ଏଥର ବି ନୂଆ କିଛି ଦେଖାଇବ ଆରଣ୍ୟକ ଶୀତଳଷଷ୍ଠୀ ଯାତ୍ରା 

ରାଜ୍ୟ ବାହାରୁ ୫  ଟିମ୍‌, ୧୦ ଜିଲ୍ଲାରୁ ଆସିବେ କଳାକାର

ସମ୍ବଲପୁର: କରୋନା ପାଇଁ ୨ ବର୍ଷ ହେବ କେବଳ ରୀତିନୀତିରେ ସୀମିତ ଥିଲା ସମ୍ବଲପୁରର ବିଶ୍ବ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା। ତେବେ କରୋନା କଟକଣା ହଟିବା ପରେ ଏଥର ପୁଣିଥରେ ଏହି ଯାତ୍ରା ପୂର୍ବ ଭଳି ଧୁମ୍‌ଧାମ୍‌ରେ ପାଳିତ ହେବାକୁ ଯାଉଛି। ଏଥି ପାଇଁ ସମସ୍ତ ଯାତ୍ରା କମିଟି ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଦେବଦମ୍ପତିଙ୍କ ବିବାହ ଉତ୍ସବ ପାଇଁ ପୁଣିଥରେ ଚଳଚଞ୍ଚଳ ହୋଇ ଉଠିଛି ସମ୍ବଲପୁର ସହର। ଏଥର ଶୀତଳଷଷ୍ଠୀ ଶୋଭାଯାତ୍ରାରେ ସମ୍ବଲପୁରର ରାଜରାସ୍ତା ଦୁଲୁକିବ।

ପୁଣିଥରେ ଯାତ୍ରା ଦେଖିବାକୁ ଦୂରଦୂରାନ୍ତରୁ ଲୋକଙ୍କ ସୂଅ ଛୁଟିବ। ୨ ବର୍ଷ ବ୍ୟବଧାନରେ ଯାତ୍ରା ହେଉଥିବାରୁ ଏଥର ସହରବାସୀ ବି ଅଧିକ ଉତ୍ସାହିତ ଅଛନ୍ତି। ସବୁଥର କିଛି ନା କିଛି ନୂଆ କରି ଦେଖାଇ ଆସିଥିବା ଝାଡ଼ୁଆପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟି ଚଳିତ ବର୍ଷ ମଧ୍ୟ ସମ୍ବଲପୁରବାସୀଙ୍କୁ ଅନେକ ନୂଆ ଜିନିଷ ଭେଟି ଦେବାକୁ ପ୍ରସ୍ତୁତ ହେଉଛି। ଆରଣ୍ୟକ ଶୀତଳଷଷ୍ଠୀ ଯାତ୍ରାରେ ଏଥର ଓଡ଼ିଶାର ୧୦ଟି ଜିଲ୍ଲାରୁ ସାଂସ୍କୃତିକ ଦଳ ଆସୁଥିବା ବେଳେ ରାଜ୍ୟ ବାହାରୁ ୫ଟି ଟିମ ଯୋଗ ଦେବେ ବୋଲି କମିଟି ପକ୍ଷରୁ କହାଯାଇଛି। ଓଡ଼ିଶୀ, ସମ୍ବଲପୁରୀ, ହିନ୍ଦୀ, ଆଧୁନିକ ନୃତ୍ୟ, ଲୋକନୃତ୍ୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ୨୦୧୮ରେ ପଶ୍ଚିମ ଓଡ଼ିଶାରେ ପ୍ରଥମଥର ପାଇଁ ଝାଡ଼ୁଆପଡ଼ା କମିଟି ପକ୍ଷରୁ ଶୀତଳଷଷ୍ଠୀରେ ଚାନ୍ଦି ମେଢ଼ କରା ଯାଇଥିଲା। ୧ କ୍ବିଣ୍ଟାଲ୍‌ ୩୫ କେଜିର ରୁପାରେ ତିଆରି ହୋଇଥିବା ମେଢ଼ରେ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଲୋକନାଥ ବାବାଙ୍କ ଏହି ମେଢ଼ ଏଥର ବି ଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିବ ବୋଲି କହାଯାଇଛି।

ପ୍ରଜ୍ଞାପନ ମେଢରେ କୋଭିଡ୍‌ ଭ୍ୟାକ୍‌ସିନ୍‌

ଝାଡ଼ୁଆପଡ଼ା ଯାତ୍ରା କମିଟି ପକ୍ଷରୁ ପ୍ରସ୍ତୁତ ପ୍ରଜ୍ଞାପନ ମେଢ଼ରେ ବିଭିନ୍ନ ସାଂପ୍ରତିକ ପ୍ରସଂଗ ସ୍ଥାନ ପାଇଛି। ଚର୍ଚ୍ଚିତ ଚଳଚ୍ଚିତ୍ର ‘ପୁଷ୍ପା’ ଓ କୋଭିଡ୍‌ ଭ୍ୟାକ୍‌ସିନ୍‌ ସଂପର୍କିତ ମେଢ଼ ଏଥର ମୁଖ୍ୟ ଆକର୍ଷଣ ହେବ। ତା’ ସହିତ ଡୋନାଲ୍‌ଡ ଡକ୍‌, ବାଲ୍‌ ହନୁମାନ ଓ ଗରୁଡ଼ଙ୍କ ମେଢ଼ ରହିବ। ପୂର୍ବରୁ ଦଳେଇପଡ଼ାର ସୁଶାନ୍ତ ବଢ଼େଇ ଝାଡ଼ୁଆପଡ଼ାର ପ୍ରଜ୍ଞାପନ ମେଢ଼ କରୁଥିଲ। କିନ୍ତୁ କରୋନାରେ ତାଙ୍କର ପରଲୋକ ହେବାପରେ ଚଳିତ ବର୍ଷ ତାଙ୍କ ସହଯୋଗୀ ହାଟପଡ଼ାର ରାକେଶ ମୁଖ୍ୟ କାରିଗର ଭାବେ ମେଢ଼ ପ୍ରସ୍ତୁତ କରୁଛନ୍ତି। ତାଙ୍କୁ ହାଟପଡ଼ାର ସୁମିତ ସେଠ୍‌ ସହଯୋଗ କରୁଛନ୍ତି। ସେଭଳି ଗଣେଶ ରହନା, ସୋନୁ ସାହୁ ଏବଂ ପୂର୍ଣ୍ଣଚନ୍ଦ୍ର ସାହୁ ମିଶି ଗରୁଡ଼ ମେଢ଼ ତିଆରି କରୁଛନ୍ତି। ଗରୁଡ଼କୁ ଛାଡ଼ି ଅନ୍ୟ ସମସ୍ତ ପ୍ରଜ୍ଞାପନ ମେଢ଼ ରାକେଶ ଓ ସୁମିତ କରୁଛନ୍ତି। ବାଉଁଶ, ଅଖାବସ୍ତା, ପେପର୍‌, କପଡ଼ା ଆଦିରେ ଏହି ମେଢ଼ ଗୁଡ଼ିକ ତିଆରି କରାଯାଉଛି।

ସରୋଜ ଦଳପତ, ସଭାପତି, ଝାଡ଼ୁଆପଡ଼ା ଯାତ୍ରା କମିଟି: ୨ ବର୍ଷ ପରେ ଶୀତଳଷଷ୍ଠୀ ଯାତ୍ରା ହେଉଥିବାରୁ ଏଥର ଜୋର୍‌ସୋର୍‌ରେ ପ୍ରସ୍ତୁତି ଚାଲିଛି। କୋଭିଡ ପୂର୍ବରୁ ୨୦୧୯ରେ ଝାଡ଼ୁଆପଡ଼ାର ବଜେଟ୍‌ ୩୦ ଲକ୍ଷ ଟଙ୍କା ରହିଥିବା ବେଳେ ଚଳିତ ବର୍ଷ ତା’ଠାରୁ ଅଧିକ ନିର୍ଦ୍ଧାରିତ କରାଯାଇଛି। ସବୁ ବର୍ଷ ଭଳି ଏଥର ମଧ୍ୟ ଏକାଧିକ ନୂଆ ସାଂସ୍କୃତିକ ଟିମ୍‌ ଆସିବେ। ଏଥର ଯାତ୍ରା ୫ ବର୍ଷର ଶିଶୁଠୁ ଆରମ୍ଭ କରି ୭୦ ବର୍ଷର ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବ।

ସମ୍ବନ୍ଧିତ ଖବର