କେନ୍ଦ୍ରାପଡାରୁ ବିଦା ହୋଇପାରନ୍ତି ବାଂଲାଦେଶୀ, ପଦକ୍ଷେପ ଗ୍ରହଣ ପାଇଁ ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଚିଠି

କଟକ : କେନ୍ଦ୍ରାପଡା ଜିଲ୍ଲାରେ ‘ନ୍ୟାସନାଲ ରେଜିଷ୍ଟର ଅଫ୍ ଇଣ୍ଡିଆନ୍ ସିଟିଜେନ୍ସ’ (ଏନ୍‌ଆର୍‌ସି) ପ୍ରସ୍ତୁତ ପ୍ରସଂଗରେ ପଦକ୍ଷେପ ଗ୍ରହଣ ପାଇଁ ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାୟ ଚିଠି ଲେଖିଛି।

ଏହି ପ୍ରସଂଗରେ ହାଇକୋର୍ଟରେ ବିଚାରାଧୀନ ମାମଲାରେ ଆମିକସ୍ କ୍ୟୁରି ‌ମୋହିତ ଅଗ୍ରୱାଲ ୨୦୧୮, ନଭେମ୍ବର ୨୧ରେ ରିପୋର୍ଟ ଦାଖଲ କରି କେନ୍ଦ୍ରାପଡାରେ ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ (ଏନଆରସି) ପ୍ରସ୍ତୁତ ପାଇଁ ପ୍ରସ୍ତାବ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜଙ୍ଗଲ ଓ ପରିବେଶ ବିଭାଗ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆମିକସ୍ କ୍ୟୁରିଙ୍କ ରିପୋର୍ଟକୁ ବିଚାରକୁ ‌ନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବ ବୋଲି ୨୦୧୯, ଜାନୁଆରି ୨୧ରେ ବିଚାରାଧୀନ ମାମଲାରେ ନିର୍ଦ୍ଦେଶ ଦିଆଯାଇଥିଲା। ଏ ସଂପର୍କରେ ଆମିକସ୍ କ୍ୟୁରିଙ୍କ ଦ୍ବାରା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅବଗତ ହେବା ପରେ ପଦକ୍ଷେପ ଗ୍ରହଣ ପାଇଁ ନୂଆ ଦିଲ୍ଲୀସ୍ଥିତ ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆଙ୍କୁ ଚିଠି ଲେଖିଛି। ସିଟିଜେନସିପ୍ (ରେଜିଷ୍ଟ୍ରେସନ୍ ଅଫ୍ ସିଟିଜେନ୍ସ ଆଣ୍ଡ ଇସ୍ୟୁ ଅଫ୍ ନ୍ୟାସନାଲ ଆଇଡେଣ୍ଟିଟି କାର୍ଡସ୍) ରୁଲ୍ସ, ୨୦୦୩ର ନିୟମ ୪(୧) ଓ ୪(୨) ଅନୁସାରେ ଏହି ପ୍ରସଂଗ ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆଙ୍କ କ୍ଷମତା ପରିସରଭୁକ୍ତ ହୋଇଥିବା ବେଳେ ଏ ନେଇ ପଦକ୍ଷେପ ଗ୍ରହଣ ପାଇଁ କୁହାଯାଇଛି ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଚିଠିରେ ଉଲ୍ଲେଖ କରାଯାଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଚିଲିକା ଓ ଭିତରକନିକା ଆର୍ଦ୍ରଭୂମି ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ହାଇକୋର୍ଟ ନିଜ ଆଡୁ ଏକ ମାମଲା ରୁଜୁ କରିଥିଲେ। ଜଙ୍ଗଲ ଓ ପରିବେଶ ବିଭାଗ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଚିଲିକା ଓ ଭିତରକନିକାରେ ଆଦ୍ରଭୂମି ସୁରକ୍ଷା ପ୍ରସଂଗରେ ଗ୍ରହଣ କରାଯାଉଥିବା ପଦକ୍ଷେପ ଓ ସମସ୍ୟା ସଂପର୍କରେ ଆଲୋଚନା କରି ନିଷ୍ପତ୍ତି ଗ୍ରହଣ କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଭିତର କନିକା ଜାତୀୟ ଉଦ୍ୟାନ ନିକଟବର୍ତ୍ତୀ ଅଞ୍ଚଳରେ ବେଆଇନ ଭାବେ ରହୁଥିବା ବାଙ୍ଗଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ପୂର୍ବରୁ ଆଲୋଚନା କରାଯାଇଥିଲା। କେନ୍ଦ୍ରାପଡା ଉପଜିଲ୍ଲାପାଳ ଏ ନେଇ ଦର୍ଶାଇଥିଲେ ଯେ, ଏପରି କେତେକ ପରିବାରକୁ ଚିହ୍ନଟ କରାଯାଇଛି। ବାଙ୍ଗଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ଠୋସ୍ ପଦକ୍ଷେପ ଗ୍ରହଣ ଉପରେ ବୈଠକରେ ଆମିକସ୍ କ୍ୟୁରି ମୋହିତ ଅଗ୍ରୱାଲ ଗୁରୁତ୍ବାରୋପ କରିବା ସହିତ ରିପୋର୍ଟ ଦାଖଲ କରିଥିଲେ। କେନ୍ଦ୍ରାପଡା ଜିଲ୍ଲାରେ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟ ଲାଗି ଏନଆରସି ପ୍ରସ୍ତୁତ ନେଇ ଅନୁମତି ଦେବା ଲଗି କେନ୍ଦ୍ର ସରକାରଙ୍କୁ ‌ଅନୁରୋଧ କରିବା ପାଇଁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ରାଜ୍ୟ ଗୃହ ବିଭାଗକୁ ଚିଠି ଲେଖିଥିଲା। କିନ୍ତୁ ପରବର୍ତ୍ତୀ ବୈଠକରେ ଏହି ପ୍ରସଂଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା ବୋଲି ଅଭିଯୋଗ ହୋଇଥିଲା। ଗୃହ ବିଭାଗକୁ ଏନଆରସି ପ୍ରସଂଗରେ ରିମାଇଣ୍ଡର ପଠାଇବା ପାଇଁ ୨୦୧୯, ଅଗଷ୍ଟ ୩୦ର କମିଟି ବୈଠକରେ ଆମିକସ୍ କ୍ୟୁରି ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର