ଓଡ଼ିଶାରେ କାହିଁକି ଏନ୍ଆରସି ଲାଗୁ ହେବ ନାହିଁ ନବୀନ ସ୍ପଷ୍ଟ କରନ୍ତୁ, ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନ କଲେ ଖାରବେଳ

ନବୀନଙ୍କ ନା’ ପରେ ବିଜେପି ଶିବିର ହଲଚଲ

ଭୁବନେଶ୍ବର : ଜାତୀୟ ନାଗରିକ ପଞ୍ଜିକାକୁ ଲାଗୁ ନକରିବା ପାଇଁ ମୁଖ୍ୟମନ୍ତ୍ରୀ ବିବୃତି ଦେବା ପରେ ବିଜେପି ଶିବିରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ମୁଖ୍ୟମନ୍ତ୍ରୀଙ୍କ ଜାତୀୟ ନାଗରିକ ପଞ୍ଜିକାକୁ ଲାଗୁ ନ କରିବା ମନ୍ତବ୍ୟକୁ ସମାଲୋଚନା କରିବାର ତିନି ଘଣ୍ଟା ନ ପୂରୁଣୁ ଦଳର ବରିଷ୍ଠ ନେତା ଐର ଖାରବେଳ ସ୍ବାଇଁ ଆଜି ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ସ୍ବାଇଁ କହିଥିଲେ, ଭାରତବର୍ଷରେ ଅନେକ ବିଦେଶୀ ଅଛନ୍ତି। ଭାରତରେ ବାହାର ଲୋକ କିଏ ସେମାନଙ୍କୁ ଚିହ୍ନିବାର କୌଣସି ବ୍ୟବସ୍ଥା ନାହିଁ। ରାଷ୍ଟ୍ର ସୁରକ୍ଷା ପାଇଁ କେନ୍ଦ୍ର ସରକାର ଜାତୀୟ ନାଗରିକ ପଞ୍ଜିକାକୁ ଲାଗୁ କରିବାକୁ ପ୍ରତିଶ୍ରୁତି ବଦ୍ଧ। ଏ ଦେଶର ସଂସଦ ତାକୁ ଗ୍ରହଣ କରିଛି। ଏହା ରାଷ୍ଟ୍ରର ହିତ ଓ ସୁରକ୍ଷା ପାଇଁ ତିଆରି କରାଯାଇଛି। ନାଗରିକ ସଂଶୋଧନ ବିଲକୁ ରାଜ୍ୟସଭା ଓ ଲୋକସଭାରେ ସମର୍ଥନ କରିଥିବା ମୁଖ୍ୟମନ୍ତ୍ରୀ ଏନ୍ଆରସିକୁ ଓଡ଼ିଶାରେ ଲାଗୁ କରିବେ ନାହିଁ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ କାହିଁକି ଓଡ଼ିଶାରେ ଜାତୀୟ ନାଗରିକ ପଞ୍ଜିକାକୁ ଲାଗୁ କରିବେ ନାହିଁ ଏବଂ ଏହା ପଛରେ ତାଙ୍କର ଉଦ୍ଦେଶ୍ୟ କଣ ରହିଛି ବୋଲି ଶ୍ରୀ ସ୍ବାଇଁ ପ୍ରଶ୍ନ କରିଛନ୍ତି।

ବିଜେପି କହିଛି ଯେ ଓଡ଼ିଶାରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢୁ ବୋଲି ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି କି? ରାଜନୈତିକ ଫାଇଦା ପାଇଁ ମୁଖ୍ୟମନ୍ତ୍ରୀ ଏପରି କହୁଛନ୍ତି କି? ଏନ୍ଆରସି ଲାଗୁ ହେଲେ ଓଡ଼ିଶାର କଣ କ୍ଷତି ହେବ, ତାହା ପ୍ରଥମେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ। ଦୁନିଆରେ ଏମିତି କୌଣସି ଦେଶ ନାହିଁ, ଯାହାର ନାଗରିକମାନଙ୍କର ପଞ୍ଜିକା ନାହିଁ। ସବୁ ଦେଶ ତାର ନାଗରିକମାନଙ୍କର ତାଲିକା କରିଛନ୍ତି। ରାଷ୍ଟ୍ର ହିତ ଦୃଷ୍ଟିରୁ ଓଡ଼ିଶାରେ ଏନ୍ଆରସିକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରନ୍ତୁ ବୋଲି ଦଳ ଚାପ ପକାଇଛି।

ଶ୍ରୀ ସ୍ବାଇଁ ଆହୁରି କହିଛନ୍ତି ଯେ ମୁସଲମାନମାନେ ଅସନ୍ତୁଷ୍ଟ ହେବେ ଭାବି ବୋଧହୁଏ ମୁଖ୍ୟମନ୍ତ୍ରୀ ଏହାକୁ ଲାଗୁ କରିବାକୁ ମନା କରୁଛନ୍ତି। ବାସ୍ତବତା ହେଲା, ଏନ୍ଆରସିକୁ ଲାଗୁ କଲେ ଭାରତର ମୁସଲମାନଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ। ମୁସଲମାନମାନେ ଆତଙ୍କିତ ହେବାର କୌଣସି କାରଣ ନାହିଁ। ଭାରତବର୍ଷ ବିଭାଜନ କୌଣସି ରାଜନୈତିକ କାରଣରୁ ହୋଇନାହିଁ। ଏହା କେବଳ ଧର୍ମକୁ ନେଇ ହୋଇଥିଲା। ୧୯୪୭ ମସିହା ପରେ ଭାରତରୁ ଅଲଗା ହୋଇଥିବା ରାଷ୍ଟ୍ରଗୁଡିକ ବିଭିନ୍ନ ସମୟରେ ଶରଣାର୍ଥୀ ଭାବେ ଭାରତରେ ପ୍ରବେଶ କରିଛନ୍ତି। ୧୯୫୧ ମସିହାରେ ଭାରତରେ ନାଗରିକ ପଞ୍ଜିକା ସଂଶୋଧନ ହେଲା ନାହିଁ। ଭାରତର ନାଗରିକ କିଏ, ଏ ପ୍ରଶ୍ନର ଉତ୍ତର କେହି ଦେଇପାରିବେ ନାହିଁ। ଭାରତର କୌଣସି ଜାତୀୟ ପରିଚୟ ପତ୍ର ନାହିଁ। ଯଦି ଭାରତର ନାଗରିକ କିଏ, ତାଙ୍କୁ ଚିହ୍ନଟ କରାଯିବନାହିଁ, ତେବେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର କରିଥିବା ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନା ପାଇବାକୁ କିଏ ହକଦାର ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର