ଭୁବନେଶ୍ବର: ମହାମାରୀ ସମଗ୍ର ବିଶ୍ୱକୁ ଗ୍ରାସ କରିବା ଆରମ୍ଭ କରିବାପରେ ଜଣେ ରୋଗୀ ଏବଂ ସାରା ମାନବ ଜାତିର ସ୍ୱାସ୍ଥ୍ୟ ପ୍ରତି ଚିକିତ୍ସକମାନଙ୍କର ପ୍ରତିବଦ୍ଧତା ପ୍ରତିପାଦିତ ହୋଇଛି । ସେହି ସମୟରେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ କାର୍ଯ୍ୟରତ ଓଡ଼ିଶାର ଚିକିତ୍ସକଗଣ ଆଉପାଦେ ଆଗକୁ ଯାଇ ଓଡ଼ିଶାରୁ ବିଶ୍ୱସ୍ତରୀୟ ଏକ ଚିକିତ୍ସକ ଦଳ ଗଠନ କରିଛନ୍ତି, ଯେଉଁମାନେ ଓଡ଼ିଶା ସରକାରଙ୍କ ପ୍ରଚେଷ୍ଟା ସହିତ ତାଳ ମିଳାଇ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସହିତ ମିଶି ଓଡ଼ିଶାର ଜନସାଧାରଣଙ୍କୁ ସାହାଯ୍ୟ କରିବାକୁ ଏକ ସ୍ୱେଚ୍ଛାକୃତ ଅଭିଯାନ ଆରମ୍ଭ କରିଛନ୍ତି । ଏହି ବିଶ୍ୱସ୍ତରୀୟ ଚିକିତ୍ସକ ଦଳକୁ 'ଓଡ଼ିଆ' (ଓଡ଼ିଶା ଡକ୍ଟର୍ସ ଇଣ୍ଟରନ୍ୟାସନାଲ ଆସୋସିଏସନ) ଭାବରେ ନାମିତ କରାଯାଇଛି ।

Advertisment

ଆମେରିକାର ବାସିନ୍ଦା ଡା.ଦେବାଶିଷ ରାୟ କହିଛନ୍ତି, “ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, ୟୁଏଇ, ଭାରତ, ଅନ୍ୟ ୟୁରୋପୀୟ ଏବଂ ଆସିଆନ୍ ରାଷ୍ଟ୍ରସମୂହରେ ଥିବା ପ୍ରବାସୀ ଓଡ଼ିଆ ଡାକ୍ତରମାନେ ଓଡ଼ିଶାର ଜନସାଧାରଣଙ୍କୁ ସହାୟତା କରିବାର ଏକ ଆକାଙ୍କ୍ଷିତ ଲକ୍ଷ୍ୟ ଏବଂ ପ୍ରଗତିଶୀଳ ଦୃଷ୍ଟିଭଙ୍ଗୀ ନେଇ ପରସ୍ପର ସହିତ ହାତ ମିଳାଇ ‘ଓଡ଼ିଆ’ ଗଠନ କରିଛନ୍ତି ।”
ଦୀର୍ଘମାସର ଲକଡାଉନ ଏବଂ କୋଭିଡ ସଙ୍କଟ ସମୟରେ ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ସହାୟତା କରିଥିବା ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର ‘ଓଡ଼ିଆ’ ପକ୍ଷରୁ ଆଞ୍ଚଳିକ ସ୍ତରରେ ଏହି ପ୍ରୟାସର ନେତୃତ୍ୱ ନେବେ । ‘ଓଡ଼ିଆ’ର ବ୍ରାଣ୍ଡ୍ ଆମ୍ବାସାଡର ଭାବରେ ସେ ତୃଣମୂଳ ସ୍ତରରେ ଡାକ୍ତରମାନଙ୍କର ଲକ୍ଷ୍ୟକୁ କାର୍ଯ୍ୟକାରୀ କରୁଛନ୍ତି ।

