ଼େ ୩ଲକ୍ଷ ଲୋକଙ୍କୁ ଟିକା

ଭୁବନେଶ୍ବର : ରାଜ୍ୟରେ ଆହୁରି ବଢ଼ିବ କରୋନା ଟିକାକରଣ। ଅଗଷ୍ଟ ତୁଳନାରେ ସେପ୍ଟେମ୍ବର ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ଅଧିକ ଟିକା ଆବଣ୍ଟିତ କରିଛନ୍ତି। ରାଜ୍ୟ ସରକାର ମଧ୍ୟ ଏବେ‌ ଦୈନିକ ଟିକାକରଣ ଲକ୍ଷ୍ୟରେ ପରିବର୍ତନ କରିଛନ୍ତି। ଏବେ ଦୈନିକ ସାଢ଼େ ୩ଲକ୍ଷ ଲୋକଙ୍କୁ ଟିକା ଦିଆଯିବ। ଯାହାଫଳରେ ସମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ରାଜ୍ୟରେ ଅଧିକରୁ ଅଧିକ ଟିକାକରଣ ହୋଇପାରିବ ବୋଲି କୁହାଯାଉଛି।

ରାଜ୍ୟରେ ସମୁଦାୟ ୩.୧ କୋଟି ଲୋକଙ୍କୁ ଟିକା ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଜାନୁଆରି ମାସରେ ଟିକାକରଣ ଆରମ୍ଭ ହେବା ପରେ ରାଜ୍ୟରେ ଏହା ଉପର-ତଳ ହୋଇ ଜାରି ରହିଛି। ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସ ବେଳକୁ ତୃତୀୟ ଲହର ଆରମ୍ଭ ହୋଇପାରେ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛନ୍ତି। ତେଣୁ ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବା ଲାଗି ନିଷ୍ପତ୍ତି ନିଆଯାଇଛି। ଏବେ ରାଜ୍ୟରେ ଦୈନିକ କରୋନା ଟିକାକରଣ ୨ଲକ୍ଷ ତଳେ ରହିଛି।

ଚଳିତମାସ କେନ୍ଦ୍ର ସରକାରଙ୍କ ପକ୍ଷରୁ ୪୩.୪୮ଲକ୍ଷ ଡୋଜ୍ ଟିକା ଯୋଗାଇ ଦିଆଯାଇଛି। ସେପ୍ଟେମ୍ବର ମାସର କୋଟାକୁ କେନ୍ଦ୍ର ସରକାର ବଢ଼ାଇଛନ୍ତି। ଆସନ୍ତା ମାସରେ ସମୁଦାୟ ୬୮ଲକ୍ଷ ୧୩ହଜାର ୬୮୦ ଡୋଜ୍ ଟିକା ଆସିବ। ଏଥିରେ ସରକାରୀ ସ୍ତରରେ ୫୧,୬୯,୨୮୦ କୋଭିସିଲ୍‌ଡ, ୮,୪୪,୪୩୦ କୋଭାକ୍ସିନ୍ ଟିକା ଆସିବ। ସେହିପରି ଘରୋଇ ହସ୍ପିଟାଲକୁ ୬,୮୯,୨୪୦ କୋଭିସିଲ୍‌ଡ ଓ ୭,୯୯,୯୭୦ ଟିକା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି।

ଅପରପକ୍ଷରେ ରାଜ୍ୟ ସରକାର ମଧ୍ୟ ଦୈନିକ ଟିକାକରଣ ଲକ୍ଷ୍ୟକୁ ବଢ଼ାଇ ଦେଇଛନ୍ତି। ଜିଲ୍ଲାୱାରୀ ନୂତନ ଟିକାକରଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଭୁବନେଶ୍ବର ସହରାଞ୍ଚଳରେ ୩୦ହଜାର, ଗଞ୍ଜାମ ୨୮,୫୦୦, କଟକ ୨୦ହଜାର, ମୟୂରଭଞ୍ଜ ୧୯ହଜାର, ବାଲେଶ୍ବର ୧୮ହଜାର, ସୁନ୍ଦରଗଡ଼ ୧୬ହଜାର, କେନ୍ଦୁଝର ୧୪୫୦୦, ପୁରୀ ୧୪ହଜାର, ବଲାଙ୍ଗୀର ୧୨୫୦୦, ବରଗଡ଼, କଳାହାଣ୍ଡି ଓ ଭଦ୍ରକ ପାଇଁ ୧୨ହଜାର ଲେଖାଏଁ ଟିକାକରଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ରାଜ୍ୟ ସରକାର ଏବେ ଦ୍ବିତୀୟ ଡୋଜ୍ ଟିକାକରଣକୁ ପ୍ରାଥମିକତା ଦେଉଛନ୍ତି। ପ୍ରାୟ ୧୬ଲକ୍ଷ ଲୋକ ଦ୍ବିତୀୟ ଡୋଜ୍ ଟିକା ଅପେକ୍ଷାରେ ଥିବା ବେଳେ ଭୁବନେଶ୍ବରରେ ଏହି ସଂଖ୍ୟା ୧ଲକ୍ଷ ଉପରେ ରହିଛି। ତେଣୁ ନୂତନ ଟିକାକରଣ ଟାର୍ଗେଟ୍‌ ଫଳରେ ଭୁବନେଶ୍ବରରେ ଦ୍ବିତୀୟ ଡୋଜ୍ ଟିକାକରଣ ସଂଖ୍ୟା ବୃଦ୍ଧି ପାଇବ। ରାଜ୍ୟରେ ଏବେ ୫୦ଲକ୍ଷରୁ ଅଧିକ ଲୋକ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଥିବା ବେଳେ ଆସନ୍ତା ମାସରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ। ଏହାସହ ଆସନ୍ତା ଗୁରୁ ଦିବସ ସୁଦ୍ଧା ରାଜ୍ୟରେ ଶିକ୍ଷକ/ଅଣଶିକ୍ଷକ ଓ ସେମାନଙ୍କ ପରିବାର ଲୋକଙ୍କ ଟିକାକରଣ ସାରିବାକୁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି।

ଦୈନିକ ସାଢ଼େ ୩ଲକ୍ଷ ଲୋକଙ୍କ ଟିକାକରଣ ଲକ୍ଷ୍ୟକୁ ପୂରଣ କରିବା ଲାଗି ପଦକ୍ଷେପ ଗ୍ରହଣ କରିବା ଲାଗି ସବୁ ଜିଲ୍ଲାପାଳମାନଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ପୂର୍ବରୁ ରହିଥିବା ସିରିଞ୍ଜ ସମସ୍ୟା ଏବେ ଦୂର ହୋଇଛି। ତେଣୁ ଦ୍ବିତୀୟ ଡୋଜ୍ ଅପେକ୍ଷାରେ ରହିଥିବା ହିତାଧିକାରୀଙ୍କ ସମେତ, ଗର୍ଭବତୀ ମହିଳା ଓ ଶିକ୍ଷକ/ଅଣ ଶିକ୍ଷକକୁ ପ୍ରାଥମିକତା ଭିତ୍ତିରେ ଟିକା ଦେବା ଲାଗି ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର