ଝାରସୁଗୁଡ଼ା : ଖାଦ୍ୟ ଥାଳିରେ ମହଙ୍ଗା ମାଡ଼। ପରିବା ଦର ଆକାଶଛୁଆଁ ହେବାପରେ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ‘ଆହାର’ ଓ ସ୍କୁଲ ପିଲାଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରୁ ଏବେ ପରିବା ଗାଏବ୍‌। ଗୁରୁବାର ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍କୁଲ ଓ ଆହାର କେନ୍ଦ୍ରରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଥିଲା। ଆହାର କେନ୍ଦ୍ରରେ ଭାତ ସାଙ୍ଗକୁ ଡାଲମା ନାଁରେ କାଁ ଭାଁ ଆଳୁ ଭାସୁଥିବା ଡାଲିପାଣି ଓ ଆଚାର ଦିଆଯାଉଥିବା ବେଳେ ମଧ୍ୟାହ୍ନ ଭୋଜନର ଡାଲମାରୁ ପରିବା ହଜି ଯାଇଥିଲା।

Advertisment

ଗୁରୁବାର ଦିନ ପ୍ରାୟ ଗୋଟାଏ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥ ଆହାର କେନ୍ଦ୍ର ଭିତରେ ଅନ୍ୟୂନ ୨୦ ଜଣ ଲୋକ ଥିଲେ। ଏହି ସମୟରେ ୫ ଟଙ୍କିଆ ଆହାର ଆଣୁଥିବା ପ୍ରତିଟି ବ୍ୟକ୍ତିଙ୍କ ଥାଳିରେ ଭାତ ଉପରେ ଡାଲି ଓ ଖଣ୍ଡେ କି ଦିଖଣ୍ଡ ଆଳୁ ପଡ଼ିଥିଲା। ଘଟଣା ସମ୍ପର୍କରେ ସେଠାରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ପଚାରିବାରୁ, ପରିବା ଦିଆଯାଉଥିବା କହି ଆଉ ଏକ ପ୍ଲେଟରେ ଡାଲମା ଢାଳିଥିଲେ। କିନ୍ତୁ ସେଥିରେ ପାଣିଚିଆ ଡାଲିରେ ଛୋଟ ଛୋଟ ୪ ଖଣ୍ଡ ଆଳୁ ବ୍ୟତୀତ ଅନ୍ୟ କିଛି ପରିବା ଦେଖିବାକୁ ମିଳିନଥିଲା। ସେହିପରି ଦିନ ଗୋଟାଏରେ ଲଇକେରା ବ୍ଲକ କେଜିବି ହାଇସ୍କୁଲରେ ମଧ୍ୟାହ୍ନ ଭୋଜନ ବଣ୍ଟା ଚାଲିଥିଲା। ଏହି ସମୟରେ ଛାତ୍ରଛାତ୍ରୀଙ୍କୁ ଭାତ, ଡାଲମା ଦିଆଯାଉଥିବା ନେଇ ରୋଷେଇ କରୁଥିବା କର୍ମଚାରୀ କହିଥିଲେ। ମାତ୍ର ଛାତ୍ରଛାତ୍ରୀଙ୍କ ଥାଳି ଦେଖିବା ବେଳକୁ ଭାତ ଭିତରେ ପାଣିଆ ଡାଲି ହଜି ଯାଉଥିବା ବେଳେ ଉପରେ କେବଳ ଶୁଖିଲା ଲଙ୍କା ଛଡ଼ା ଅନ୍ୟ କିଛି ପରିବା କି ଡାଲି ଦେଖିବାକୁ ମିଳିନଥିଲା। ତେବେ ଡାଲମାର ଏଭଳି ଅବସ୍ଥା ସମ୍ପର୍କରେ ରୋଷେଇ କରୁଥିବା କର୍ମଚାରୀ ଜାଣି ନଥିବା ଉତ୍ତର ଦେଇଥିଲେ। ସେହି ସମୟରେ ଝାରସୁଗୁଡ଼ା ସହର ଭିତରେ ଥିବା ବେହେରାମାଲ ଆଶ୍ରମ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହୋଇ ଛାତ୍ରଛାତ୍ରୀଙ୍କ ପାଇଁ ଘୋଡ଼ାଇ ରଖାଯାଇଥିଲା। ‌ଏଠାରେ ବି ଆଜି ଭାତ ଓ ଡାଲମା ଦିଆଯିବାକୁ ଥିବା ବେଳେ ଡାଲମାରୁ ପରିବା ହଜି ଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏ ସଂପର୍କରେ ପଚାରିବାରୁ, କିଛି ପରିବା ପଡ଼ିଥିଲା ଯାହା ମିଳେଇ ଯାଇଥିବା ରୋଷେୟା ଉତ୍ତର ଦେଇଥିଲେ।