publive-image

ଡା. ରାୟ କହିଛନ୍ତି, “ଏହି ଅଭିଯାନକୁ କେତେକ ପ୍ରକଳ୍ପରେ ଭାଗ ଭାଗ କରାଯାଇଛି ଏବଂ ପ୍ରତିଷେଧମୂଳକ ସ୍ୱାସ୍ଥ୍ୟ ତାଲିକାର ଶୀର୍ଷରେ ରହିଛି । ଏଥିମଧ୍ୟରେ ଟିକାକରଣ, ମହିଳା କର୍କଟ ରୋଗ ଚିହ୍ନଟ, ମାତୃତ୍ୱକାଳୀନ ସ୍ୱାସ୍ଥ୍ୟରେ ଉନ୍ନତି ସାଧନ, ରକ୍ତହୀନତା ଓ ପୁଷ୍ଟିସାଧନ ସ୍ତରରେ ଯାଞ୍ଚ, ମେଦବହୁଳତା ବିରୋଧରେ ସଚେତନତା, ଦନ୍ତ ଓ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ ଆଦି ଅନ୍ତର୍ଭୁକ୍ତ । ଆମର ଏହି ଆକାଙ୍କ୍ଷିତ କାର୍ଯ୍ୟକ୍ରମ ଜରିଆରେ ଶିଶୁ ମୃତ୍ୟୁ ନିରାକରଣ, ମହିଳାଙ୍କ ସ୍ୱାସ୍ଥ୍ୟର ଯତ୍ନ ଏବଂ ବୟସ୍କ ଲୋକଙ୍କ ଟିକାକରଣ ଆଦିକୁ ପ୍ରାଧାନ୍ୟ ଦିଆଯିବ ।” ‘ଓଡ଼ିଆ’ ମଧ୍ୟ ଜରୁରୀକାଳୀନ ସମୟରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦଳ ଗଠନ କରୁଛି ଏବଂ ଜରୁରୀକାଳୀନ ରିଲିଫ୍ ଦଳ ପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଛି ।

‘ଓଡ଼ିଆ’ ମିଶନ୍ ବହୁ ବିଶିଷ୍ଟ ଲୋକଙ୍କର ସମର୍ଥନ ଲାଭ କରିଛି । ଟେକ୍ ଗୁରୁ ଏବଂ ଭାରତୀୟ ଦୂରସଂଚାର କ୍ଷେତ୍ରର କର୍ଣ୍ଣଧାର ଭାବେ ପରିଚିତ ସାମ୍ ପିତ୍ରୋଡା ‘ଓଡ଼ିଆ’ ପ୍ରତି ତାଙ୍କର ନିଃସର୍ତ୍ତ ସମର୍ଥନ ଜଣାଇଛନ୍ତି । ସେ କହିଛନ୍ତି, “ସ୍ଥାନୀୟ ଜ୍ଞାନର ବ୍ୟବହାର ସହିତ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇବାରେ ବିଶ୍ୱସ୍ତରରେ ଉପଲବ୍ଧ ଶ୍ରେଷ୍ଠ ଡାକ୍ତରୀ ସୁବିଧାକୁ ଅଧିକ ତ୍ୱରିତ କରାଯାଇପାରିଲେ ତଦ୍ଦ୍ୱାରା ଜନସାଧାରଣ ଉପକୃତ ହେବେ । ଟେଲିମେଡିସିନ ଏବଂ ସ୍ଥାନୀୟ କର୍ମଚାରୀଙ୍କୁ ଅଧିକ କୁଶଳୀ କରିବା ପାଇଁ ତାଲିମ ପ୍ରଦାନ ଏହି ମହତ୍ ପ୍ରୟାସରେ ଅଶେଷ ସହାୟକ ହୋଇପାରିବ ।” ସାଂସଦ ତଥା ଜନସେବୀ ଡ. ଅଚ୍ୟୁତ ସାମନ୍ତ ‘ଓଡ଼ିଆ’ ପ୍ରକଳ୍ପ ପ୍ରତି ତାଙ୍କର ନିଃସର୍ତ୍ତ ସମର୍ଥନ ଘୋଷଣା କରିଛନ୍ତି । ସେ କହିଛନ୍ତି, “ଉତ୍ତମ ସ୍ୱାସ୍ଥ୍ୟର
ବ୍ୟବସ୍ଥା କରିବା ହେଉଛି ସକ୍ଷମ ମଣିଷଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ । ସମଗ୍ର ବିଶ୍ୱରେ ଥିବା ଓଡ଼ିଆ ଡାକ୍ତରମାନେ ଓଡ଼ିଆ ଜନସାଧାରଣଙ୍କର ସ୍ୱାସ୍ଥ୍ୟ ଆବଶ୍ୟକତା ପୂରଣ କରି ସେମାନଙ୍କ ପାଇଁ ଯଥେଷ୍ଟ ଆଶ୍ୱସ୍ତି ଏବଂ ଖୁସି ଆଣିବା ନିମନ୍ତେ ଯେଉଁଭଳି ପ୍ରୟାସ କରୁଛନ୍ତି ତାହାଦେଖି ମୋତେ ଅତ୍ୟନ୍ତ ଆନନ୍ଦ ଲାଗୁଛି ।” ସବ୍ୟସାଚୀ ମିଶ୍ର କହିଛନ୍ତି, “ଦୁଃଖୀ ମୁହଁରେ ହସ ଫୁଟାଇବା ଲାଗି ‘ଓଡ଼ିଆ’ ଟିମର ପ୍ରୟାସ ସଫଳ କରିବାକୁ ମୁଁ ପାରୁପର୍ଯ୍ୟନ୍ତ କାର୍ଯ୍ୟ କରିବି ।”