publive-image

ମଧ୍ୟାହ୍ନ ଭୋଜନ ପାଇଁ ପିଡିଏସ ଚାଉଳ ଆସୁଥିବା ବେଳେ ପରିବା ଓ ଅନ୍ୟାନ୍ୟ ସାମଗ୍ରୀ ପାଇଁ ଛାତ୍ରପିଛା ଟଙ୍କା ଆସୁଛି। ମାତ୍ର ବର୍ଦ୍ଧିତ ପରିବା ଦରରେ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାପ୍ତ ପରିବାଦିଆ ଡାଲମା ସମ୍ଭବ ନୁହେଁ ବୋଲି ଜଣେ ଶିକ୍ଷକ କହିଛନ୍ତି। ଏହାଛଡ଼ା ଅଣ୍ଡା ପାଇଁ ୬ ଟଙ୍କା ସରକାରୀସ୍ତରରୁ ଆସୁଥିବା ବେଳେ ଏବେ ଖୁଚୁରା ବଜାରରେ ଅଣ୍ଡା ଗୋଟିକ ଦର ୭ ଟଙ୍କା ହେଲାଣି। ଏଭଳି ସ୍ଥିତିରେ ପିଲାଙ୍କୁ ଅଣ୍ଡା ଦେବାକୁ କୁନ୍ଥକୁନ୍ଥ ହେଉଛନ୍ତି ସ୍କୁଲ କର୍ତ୍ତୃପକ୍ଷ। ଆଜି ଝାରସୁଗୁଡ଼ା ବଜାରରେ ଟମାଟୋ କିଲୋ ପିଛା ୧୨୦ ଟଙ୍କା, ବାଇଗଣ ୭୦ ଟଙ୍କା, ପୋଟଳ ଶହେ ଟଙ୍କା, ଭେଣ୍ଡି ୮୦ ଟଙ୍କା, କଲରା ୮୦ ଟଙ୍କା, ପତ୍ରକୋବି ୪୦ଟଙ୍କା, ଫୁଲକୋବି ୮୦ ଟଙ୍କା, ଗାଜର ୪୦ ଟଙ୍କା, ଅଦା ୨୮୦ ଟଙ୍କା ଓ କଞ୍ଚାଲଙ୍କା ୧୬୦ ଟଙ୍କା ରହିଛି।

ମଧ୍ୟାହ୍ନ ଭୋଜନର ଏଭଳି ସ୍ଥିତି ନେଇ ଜିଲ୍ଲା ଶିକ୍ଷାଧିକାରୀ ପୁଷ୍ପା ମିଞ୍ଜଙ୍କୁ ପଚାରିବାରେ, ଏଭଳି ଘଟଣା ତାଙ୍କ ନଜରକୁ ଆସିନି ବୋଲି କହିଥିଲେ। ‌ତେବେ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଦରରେ ମଧ୍ୟାହ୍ନ ଭୋଜନ ଦେବା ସମ୍ଭବ ହେଉ ନଥିବାରୁ ଦରବୃଦ୍ଧି ପାଇଁ ଖାଦ୍ୟ ଆୟୋଗ ଅଧ୍ୟକ୍ଷଙ୍କୁ ଅନୁରୋଧ କରାଯାଇଥିବା ସେ କହିଥିଲେ। ସେପଟେ, ଆହାର କେନ୍ଦ୍ରର ଏଭଳି ଅବ୍ୟବସ୍ଥା ନେଇ ପୌର ନିର୍ବାହୀ ଅଧିକାରୀ ମନୋଜ ତାଣ୍ଡିଙ୍କୁ ପଚାରିବାରେ, ଦାୟିତ୍ବ ନେଇଥିବା ଏସ୍‌ଏଚ୍‌ଜିଙ୍କୁ ଏନେଇ ପଚରାଯିବ ବୋଲି କହିଥିଲେ।